ପୃଷ୍ଠା:Bikalpa Biswa.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲେଖକୀୟ...

ସମାଜ, ଜୀବନ, ପରିବର୍ତ୍ତନ ଓ ବିକାଶଧାରାଠାରୁ ବଳି ରୋମାଞ୍ଚକର କାହାଣୀ ନାହିଁ । ପୃଥିବୀର ଅର୍ଦ୍ଧାଧିକ ଦେଶ, ସେମାନଙ୍କର ବିକାଶ ଓ ପରିବର୍ତ୍ତନ ପ୍ରକ୍ରିୟା ଏବଂ ବିଶ୍ୱ ସମ୍ମିଳନୀ ଦେଖି ଆସିଲା ପରେ ମୋ ଦେଶ ଓ ରାଜ୍ୟର ସମସ୍ୟାଗୁଡିକୁ ଜାଣିବା, ବୁଝିବା ଓ ସମାଧାନ ସୂତ୍ର ଖୋଜିବା ପାଇଁ ନୂଆ ଉନ୍ମାଦନା ସୃଷ୍ଟି ହେଲା ମନରେ । ଆଗରୁ ଇଂରାଜୀରେ ଲେଖୁଥିଲି । ଭାବିଲି ନିଜ ଚିନ୍ତା ଓ ଅନୁଭୂତିକୁ ଏଥର ସରଳ ଓଡ଼ିଆରେ ସମସ୍ତଙ୍କ ସାମନାରେ ରଖିବି । ଲେଖା ମାଧ୍ୟମରେ ପାଠକମାନଙ୍କୁ ଦେଖାକରିବି । ମନକଥା କହିବି । ଏଥିପାଇଁ ସମ୍ପୂର୍ଣ୍ଣ ସହଯୋଗ ଓ ଉତ୍ସାହ ମିଳିଲା ‘ସମ୍ବାଦ’ର ସମ୍ପାଦକ, ବିଦ୍ୱାନ୍ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ଓ ସୁଲେଖକ, ସାଥୀ ଶ୍ରୀ ଗୌରହରି ଦାସଙ୍କଠାରୁ । ସ୍ତମ୍ଭଟିର ନାମ ରଖାଗଲା “ବିକଳ୍ପ ବିଶ୍ୱ” । ପ୍ରଥମ ଲେଖାଟିର ନାଁ ଥିଲା “କନ୍ୟା ମିଳିବେ ନାହିଁ ” । ପାଠକଙ୍କଠାରୁ ମିଳିଲା ଅଜସ୍ର ପ୍ରେରଣା । “ବିକଳ୍ପ ବିଶ୍ୱ” ସ୍ତମ୍ଭର ତିନି ବର୍ଷ ପୂରିଗଲା ପରେ ଲେଖାଗୁଡିକୁ ସଂକଳନ କରି ଛାପିବା ପାଇଁ ବାରମ୍ବାର ଦାବି ଲାଗି ରହିଲା । ଆଜିର ଏହି ପୁସ୍ତକଟି ସେହି ବିଦ‌ଗ୍‌ଧ ପାଠକମାନଙ୍କ ପ୍ରତି ଉତ୍ସର୍ଗୀକୃତ । ଲେଖାଗୁଡିକ କ୍ରମାନ୍ୱୟରେ ସମକାଳୀନ ସାମାଜିକ ସମସ୍ୟା ଉପରେ ଆଧାରିତ ଥିବାରୁ ସ୍ଥାନେ ସ୍ଥାନେ ଚର୍ବିତଚର୍ବଣ ଭଳି ଲାଗିପାରେ, କାରଣ ବିକାଶ ପ୍ରକ୍ରିୟାରେ ଗୋଟିଏ ଗୋଟିଏ ସମସ୍ୟା ବାରମ୍ବାର ମୁଣ୍ଡ ଟେକିଥାଏ ଏବଂ ବେଳେବେଳେ ମନ୍ତବ୍ୟ ଓ ସମୀକ୍ଷାକୁ ଦୋହରାଇବାକୁ ପଡ଼େ ।

ମୋର ଧର୍ମପତ୍ନୀ ବିନୋଦିନୀ ଦେବୀ, ଯୁବ ବନ୍ଧୁ ମଧୁସୂଦନ, ପୁଷ୍ପାଞ୍ଜଳି, ସିଦ୍ଧାର୍ଥ ମହାପାତ୍ର, ଅସିତ ମହାନ୍ତି, ପୁଷ୍ପମିତ୍ର ମହାନ୍ତି ଓ ଶିଶିର ସାହୁଙ୍କୁ ମଧ୍ୟ ସହଯୋଗ ପାଇଁ ଆନ୍ତରିକ ଧନ୍ୟବାଦ ।

ଭଗବାନପ୍ରକାଶ