ପୃଷ୍ଠା:Bikalpa Biswa.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହରିଆନାରେ ଏହି ହାର ଏବେ ୮୭୦ । ପଞ୍ଜାବର ଭାତିନ୍ଦା ଜିଲ୍ଲାର ଜିଡ଼ା ଗ୍ରାମରେ ଭାରତର ସବୁ ଅଞ୍ଚଳଠାରୁ କମ୍ କନ୍ୟା ଜନ୍ମ ହୋଇଛନ୍ତି । ଅନୁପାତ ହେଲା ପ୍ରତି ହଜାରେ ପୁଅରେ ୭୪୩ ଝିଅ । ଅର୍ଥାତ୍ ଏ ଅଞ୍ଚଳରେ ପ୍ରତି ହଜାରେ ପୁଅଙ୍କ ମଧ୍ୟରୁ ୨୫୭ ପୁଅ ବାହା ହୋଇପାରିବେ ନାହିଁ । ଓଡ଼ିଶାର ଅବସ୍ଥା ସର୍ବଭାରତୀୟ ତୁଳନାରେ ଭଲ ଥିଲେ ମଧ୍ୟ ଏଠାରେ ପ୍ରତି ହଜାରେ ପୁଅ ମଧ୍ୟରୁ ୨୮ ଜଣଙ୍କୁ କନ୍ୟା ମିଳିବେ ନାହିଁ । କେବଳ ରାଜ୍ୟର ଅନୁନ୍ନତ ଓ ଆଦିବାସୀ ଅଞ୍ଚଳରେ କନ୍ୟାମାନେ ଏ ପର୍ଯ୍ୟନ୍ତ ହତ୍ୟାକାରୀଙ୍କଠାରୁ ଦୂରରେ ଅଛନ୍ତି । ଏ ପର୍ଯ୍ୟନ୍ତ କନ୍ଧମାଳରେ ପ୍ରତି ହଜାରେ ପୁଅରେ ୧୦୦୮ ଝିଅ, ନୂଆପଡାରେ ୧୦୦୬, କଳାହାଣ୍ଡିରେ ୧୦୦୦, କୋରାପୁଟରେ ୯୯୮, ମାଲକାନଗିରିରେ ୯୯୬ ଓ ନବରଙ୍ଗପୁରରେ ୧୦୦୨ ଝିଅ ଅଛନ୍ତି । କିନ୍ତୁ ସବୁଠାରୁ ସାକ୍ଷର ଜିଲ୍ଲା ଖୋର୍ଦ୍ଧାରେ ପ୍ରତି ହଜାରେ ପୁଅରେ ୯୦୧ ଝିଅ ଅଛନ୍ତି ।

କନ୍ୟା ଭ୍ରୂଣ ହତ୍ୟା କରିଥିବା ବରପିତାମାନେ ଏବେ ସଙ୍କଟରେ ପଡ଼ିଲେଣି । ନିଜ ଜାତିରେ କନ୍ୟା ଅଭାବ ଫଳରେ ବାଡୁଅ ପୁଅଙ୍କପାଇଁ ଏମାନେ କନ୍ୟା ଖୋଜି ଖୋଜି ବିହାର, ଝାଡ଼ଖଣ୍ଡ, ଛତିଶଗଡ ଆଦି ରାଜ୍ୟରେ ବୁଲୁଛନ୍ତି । କନ୍ୟାପିତାମାନଙ୍କୁ ଯୌତୁକ ଯାଚୁଛନ୍ତି ଓ ନାନା ପ୍ରଲୋଭନ ଦେଖାଉଛନ୍ତି । ଯେଉଁ ଝିଅମାନେ ରାଜିହୋଇ ଯାଉଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଏହି ପୁରୁଷପ୍ରଧାନ ରାଜ୍ୟର ଚାଲିଚଳଣି ଓ ବ୍ୟବହାର ସହିତ ଖାପଖୁଆଇ ଚଳି ନ ପାରିବାରୁ ଅତ୍ୟାଚାରିତ ହୋଇ ଲୁଚି ପଳାଇ ଆସୁଛନ୍ତି ।

ଏହି ସମସ୍ୟା କେବଳ ଭାରତରେ ନୁହେଁ । ପୁତ୍ର ପ୍ରେମୀ ଓ କନ୍ୟାଦ୍ରୋହୀ ସମାଜ ମଧ୍ୟରେ ପଡେ଼ାଶୀ, ସାମ୍ୟବାଦୀ ଚୀନ୍ ଅନ୍ୟତମ । ଟାଇମ୍‌ସ ନିଉଜ୍ ନେଟ୍‌ୱାର୍କ (୧୫.୦୮.୨୦୦୭) ରିପୋର୍ଟ ଅନୁସାରେ ୨୦୨୦ ମସିହା ବେଳକୁ ଚୀନ୍‌ରେ ୨୫୦ ଲକ୍ଷ ଯୁବକ ବାହା ହୋଇ ନ ପାରି ବାଡୁଅ ରହିବେ । ପୁତ୍ର କନ୍ୟା ଜନ୍ମ ଅନୁପାତରେ ଦ୍ରୁତ ହ୍ରାସ ଫଳରେ ଏପରି ଅବସ୍ଥା ସୃଷ୍ଟି ହେବ । ଚୀନ୍ ସରକାରଙ୍କ ‘ଏକ ସନ୍ତାନ ପରିବାର’ ନୀତି ଜବରଦସ୍ତ ଲାଗୁ କରାଯାଉଥିବାରୁ ବହୁ ପରିବାର ପ୍ରଥମ କନ୍ୟା ଜନ୍ମ ସମ୍ଭାବନାକୁ ଗର୍ଭପାତ‌ଦ୍ୱାରା ନଷ୍ଟ କରି ଦେଉଛନ୍ତି । ଏହା ଫଳରେ ଗ୍ରାମାଞ୍ଚଳରେ ରହୁଥିବା କୃଷକମାନେ ପୁଅପାଇଁ ବୋହୂ ଖୋଜିବା ଉଦ୍ଦେଶ୍ୟରେ ପଡେ଼ାଶୀ କାମ୍ବୋଡ଼ିଆ, ଉତ୍ତରକୋରିଆ ଆଦି ଦେଶକୁ ଯାଇ ଅଜସ୍ର ଅର୍ଥ ବ୍ୟୟ କରି କନ୍ୟା ଆଣୁଛନ୍ତି । ପୃଥିବୀରେ ପ୍ରତି ୧୦୭ ପୁଅପାଇଁ ୧୦୦ ଝିଅ ଥିଲା ବେଳେ ଚୀନ୍‌ରେ ୧୦୦ ଝିଅଙ୍କପାଇଁ ୧୧୯ ଜଣ ପୁଅ ଅଛନ୍ତି । ଏବେ ବେଜିଂ ବିଶ୍ୱବିଦ୍ୟାଳୟର ଜନସଂଖ୍ୟା ଗବେଷକ ମୁ ଗ୍ୱାଙ୍ଗଝଙ୍ଗ୍ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ ନୀତି ନିୟାମକ ପରିଷଦରେ

ବିକଳ୍ପ ବିଶ୍ୱ . ୧୫