ପୃଷ୍ଠା:Bikalpa Biswa.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏ ସମ୍ପର୍କରେ ତାଙ୍କର ଉ‌ଦ୍‌ବେଗ ପ୍ରକାଶ କରିବା ସହ ଦେଶକୁ ସତର୍କ କରାଇଛନ୍ତି ।

କନ୍ୟା ଭ୍ରୂଣ ହତ୍ୟା ବା ଗର୍ଭପାତ, ମହିଳା ଶିଶୁ ଜନ୍ମହାର ହ୍ରାସର ଏକମାତ୍ର କାରଣ ନୁହେଁ । ଶିଶୁ କନ୍ୟାଙ୍କପାଇଁ ପୁଷ୍ଟିକର ଖାଦ୍ୟ ନ ମିଳିବା, ଠିକ୍ ସମୟରେ ଟିକା ନ ନେବା, ଅଳ୍ପ ବୟସରେ ବିବାହ, ପ୍ରସବ ଓ ତଦ୍‌ଜନିତ ମୃତ୍ୟୁ ଇତ୍ୟାଦି ଅନେକ କାରଣ ରହିଛି । ସବ୍-ସାହାରା ଆଫ୍ରିକାକୁ ଛାଡ଼ିଦେଲେ ଭାରତରେ ମାତୃ ମୃତ୍ୟୁହାର ପୃଥିବୀରେ ସବୁଠାରୁ ଅଧିକ । ଏଠାରେ ପ୍ରତି ଲକ୍ଷେ ପ୍ରସୂତିଙ୍କ ମଧ୍ୟରୁ ୩୫୮ ଜଣ ମୃତ୍ୟୁ ମୁଖରେ ପଡ଼ିଥାଆନ୍ତି । ୨୦୦୫ ମସିହାରେ ପ୍ରକାଶିତ ‘ସୋସିଆଲ୍ ୱାଚ୍’ ରିପୋର୍ଟ ଅନୁସାରେ ଭାରତରେ ପ୍ରତବିର୍ଷ ଜନ୍ମଲାଭ କରୁଥିବା ୧୫୦ ଲକ୍ଷ ଶିଶୁକନ୍ୟାଙ୍କ ମଧ୍ୟରୁ ଏକଚତୁର୍ଥାଂଶ ନିଜର ପଞ୍ଚଦଶ ଜନ୍ମିଦିବସ ପର୍ଯ୍ୟନ୍ତ ବଞ୍ଚି ରହିପାରନ୍ତି ନାହିଁ ।

କନ୍ୟାଦ୍ରୋହ ମଫସଲ ଅପେକ୍ଷା ସହରରେ ଅଧିକ, ନିରକ୍ଷରଙ୍କ ଅପେକ୍ଷା ତଥାକଥିତ ଶିକ୍ଷିତ ଓ ସାକ୍ଷର ସମାଜରେ ଅଧିକ, ଗରିବଙ୍କ ଅପେକ୍ଷା ଧନୀକଙ୍କ ମଧ୍ୟରେ ଅଧିକ । ଗତବର୍ଷ ଭାରତର ସବୁଠାରୁ ଧନୀ ଓ ଶିକ୍ଷିତ ନଗରୀ ବମ୍ବେରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଏହି ନଗରୀରେ ଘଟିଥିବା ଆଠ ହଜାର ଗର୍ଭପାତ ମଧ୍ୟରୁ ସାତହଜାର ନଅ ଶହ ଅନେଶତ ହେଉଛି କନ୍ୟା ଗର୍ଭପାତ । ଓଡ଼ିଶାର ସବୁଠାରୁ ସାକ୍ଷର ଓ ଶିକ୍ଷିତ ଜିଲ୍ଲା ମାନଙ୍କରେ କନ୍ୟାଙ୍କ ସଂଖ୍ୟା କମ୍ । ଏହାର କାରଣ ସ୍ପଷ୍ଟ ।

କନ୍ୟା ଭ୍ରୂଣ ହତ୍ୟାକୁ ଭାରତ ସରକାର ବେଆଇନ୍ ଘୋଷଣା କରିଛନ୍ତି ଏବଂ ଯେଉଁସବୁ ମେଡ଼ିକାଲ୍ କ୍ଲିନିକ୍‌ରେ ଡାକ୍ତରମାନେ ଅଧିକ ଅର୍ଥ ଲାଳସାରେ ଏହି “ମୃତ୍ୟୁବ୍ୟବସାୟ”ରେ ଲିପ୍ତ, ସେମାନଙ୍କୁ ଧରପଗଡ଼ କରୁଛନ୍ତି । କିନ୍ତୁ ଏହାର ପ୍ରକୃତ ସମାଧାନ ଆମ ସମାଜର ମାନସିକତାରେ ପରିବର୍ତ୍ତନ‌ଦ୍ୱାରା ହୋଇପାରିବ । କନ୍ୟା ଭ୍ରୂଣ ହତ୍ୟା ଏକ ଦେଶଦ୍ରୋହ ଏବଂ ଏହାଦ୍ୱାରା କ୍ରମେ ମାନବ ସମାଜ ଧ୍ୱଂସ ପାଇଯିବ । ଏହା ମାନବ ଜାତି ବିରୁଦ୍ଧରେ ଅପରାଧ । ଏହା ବିରୁଦ୍ଧରେ ସ୍ୱେଚ୍ଛାସେବୀ ସଂସ୍ଥା ଓ ଚିନ୍ତାଶୀଳ ବ୍ୟକ୍ତିମାନେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ । ରାଜନୈତିକ ଦଳମାନେ ସେମାନଙ୍କର ନିର୍ବାଚନ ପ୍ରଚାରରେ ଏହାକୁ ସାମିଲ୍ କରନ୍ତୁ । ଧର୍ମାଧିକାରୀମାନେ ଏହାକୁ ଖୋଲାଖୋଲି ନିନ୍ଦା କରନ୍ତୁ ।

ସବୁଠାରୁ କମ୍ ଶିଶୁକନ୍ୟା ଥିବା ପଞ୍ଜାବର ଜିଡା ଗ୍ରାମ ପଞ୍ଚାୟତରେ ଏହି ପ୍ରକ୍ରିୟା ଆରମ୍ଭ ହେଲାଣି । ଏହି ଅଞ୍ଚଳରେ ଥିବା ଗୁରୁଦ୍ୱାରମାନେ କନ୍ୟା ଭ୍ରୂଣ ହତ୍ୟାକୁ ପାପ ଓ ଧର୍ମବିରୋଧୀ ବୋଲି ଘୋଷଣା କରିଛନ୍ତି ଏବଂ ଶିଖ୍ ସମ୍ପ୍ରଦାୟକୁ ଏ ପାପରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ପଶ୍ଚିମ ଉତ୍ତରପ୍ରଦେଶର ଜାଠ ଓ ଗୁଜ୍ଜର ସମ୍ପ୍ରଦାୟର

୧୬ ବିକଳ୍ପ ବିଶ୍ୱ