ପୃଷ୍ଠା:Bikalpa Biswa.pdf/୨୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ପରିବାର କଲ୍ୟାଣ ମନ୍ତ୍ରୀ କରାଇଲେ । ତାଙ୍କ ପାର୍ଟିରେ କେବଳ ଦୁଇଜଣ ଯୋଗ୍ୟ ବ୍ୟକ୍ତି ଅଛନ୍ତି - ବାପ ଓ ପୁଅ । କାଶ୍ମୀରରେ ଶେଖ ଅବଦୁଲା, ଫାରୁକ୍ ଅବଦୁଲା, ଓମର୍ ଅବଦୁଲା, ମୁଫ୍‌ତି ସୟିଦ୍ ଓ ମେହବୁବା ମୁଫ୍‌ତି ଏହି ପରମ୍ପରାର ଓ ଧୃତରାଷ୍ଟ୍ରବାଦର ପ୍ରତୀକ ।

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ ଭାବନ୍ତି ଯେ କର୍ଣ୍ଣାଟକରେ ସୁପୁତ୍ର କୁମାରସ୍ୱାମୀଙ୍କ ଛଡ଼ା ମୁଖ୍ୟମନ୍ତ୍ରୀ ହେବାକୁ ଆଉ ଯୋଗ୍ୟ ବ୍ୟକ୍ତି ନାହାନ୍ତି । ଲାଲୁପ୍ରସାଦ ଯାଦବ ଜେଲ୍ ଯିବା ଆଗରୁ ନିଜ ସ୍ତ୍ରୀ ରାବଡ଼ି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦେଇଥିଲେ । ଶରଦ ପାୱାର ନିଜ ଝିଅକୁ ପଠାଇଲେ ରାଜ୍ୟସଭାକୁ । ବଂଶ ଶାସନ ବିରୁଦ୍ଧରେ ଗଳା ଫଟାଇ ଚିତ୍କାର କରୁଥିବା ଶିବସେନା ଅଧ୍ୟକ୍ଷ ବାଲ୍ ଥାକ୍ରେ ପୁତ୍ର ଉଦ୍ଧବଙ୍କୁ ଦଳର ମୁଖ୍ୟ ଘୋଷଣା କରିବାରୁ ଖପ୍ପା ହୋଇ ପୁତୁରା ରାଜ ଥାକ୍ରେ ଗଢିଲେ ଆଉ ଏକ ଦଳ । ହରିଆନାରେ ପିତା ଦେବୀଲାଲ୍, ଭଜନଲାଲ୍ ଓ ବଂଶୀଲାଲ୍ ନିଜ ପିଲାମାନଙ୍କୁ ଏମ୍ଏଲ୍ଏ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କରିବାରେ ସଫଳ ହୋଇଥିଲେ । ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଲଙ୍କ ପୁତ୍ରପ୍ରେମ ସମସ୍ତଙ୍କୁ ଜଣା । ସେ ମୁଖ୍ୟମନ୍ତ୍ରୀ ଓ ପୁଅ ଉପମୁଖ୍ୟମନ୍ତ୍ରୀ । କେରଳରେ ଡ.କରୁଣାକରନ୍ ନିଜ ପୁତ୍ରମଣିଙ୍କୁ ମନ୍ତ୍ରୀ କରି ନ ପାରିବାରୁ ଦଳ ଛାଡ଼ି ଚାଲିଗଲେ । ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଜବାଦୀ ଓ ଲୋହିଆଙ୍କ ଚେଲା ମୁଲାୟମ ସିଂହ ଯାଦବଙ୍କ ଅତ୍ୟଧିକ ପୁତ୍ର ଓ ଜାତିପ୍ରେମ ନିର୍ବାଚନରେ ହାରିଯିବାର ଅନ୍ୟ ଏକ କାରଣ ଥିଲା । ପୁଅକୁ ଟିକଟ ନ ମିଳିବାରୁ କଲ୍ୟାଣ ସିଂ ବିଜେପି ଛାଡ଼ି ଚାଲିଗଲେ । ଛତିଶ ଗଡ଼ରେ ଅଜିତ୍ ଯୋଗୀଙ୍କର “ଅମିତ୍” ପ୍ରେମଯୋଗୁଁ ଳ ବଦନାମ ହେଲା । ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ୧୦୦ଟି ରାଜନୈତିକ ପରିବାର ୨୫୦ଟି ସ୍ଥାନରେ ଲଢ଼ିଥିବାରୁ ଏହାକୁ ପୃଥିବୀର ସବୁଠାରୁ ବଡ ଫ୍ୟାମିଲି ସୋ ବୋଲି କୁହାଯାଉଥିଲା । ବାପ-ଝିଅ-ପୁଅ-ମା, ଭଣଜା, ପୁତୁରା, ଝିଆରୀ, ଶଳା, ଜୁଆଁଇ, ଶ୍ୱଶୁରମାନେ ମିଶି ଭାରତୀୟ ରାଜନୈତିକ ଦଳମାନଙ୍କୁ ଅକ୍ତିଆର କରିନେଲେଣି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ପୁଅକୁ ଉତ୍ତରାଧିକାରୀ କରିବାପାଇଁ ଅନୁଗାମୀମାନଙ୍କ ଚେଷ୍ଟା ଜାରୀ ରହିଛି ।

ଆମ ପଡୋଶୀ ଦେଶମାନଙ୍କରେ ବି ଧୃତରାଷ୍ଟ୍ରଙ୍କର ବହୁ ଅନୁଗାମୀ ଅଛନ୍ତି । ନେପାଳ ରାଜା ଜ୍ଞାନେନ୍ଦ୍ରଙ୍କର ଅଯୋଗ୍ୟ ପୁତ୍ର ପାରଶ୍‌ଙ୍କ ପ୍ରତି ଅତ୍ୟନ୍ତ ଅନ୍ଧ-ପ୍ରେମ ଓ ବଡ଼ଭାଇଙ୍କର ସାରା ପରିବାରକୁ ହତ୍ୟାର ଅଭିଯୋଗ ଏବେ ତାଙ୍କୁ ଦେଶର ସବୁଠାରୁ

ବିକଳ୍ପ ବିଶ୍ୱ ୨୮୫