ପୃଷ୍ଠା:Bikalpa Biswa.pdf/୧୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୌଣସି ସୁବିଧା ନଥିଲା । ବାତ୍ୟା, ଭୂମିକମ୍ପ ବେଳେ ଲୋକେ ଭାଗ୍ୟ ଆଦରି ରହୁଥିଲେ । ତା’ସାଙ୍ଗକୁ ଦାରିଦ୍ର୍ୟ, ନିରକ୍ଷରତା ଓ ବିଭିନ୍ନ ସଂପ୍ରଦାୟ ମଧ୍ୟରେ କନ୍ଦଳ, ବିଦ୍ୱେଷ । ପଡୋଶୀ ଚୀନ୍‌ରୁ କମ୍ୟୁନିଷ୍ଟ ଆନ୍ଦୋଳନର ଅନୁପ୍ରବେଶଦ୍ୱାରା ଅଶାନ୍ତି ଲାଗି ରହୁଥିଲା । ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ରାଷ୍ଟ୍ରପତି ସୁକର୍ଣ୍ଣ ଦେଶକୁ ଏକାଠି ରଖିବାପାଇଁ ଏକ ରାଷ୍ଟ୍ରୀୟ ନୀତିବାକ୍ୟ ବା ‘ମଟ୍ଟୋ’କୁ ସମ୍ବିଧାନସ୍ୱୀକୃତ କରାଇଥିଲେ । ଏ ମଟ୍ଟୋକୁ ଇଣ୍ଡୋନେସିଆ ଭାଷାରେ କହନ୍ତି “ଭିନେକା ତୁଙ୍ଗଳିକା” - ୟୁନିଟି ଇନ୍ ଡାଇଭର୍ସିଟି ବା ବିଭିନ୍ନତା ଓ ବିବିଧତା ମଧ୍ୟରେ ଏକତା । ଭାରତକୁ ଏକାଠି ରଖିବା ପାଇଁ ପଣ୍ଡିତ ଜବାହରଲାଲ୍ ନେହେରୁ ମଧ୍ୟ ଏହି ଖଣ୍ଡ ବାକ୍ୟ ବାରମ୍ବାର ବ୍ୟବହାର କରୁଥିଲେ । ଏହାପରେ ପରେ ଇଣ୍ଡୋନେସିଆରେ ଆଉ ଏକ ଲୋକପ୍ରିୟ ସ୍ଲୋଗାନ୍ ହେଲା - “ସାତୁ ବଂଶା, ସାତୁ ବାହାଷା, ସାତୁ ଶୋ ।” ‘ସାତୁ’ ମାନେ ଏକ । ଅର୍ଥାତ୍ ଆମେ ସବୁ ଗୋଟିଏ ବଂଶର ଲୋକ, ଆମର ଗୋଟିଏ ଭାଷା ଏବଂ ତେର ହଜାର ଦ୍ୱୀପରେ ବିଭକ୍ତ ହୋଇ ରହିଲେ ମଧ୍ୟ ଆମେ ସବୁ ଗୋଟିଏ ଦେଶର ଲୋକ । ଏ ଦେଶର ସୌଭାଗ୍ୟ ଯେ ପ୍ରାୟ ସବୁ ଲୋକ ଗୋଟିଏ ଭାଷା କହନ୍ତି । ଭାରତ ଭଳି ଏତେ ପ୍ରକାର ଭାଷା ନାହିଁ; ତେଣୁ ଭାଷାଭିତ୍ତିକ ଆନ୍ଦୋଳନର ନାହିଁ । ଗୋଟିଏ ଭାଷାର ସୂତାରେ ସମସ୍ତେ ବନ୍ଧା ।

ଭାରତ ଭଳି ଇଣ୍ଡୋନେସିଆର ସମସ୍ୟା ଅନେକ । ବିଚ୍ଛିନ୍ନତାବାଦ, ଆତଙ୍କବାଦ, ସାମ୍ପ୍ରଦାୟିକ ଦଙ୍ଗା, ଭୌଗୋଳିକ ସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି । ୧୯୬୫ ମସିହାରେ ଦେଶ ଭିତରେ କମ୍ୟୁନିଷ୍ଟ ଆନ୍ଦୋଳନରେ ପ୍ରାୟ ଦଶ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଚାଇନିଜ୍ ଓ ମାଲେଙ୍କ ମଧ୍ୟରେ କ୍ରମାଗତ କଳହ, ମୁସଲମାନ ଓ ଖ୍ରୀଷ୍ଟିୟାନ୍‌ଙ୍କ ମଧ୍ୟରେ ବିବାଦ, ଚରମ ଓ ନରମପନ୍ଥୀଙ୍କ ମଧ୍ୟରେ ଝଗଡ଼ା ଏବଂ ଖ୍ରୀଷ୍ଟିୟାନ୍ ବହୁଳ ଇଷ୍ଟ ଟିମୁର ଅଲଗା ହୋଇଯିବା ସତ୍ତ୍ୱେ ଇଣ୍ଡୋନେସୀୟମାନେ ଏକାଠି ରହିଛନ୍ତି । “ସାତୁ ବଂଶା, ସାତୁ ବାହାଷା, ସାତୁ ଶୋ”କୁ ଏକ ରାଷ୍ଟ୍ରୀୟ ଏକତା ଓ ଦର୍ଶନର ରୂପ ନେବାପାଇଁ ଚେଷ୍ଟା ଜାରି ରହିଛି । କାରଣ କେବଳ ସ୍ଲୋଗାନଦ୍ୱାରା ଦେଶ ଏକାଠି ରହିପାରେ ନାହିଁ ।

ସମ୍ବାଦ ସ୍ୱନକ୍ଷତ୍ର, ୨୦୦୭