ପୃଷ୍ଠା:Bikalpa Biswa.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କନ୍ୟା ମିଳିବେ ନାହିଁ

ଚା ଚା ‘ବନ୍‌ଜାଇ, ବନ୍‌ଜାଇ’ - ଅର୍ଥାତ୍ ୧୦ ହଜାର ବର୍ଷ ଜୀଅଁ, କହି କହି ଜାପାନୀମାନେ ରାସ୍ତାଘାଟରେ ନାଚି ନାଚି, ଗାଇ ଗାଇ ତାଙ୍କ ଶିଶୁ ରାଜକୁମାରଙ୍କୁ ସ୍ୱାଗତ କରିଛନ୍ତି । ଚାଳିଶ ବର୍ଷ ପରେ ଜାପାନୀ ରାଜବଂଶରେ ଏକ ପୁରୁଷ ଉତ୍ତରାଧିକାରୀ ଜନ୍ମ ନେଇଥିବାରୁ ସମଗ୍ର ଜାପାନ୍ ଦେଶରେ ଆନନ୍ଦ ଉଲ୍ଲାସର ଲହଡ଼ି ଖେଳିଯାଇଛି । ଯୁବରାଣୀ କିକୋ ସେପ୍ଟେମ୍ବର ୨୦୦୬ରେ ସାଢେ଼ ପାଞ୍ଚ ପାଉଣ୍ଡ ଓଜନର ଏକ ପୁତ୍ର ସନ୍ତାନ ପ୍ରସବ କରି ରାଜଗାଦିକୁ ଆସନ୍ତା ଶହେ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ କରିଦେଲେ ବୋଲି କୁହାଯାଉଛି । ହାର୍ଭାଡ୍ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ ୪୨ ବର୍ଷ ବୟସ୍କା ପ୍ରଥମ ଯୁବରାଣୀ ମାସାକୋ ରାଜବଂଶକୁ ପୁତ୍ର ସନ୍ତାନ ଦେଇ ନ ପାରିବାରୁ ବିଷାଦଗ୍ରସ୍ତ ହୋଇ ଅନେକ ଦିନରୁ ସାଧାରଣ ଜୀବନରୁ ଅପସରି ଯାଇଛନ୍ତି । କିକୋଙ୍କ ସ୍ୱାମୀ ଯୁବରାଜ ଆକିସିନୋଙ୍କ ଉପରେ କିଛିବର୍ଷ ହେଲା ଚାପ ଦିଆ ଯାଉଥିଲା ଯେ ଯଦି କିକୋ ଏଥର ପୁତ୍ର ସନ୍ତାନ ଦେଇ ନ ପାରନ୍ତି ତେବେ ସେ ଏକ ରକ୍ଷିତା (କଙ୍କୁବାଇନ୍) ରଖନ୍ତୁ ଓ ପୁତ୍ରପାଇଁ ଚେଷ୍ଟା କରନ୍ତୁ ।

ଏ ସମ୍ପର୍କରେ ଜାପାନ୍ ପ୍ରଧାନମନ୍ତ୍ରୀ ଜୁନିସିରୋ କୋଜୁମି ଆଲୋଚନା କରି ବିକଳ୍ପ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ବିଶେଷଜ୍ଞମାନଙ୍କର ଏକ ବୈଠକ ଡକାଇଥିଲେ । ଏହି ବୈଠକରେ ତାଙ୍କୁ ପରାମର୍ଶ ଦିଆଯାଇଥିଲା ଯେ ଯୁବରାଣୀ ପୁତ୍ର ପ୍ରସବ ନ କଲେ ରାଜକନ୍ୟା ସିଂହାସନରେ ବସିବେ । ଏହି ଖବର ପାଇ ରକ୍ଷଣଶୀଳ ଗୋଷ୍ଠୀ ବିଚଳିତ ହୋଇ ପଡ଼ିଥିଲେ । ପୁତ୍ର ପ୍ରସବ କରି ଏବେ କିକୋ ଜାପାନୀ ମିଡିଆ ଓ ଜନସାଧାରଣଙ୍କ ହୃଦୟ ସିଂହାସନରେ ବସିଛନ୍ତି । କିନ୍ତୁ ତାଙ୍କର ପ୍ରଥମ ଓ ଦ୍ୱିତୀୟ କନ୍ୟାଙ୍କ ଜନ୍ମ ବେଳେ ସାରା ଦେଶ ଦୁଃଖରେ ଭାଙ୍ଗି ପଡ଼ିଥିଲା । ଲୋକେ ରାଜବଂଶ ଓ ରାଜାଙ୍କ ପ୍ରତି ସମବେଦନା ଜଣାଇ ପତ୍ର ଲେଖିଥିଲେ । ସତେ ଯେମିତି ଶୋକ ଦିବସ !

ବିକଳ୍ପ ବିଶ୍ୱ . ୧୩