ପୃଷ୍ଠା:Bikalpa Biswa.pdf/୨୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିଛିବର୍ଷ ପୂର୍ବେ ନେଲ୍‌ସନ୍ ମାଣ୍ଡେଲାଙ୍କ ଦେଶ ଦକ୍ଷିଣ ଆଫ୍ରିକା ଯାଇଥିଲି । ରାସ୍ତାରେ ଯାଉ ଯାଉ ଏକ ଅସ୍ୱାଭାବିକ ଶବ୍ଦ କାନରେ ବାଜିଲା । କୌତୂହଳବଶତଃ ଏହି ଶବ୍ଦ ଅନ୍ୱେଷଣରେ କିଛି ବାଟ ଗଲା ପରେ ଦେଖିଲି ଜ୍ୱର ପୀଡ଼ିତ ଜଣେ ମହିଳାଙ୍କ ଚାରିପଟେ ଚାରିଜଣ ଗୁଣିଆ ବେଢ଼ିଯାଇ ଜୁଲୁ ଭାଷାରେ କ’ଣ ସବୁ ମନ୍ତ୍ର ପଢ଼ି ଜ୍ୱର ଛଡ଼ାଇବାପାଇଁ ତାଙ୍କ ଉପରକୁ ଟେକା ପଥର ପକାଉଛନ୍ତି । ଗାଇଡ୍‌ଙ୍କୁ ପଚାରିବାରୁ କହିଲେ, ଏ ମହିଳାଙ୍କ ଦେହରେ ଭୂତ ପ୍ରବେଶ କରିବାରୁ ଜ୍ୱର ଛାଡ଼ୁନାହିଁ । ପୃଥିବୀରେ ଅନେକ ଦେଶରେ ପୁରୁଷଙ୍କ ଅପେକ୍ଷା ନାରୀମାନେ ଏହି କାରଣରୁ ନିର୍ଯ୍ୟାତିତ ହେଉଛନ୍ତି । ଭାରତରେ ଗତ ୨୦ ବର୍ଷ ଭିତରେ ପ୍ରାୟ ୩୦୦୦ ମହିଳାଙ୍କୁ ଡାହାଣୀ କହି ମାରି ଦିଆଯାଇଛି ।

ତାନ୍ତ୍ରିକଙ୍କ ଅତ୍ୟାଚାର ଓ ମିଥ୍ୟାଚାର ସବୁଠୁ ଅଧିକ । ଦୁର୍ବଳମନା ବ୍ୟକ୍ତି, ଦୁଃଖୀ ଓ କ୍ଷମତାଲୋଭୀମାନେ ଏହାର ଶିକାର ହୋଇଥାନ୍ତି । ଏମାନଙ୍କ ମନରେ ପ୍ରଥମେ କାଳ୍ପନିକ ଶତ୍ରୁ ସୃଷ୍ଟି କରାଯାଏ ଓ ତାପରେ ସେହି ଶତ୍ରୁଙ୍କ ମୁଣ୍ଡ ବାଳ, ଶାଢ଼ି ଧଡ଼ି ଇତ୍ୟାଦି କାଟି ଆଣି ଯଜ୍ଞ ଓ ପୂଜାପାଠ କରାଇ ତାଙ୍କୁ ବିନାଶ କରିବାକୁ କୁହାଯାଏ । ଏହିପରି ଅଲୌକିକ ଭାବେ ଶକ୍ତିମାନ ବ୍ୟକ୍ତିଙ୍କୁ ଧରି ଆମ ସୀମାନ୍ତରେ ଥିବା ଶତ୍ରୁ ନାଶ କାମରେ ଲଗାଇଲେ ଭଲ ହୁଅନ୍ତା ! ପନ୍ଦର ଲକ୍ଷ ସେନା, ଅସ୍ତ୍ରଶସ୍ତ୍ର ଦରକାର ପଡ଼ନ୍ତା ନାହିଁ କିମ୍ବା ଆତଙ୍କବାଦୀ ଅଧ୍ୟୁଷିତ ଅଞ୍ଚଳକୁ ପଠାଇ ଦେଲେ ଏମାନେ ତନ୍ତ୍ର ମନ୍ତ୍ର, ଗୁଣି ଗାରେଡିାଦ୍ୱାରା ସେମାନଙ୍କୁ ବଶ କରି ଦିଅନ୍ତେ ! ଖ୍ୟାତନାମା ଅଭିନେତ୍ରୀ ଶାବନା ଆଜମୀ ଥରେ ଜୁମା ମସ୍‌ଜିଦର ଶାହୀ ଇମାମ୍‌ଙ୍କୁ ଆଫଗାନିସ୍ଥାନରେ ତାଲିବାନ୍‌ମାନଙ୍କୁ ବଶ କରିବାକୁ ସେଠାକୁ ପଠାଯାଉ ବୋଲି କହି ବିବାଦୀୟ ହୋଇ ପଡ଼ିଥିଲେ । ଆମ ଦେଶରେ ସତ କହିବାପାଇଁ ସାହସ ଥିବା ଲୋକଙ୍କ ସଂଖ୍ୟା କମ୍ ।

ଏକଥା ବାରମ୍ବାର ପ୍ରମାଣିତ ହୋଇ ସାରିଲାଣି ଯେ ଅନ୍ଧବିଶ୍ୱାସ ଏକ ମାନସିକ ବିକାର । ଅଲୌକିକ ଶକ୍ତି ଦାବି କରୁଥବା ବ୍ୟକ୍ତିମାନେ ସ୍ୱୟଂ ମାନସିକ ବିକୃତି ସମ୍ପନ୍ନ । ଏ ଦାବି ସହ ଆଧ୍ୟାତ୍ମିକତାର କୌଣସି ସମ୍ପର୍କ ନାହିଁ । ଆମର ଜ୍ଞାନ ଅଭାବରୁ କୁହୁକ ବିଦ୍ୟା, ଯାଦୁବିଦ୍ୟା, ଭୋଜବାଜୀ ଦେଖି ଆଶ୍ଚର୍ଯ୍ୟ ଲାଗେ । ପ୍ରାଚ୍ୟ-ପାଶ୍ଚାତ୍ୟ ନିର୍ବିଶେଷରେ ଏହା ବିଜ୍ଞ ଓ ଅଜ୍ଞ ଉଭୟଙ୍କୁ ପ୍ରଭାବିତ କରିଥାଏ । ତାରଣ, ମାରଣ, ମୋହନ, ସ୍ତମ୍ଭନ, ଉଚ୍ଚାଟନ, ବଶୀକରଣ ଆଦି କାର୍ଯ୍ୟ ପ୍ରଥମେ ପ୍ରାଚୀନ ପାରସ୍ୟ ଓ ବେବିଲୋନର ଏକ ଗୋଷ୍ଠୀରେ ସୀମିତ ଥିଲା । ପରେ ଏହା ବିଭିନ୍ନ ଧର୍ମରେ ପ୍ରବେଶ କଲା ଏବଂ ପ୍ରାଚୀନ ଚିକିତ୍ସା ଶାସ୍ତ୍ରର ଅଙ୍ଗ ହୋଇଗଲା ।

୨୩୨ ବିକଳ୍ପ ବିଶ୍ୱ