Jump to content

ପୃଷ୍ଠା:Bikalpa Biswa.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇଏ ହେଲା ପୃଥିବୀର ଦ୍ୱିତୀୟ ଅର୍ଥନୈତିକ ମହାଶକ୍ତି ଅତ୍ୟାଧୁନିକ ଜାପାନ୍‌ର ମାନସିକତା । ଇତିହାସରେ ଏଭଳି ବହୁ ଦୃଷ୍ଟାନ୍ତ ରହିଛି । ଇଂଲଣ୍ଡର ମହାରାଜା ହେନ୍‌ରି (୧୫୧୬) ପୁରୁଷ ଉତ୍ତରାଧିକାରୀ ପାଇବା ଆଶାରେ ଛଅ ଥର ବିବାହକରି ମଧ୍ୟ ବିଫଳ ହୋଇଥିଲେ । ଅବଶେଷରେ କନ୍ୟା ଏଲିଜାବେଥ୍ ରାଜସିଂହାସନରେ ବସିଥିଲେ । ତାଙ୍କରି ରାଜତ୍ୱ ସମୟରେ ବିଶ୍ୱ ବିଖ୍ୟାତ ନାଟ୍ୟକାର ଉଇଲିୟମ୍ ସେକ୍ସପିୟର ଓ ବହୁ କବି ଏବଂ କଳାକାର ଇଂଲଣ୍ଡକୁ ସଭ୍ୟତାର ଶିଖର ଦେଶରେ ପହଞ୍ଚାଇଥିଲେ । କିଛି ବର୍ଷ ତଳେ ନେପାଳରେ ଜନଆନ୍ଦୋଳନ‌ଦ୍ୱାରା ସ୍ଥିର ହୋଇଥିଲା ଯେ, ଏଣିକି ନେପାଳ ରାଜସିଂହାସନର ଉତ୍ତରାଧିକାରୀ କେବଳ ପ୍ରଥମ ରାଜପୁତ୍ର ନହୋଇ ପ୍ରଥମ ସନ୍ତାନ ହେବେ - ଝିଅ ହୁଅନ୍ତୁ ବା ପୁଅ ହୁଅନ୍ତୁ । ଅବଶ୍ୟ ଏ ମଧ୍ୟରେ ରାଜାଙ୍କ ଶାସନ ବି ଉଠିଗଲାଣି ।

ବ୍ରିଟିଶ ଶାସନକାଳରେ ଭାରତରେ ଅପୁତ୍ରିକ ରାଜାମାନଙ୍କ ରାଜ୍ୟ ‘ଇଷ୍ଟ ଇଣ୍ଡିଆ କମ୍ପାନି’ ନେଇ ଯାଉଥିବାରୁ ଏହି ରାଜାମାନେ ସିପାହୀ ବିଦ୍ରୋହରେ ଯୋଗ ଦେଇ ଦେଶର ପ୍ରଥମ ସ୍ୱାଧୀନତା ଆନ୍ଦୋଳନର ମୂଳଦୁଆ ପକାଇଥିଲେ ଏବଂ ଏପରି ସ୍ୱାର୍ଥଯୋଗୁଁ ଆନ୍ଦୋଳନ ସଫଳ ହୋଇ ପାରିଲା ନାହିଁ । ଏବେ ବି ଦେଶରେ ବିଶେଷ କରି ରାଜସ୍ଥାନରେ କେତେକ ଗାଁ ଅଛି ଯେଉଁଠିକୁ ଗତ ଦେଢ଼ଶହ ବର୍ଷ ହେଲା ବରଯାତ୍ରୀ ଆସିନାହାନ୍ତି ବୋଲି ଲୋକେ ଗର୍ବରେ ଛାତି ଫୁଲାଇ କହନ୍ତି । ଏହାର ଅର୍ଥ ହେଲା ଏ ଗାଁରେ ଜନ୍ମିତ ବା ଜନ୍ମ ଅପେକ୍ଷାରେ ଥିବା କନ୍ୟାଭ୍ରୂଣ ହତ୍ୟା କ୍ରମାଗତ ଚାଲିଛି । ଯେଉଁ ଦେଶ ଲକ୍ଷ୍ମୀ, ପାର୍ବତୀ ଓ ସରସ୍ୱତୀଙ୍କୁ ସୃଷ୍ଟିର ତ୍ରିଶକ୍ତି ଭାବରେ ପୂଜାକରେ ଏବଂ ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ ଓ ମନ୍ଦୋଦରୀ - ଏହି ପଞ୍ଚକନ୍ୟାଙ୍କୁ ନିତ୍ୟ ସ୍ମରଣ କଲେ ମହାପାତକ ନାଶ ହୁଏ ବୋଲି ବିଶ୍ୱାସ କରେ, ସେ ଦେଶରେ ଏପରି କନ୍ୟା ବିରୋଧୀ ଭାବଧାରା କିପରି ବ୍ୟାପିଗଲା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।

ଭାରତରେ ଗତ ଶହେ ବର୍ଷ ମଧ୍ୟରେ ପୁତ୍ର କନ୍ୟାଙ୍କ ଜନ୍ମ ଅନୁପାତକୁ ଦେଖିଲେ ଏ ସମ୍ପର୍କରେ ଅନୁମାନ କରିହେବ । ୧୯୦୧ ମସିହା ଜନଗଣନାରୁ ଜଣାଯାଏ ଯେ ସେହି ବର୍ଷ ପ୍ରତି ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ଥିଲା ୯୭୨ । ଶହେ ବର୍ଷ ପରେ ୨୦୦୧ ଜନଗଣନା ରିପୋର୍ଟ ଅନୁସାରେ କନ୍ୟା ଜନ୍ମ ସଂଖ୍ୟା ୯୭୨ ରୁ ହ୍ରାସପାଇ ୯୩୩ରେ ପହଞ୍ଚିଲାଣି । ଏହାର ଫଳାଫଳ ସ୍ୱରୂପ ହଜାରେ ବିବାହଯୋଗ୍ୟ ପୁରୁଷଙ୍କ ମଧ୍ୟରୁ ୬୭ ଜଣଙ୍କୁ ଅବିବାହିତ ରହିବାକୁ ପଡ଼ିବ । ହରିଆନା, ପଞ୍ଜାବ ଓ ଗୁଜୁରାଟ ଭଳି ଉନ୍ନତ ରାଜ୍ୟମାନଙ୍କରେ ପୁତ୍ର-କନ୍ୟା ଜନ୍ମ ହାର ଆହୁରି ହ୍ରାସ ପାଇଛି ।

୧୪ . ବିକଳ୍ପ ବିଶ୍ୱ