ପୃଷ୍ଠା:Bikalpa Biswa.pdf/୧୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହା ଫଳରେ ଦେଖାଗଲା ଯେ ଅଫିସର ଓ କର୍ମଚାରୀମାନେ ଅଫିସ୍ ଛାଡ଼ି ବାହାରେ ଚା, ଜଳଖିଆ, ଲଞ୍ଚ ଖାଇବାକୁ ଓ ମସ୍‌ଜିଦ୍ ଯାଇ ପ୍ରାର୍ଥନା କରିବାକୁ ପସନ୍ଦ କଲେ ନାହିଁ । ଏହାଦ୍ୱାରା ସରକାର ଓ ସାଧାରଣ ଜନତା ବି ଉପକୃତ ହେଲେ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ଏହା ଶସ୍ତା ପଡ଼ିଲା । କାରଣ ମାଗଣା ଚା ଓ ମଧ୍ୟାହ୍ନ ଭୋଜନ ବାବଦରେ ଯେତିକି ଖର୍ଚ୍ଚ ହେଲା, କର୍ମଚାରୀମାନଙ୍କ ଦୈନିକ ପାଞ୍ଚ ଥର ଅନୁପସ୍ଥିତି ସମୟର ମୂଲ୍ୟ ତା’ଠାରୁ ୫୦ ଗୁଣ ଅଧିକ ଥିଲା । ଭାରତରେ ବିଭିନ୍ନ ଦେଶୀ ଓ ବହୁଦେଶୀୟ କମ୍ପାନିମାନେ ଏଭଳି ବ୍ୟବସ୍ଥା କଲେଣି । ଇନ୍‌ଫୋସିସ୍, ୱିପ୍ରୋ, ଟିସିଏସ୍ ଭଳି ସଫ୍ଟୱେର କମ୍ପାନିମାନେ ନିଜ କର୍ମଚାରୀଙ୍କ କାର୍ଯ୍ୟକ୍ଷେତ୍ର ଓ ପରିବେଶକୁ ଏଭଳି ଆକର୍ଷଣୀୟ କଲେଣି ଯାହା ଫଳରେ କର୍ମଚାରୀମାନେ ଏବେ ଆବଶ୍ୟକତାଠାରୁ ଅଧିକ ସମୟ ଅଫିସ୍‌ରେ କଟାଇବାକୁ ଚାହୁଁଛନ୍ତି ।

ଓଡ଼ିଶାର ସେକ୍ରେଟାରିଏଟ୍ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତି ରୋକିବାପାଇଁ ଆକର୍ଷଣୀୟ ପରିବେଶ ସୃଷ୍ଟି କରିବା ସଙ୍ଗେସଙ୍ଗେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବାକୁ ହେବ । ବଡ଼ବାବୁମାନେ ଯେଉଁ ଆଦର୍ଶ ଦେଖାଇବେ, ସାନବାବୁମାନେ ସେଇ ବାଟରେ ଚାଲିବାକୁ ଅନୁପ୍ରାଣିତ ହେବେ । ଲଞ୍ଚ୍ ବାକ୍ସ ଧରି ଅଫିସ୍ ଆସିବା ଅଭ୍ୟାସ କରିବାକୁ ପଡ଼ିବ । ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ ବଡ଼ ବାବୁମାନେ ଏପରିକି ମନ୍ତ୍ରୀମାନେ ନିଜ ଲଞ୍ଚ୍ ସାଙ୍ଗରେ ନେଇ ଆସନ୍ତି । ଲାଲକୃଷ୍ଣ ଆଡ଼ଭାନୀ ମନ୍ତ୍ରୀ ଥିଲା ବେଳେ ନିଜ ଲଞ୍ଚ୍ ଡବା ହାତରେ ଧରି ଆସୁଥିବା ମୁଁ ନିଜେ ଦେଖିଛି । ମଧୁ ଦଣ୍ଡବତେ, ଜର୍ଜ ଫର୍ଣ୍ଣାଡିଜ୍, ମନମୋହନ ସିଂ ଲଞ୍ଚ୍‌ପାଇଁ ଘରକୁ ଯାଆନ୍ତି ନାହିଁ । ଓଡ଼ିଶା ବିଧାନସଭାର ମାନ୍ୟବର ସଭ୍ୟମାନେ ନିଜ ତରଫରୁ ମଧ୍ୟାହ୍ନ ଭୋଜନ ବିରତିକୁ ଦୁଇଘଣ୍ଟାରୁ କାଟି ଏକ ଘଣ୍ଟାରେ ସୀମିତ ରଖିବାପାଇଁ ଦେଇଥିବା ପ୍ରସ୍ତାବ ସ୍ୱାଗତଯୋଗ୍ୟ ଏବଂ ଏକ ଶୁଭଲକ୍ଷଣ ।

ଜୁଲାଇ, ୨୦୦୭

୧୬୨ ବିକଳ୍ପ ବିଶ୍ୱ