ପୃଷ୍ଠା:Bikalpa Biswa.pdf/୧୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିରୋଧ ବା କଣ୍ଟ୍ରାସେପ୍ଟିଭ୍ ବ୍ୟବହାର ଅନିଚ୍ଛାକୃତ ଗର୍ଭନିରୋଧ କରିବା ସଙ୍ଗେ ସଙ୍ଗେ ସ୍ୱାଧୀନ, ଉଚ୍ଛୃଙ୍ଖଳ ଯୌନ ସମ୍ପର୍କପାଇଁ ମଧ୍ୟ ପ୍ରେରଣା ଦେଉଛି । ଅନେକ ଦେଶର ଯୌନ ଶିକ୍ଷା ବା ସେକ୍ସ ଏଜୁକେସନ‌କୁ ରିପ୍ରଡକ୍ଟିଭ୍ ହେଲ୍‌ଥ ଏଜୁକେସନ୍ କୁହାଯାଏ ।

ଏହିସବୁ ସମସ୍ୟାକୁ ସାମନା କରିବାର ବେଳ ଆସିଛି । ‘ଯୌନ ଶିକ୍ଷା’ ଶବ୍ଦ ଦୁଇଟି ଏବେ ବିବାଦୀୟ ହୋଇ ପଡ଼ିଲାଣି । ଏହା ପ୍ରକୃତରେ ସୁସ୍ଥ ପାରିବାରିକ ଜୀବନପାଇଁ ଶିକ୍ଷା । ବ୍ରହ୍ମଚର୍ଯ୍ୟ ମଧ୍ୟ ଏକ ଯୌନ ଶିକ୍ଷା, ଗାର୍ହସ୍ଥ୍ୟପାଇଁ ମଧ୍ୟ ଯୌନ ଶିକ୍ଷା ଆବଶ୍ୟକ । ୧୯୯୪ ମସିହାରେ “ଜନସଂଖ୍ୟା ଓ ପ୍ରଗତି” ସମ୍ପର୍କରେ କାଇରୋ ଠାରେ ଅନୁଷ୍ଠିତ ବିଶ୍ୱ ସମ୍ମିଳନୀରେ ଯୋଗ ଦେଇଥିବା ୧୭୯ଟି ଦେଶ କିଶୋର ଓ କିଶୋରୀଙ୍କପାଇଁ ଯୌନ ଓ ପ୍ରଜନନ ଶିକ୍ଷା ପ୍ରବର୍ତ୍ତନପାଇଁ ସର୍ବସମ୍ମତି କ୍ରମେ ସୁପାରିଶ କରିଥିଲେ । ଏହି ଶିକ୍ଷା ସବୁ ପିଲାଙ୍କପାଇଁ ଏକ ପ୍ରକାର ନୁହେଁ । ଶିଶୁମାନଙ୍କପାଇଁ ଯୌନାଙ୍ଗ ସ୍ୱାସ୍ଥ୍ୟରକ୍ଷା ହେଉଛି ଯୌନ ଶିକ୍ଷା, ବିବାହିତଙ୍କପାଇଁ ଗର୍ଭଧାରଣ, ପ୍ରସବ, ପ୍ରଜନନ, ସ୍ୱାସ୍ଥ୍ୟରକ୍ଷା ହେଲା ଯୌନ ଶିକ୍ଷା । ଯୌନ ଶିକ୍ଷାପାଇଁ କରିକୁଲମ୍ ବା ଶିକ୍ଷା ଖସଡ଼ା ତିଆରି ବେଳେ ବାପା, ମାଙ୍କୁ ବିଶ୍ୱାସକୁ ନେବା ଦରକାର, ସେମାନଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ଏହା ବାରମ୍ବାର ପ୍ରମାଣିତ ହୋଇ ସାରିଲାଣି ଯେ ଯେଉଁ ଦେଶ ବା ରାଜ୍ୟରେ ସୁଚିନ୍ତିତ ଯୌନ ଶିକ୍ଷା ପ୍ରବର୍ତ୍ତନ କରାଯାଇଛି, ସେଠାରେ କିଶୋର କିଶୋରୀଙ୍କର ଯୌନ ସ୍ୱାସ୍ଥ୍ୟ ଅନ୍ୟମାନଙ୍କ ଅପେକ୍ଷା ଭଲ । ଭାରତରେ କରାଯାଇଥିବା ଆଉ ଏକ ଅଧ୍ୟୟନରୁ ଜଣାପଡେ, ଆମ ଦେଶର ଅଧିକାଂଶ କିଶୋର କିଶୋରୀ ଯୌନ ଶିକ୍ଷା ଓ ଯୌନ ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ ଜାଣିବାକୁ ଚାହାନ୍ତି । ଏଥିପାଇଁ ପିତା ମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଗ ଯୌନ ସ୍ୱାସ୍ଥ୍ୟ ଓ ଶିକ୍ଷା ପରିସରକୁ ଆଣିବାକୁ ପଡ଼ିବ । କିନ୍ତୁ ଏଥିପାଇଁ ପାଶ୍ଚାତ୍ୟ ପଦ୍ଧତିର ଅନ୍ଧ ଅନୁସରଣର ଆବଶ୍ୟକତା ନାହିଁ ।

୨୮ ଜୁନ୍, ୨୦୦୭

୧୫୮ ବିକଳ୍ପ ବିଶ୍ୱ