ପୃଷ୍ଠା:Bikalpa Biswa.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋକେ ଏକାଠି ହୋଇ ତାଙ୍କ ମହାପଞ୍ଚାୟତରେ ନିଷ୍ପତ୍ତି ନେଇଛନ୍ତି ଯେ, ଏଣିକି ଏହି ସମ୍ପ୍ରଦାୟର ଯେଉଁ ପରିବାର କନ୍ୟା ଭ୍ରୂଣ ହତ୍ୟା କରିବେ ତାଙ୍କୁ ସାମାଜିକ ବାସନ୍ଦ କରାଯିବ । ଏକଦା କୃଷକ ଆନ୍ଦୋଳନର କର୍ଣ୍ଣଧାର ଚୌଧୁରୀ ମହେନ୍ଦ୍ର ସିଂ ଟିକାୟତ ଏହାର ନେତୃତ୍ୱ ନେଇଛନ୍ତି । ଆଇନ୍, ସଚେତନତା ଓ ସକ୍ରିୟ ଜନଆନ୍ଦୋଳନ ଜରିଆରେ ହିଁ ଏହି ସାମାଜିକ ବ୍ୟାଧିର ଉପଚାର କରିହେବ । ହରିଆନାର ବାହା ନ ହୋଇପାରୁଥିବା ଯୁବକମାନେ ଗଢିଲେଣି “କୁଆଁରା ସଙ୍ଘ” ଓ ୨୦୦୯ ବିଧାନସଭା ନିର୍ବାଚନରେ ପ୍ରତିଯୋଗିତା କରୁଥିବା ପ୍ରାର୍ଥୀଙ୍କ ନିକଟରେ, ଭୋଟ୍ ବଳରେ ବାହା କରେଇଦିଅ ବୋଲି ଦାବି କଲେଣି - ସ୍ଲୋଗାନ୍ ହେଲା ‘ବହୂ ଦିଲାଓ, ଭୋଟ୍ ପାଓ’ । ଏ ରାଜ୍ୟର ପ୍ରାୟ ପ୍ରତ୍ୟେକ ପଞ୍ଚାୟତରେ ୫୦୦ରୁ ଅଧିକ ବିବାହଯୋଗ୍ୟ ପୁଅଙ୍କପାଇଁ ଝିଅ ମିଳୁନାହାନ୍ତି । (ଟାଇମ୍ସ ଅଫ୍ ଇଣ୍ଡିଆ-୨୬/୦୯/୨୦୦୯) । ଗୁଜୁରାଟର ମେହସାନା ଅଞ୍ଚଳରେ ୧୦୦୦ ପୁଅରେ ଝିଅଙ୍କ ସଂଖ୍ୟା ୭୯୮ । ପ୍ରଭାବୀ ଓ ଧନୀ ପଟେଲ୍‌ମାନେ ଏବେ ଆଦିବାସୀ, ଦଳିତ ପରିବାରରୁ କନ୍ୟା ଆଣି ବିବାହ କରାଉଛନ୍ତି । ଏଠାରେ ଆଉ ଗୋଟିଏ ପରମ୍ପରାର ନାଁ ‘ସଟ୍ଟା’ - ମାନେ ନିଜ ଘର ଝିଅ ଦେଲେ ଅନ୍ୟ ଘରୁ ଝିଅ ଆଣିପାରିବ, ନହେଲେ ପୁଅ ରହିବ ଅବିବାହିତ । ତଥାପି କନ୍ୟା ଭ୍ରୂଣ ହତ୍ୟା ଚାଲୁ ରହିଛି । ନିଦ ଭାଙ୍ଗି ନାହିଁ ।

ଆମ ଡାକ୍ତର ଭାଇ ଭଉଣୀମାନେ ସକ୍ରେଟିସ ଶପଥ ନେଲା ବେଳେ କନ୍ୟା ଭ୍ରୂଣ ହତ୍ୟା କରିବେ ନାହିଁ ବୋଲି ଶପଥ ନିଅନ୍ତୁ । ଯେଉଁମାନେ ଏହା ସତ୍ତ୍ୱେ ଏ ଅଭ୍ୟାସ ଛାଡୁ ନାହାନ୍ତି, ତାଙ୍କ ମେଡିକାଲ ଡିଗ୍ରୀ ଓ ସାର୍ଟିଫିକେଟକୁ ଅବୈଧ ଘୋଷଣା କରି ପ୍ରତ୍ୟାହାର କରାଯାଉ । କନ୍ୟା ଭ୍ରୂଣ ହତ୍ୟା, ମାତୃ ହତ୍ୟା ସହ ସମାନ । ବିଭିନ୍ନ ଧର୍ମ, ସମ୍ପ୍ରଦାୟର ଗୁରୁ, ଜଗଦ୍‌ଗୁରୁମାନେ ଏହି ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ ।

୭ ଡିସେମ୍ବର, ୨୦୦୬

ବିକଳ୍ପ ବିଶ୍ୱ ୧୭