ପୃଷ୍ଠା:Bikalpa Biswa.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୂମିକା

ପ୍ରଫେସର ରାଧାମୋହନଙ୍କ କଲମରୁ...

ରାତିସାରା ଦେହଜୀବୀଙ୍କ ସହ ସମୟ କଟେଇ ସକାଳେ ମୁହଁକୁ ଦର୍ପଣରେ ଦେଖିଲେ ଯେମିତି ଦେଖାଯିବ ଠିକ୍ ସେଭଳି ଆମ ସମାଜର ଚିତ୍ରଟି ସମାଜର ଦର୍ପଣ ଅର୍ଥାତ୍ ‘ଖବରକାଗଜ’ରେ ଦେଖାଯାଉଛି । ସକାଳୁ ସକାଳୁ ଆଗ୍ରହରେ ଖବରକାଗଜଟି ଗୋଟେଇ ଆଣି ଆଖି ପକେଇଲେ ଆମେ କ’ଣ ଦେଖୁ, କ’ଣ ପଢ଼ୁ? ପଇସା ଖର୍ଚ୍ଚକରି ମନପାଇଁ ଏସବୁ ଖାଦ୍ୟ କାହିିଁକି ଯୋଗାଡ଼ କରିବି ? ପୁଣି ନିଶାସକ୍ତ ବ୍ୟକ୍ତି ଯେପରି ତା’ର ନିଶା ସମୟ ଗଡ଼ିଗଲେ ବ୍ୟସ୍ତ ହୋଇପଡ଼େ, ଠିକ୍ ସେଭଳି ଖବରକାଗଜ ଦେବାବେଳ ଗଡ଼ିଗଲେ ବ୍ୟସ୍ତ ଲାଗେ ଓ କେତେଥର କାଗଜ ଦେଲାଣି କି ନାହିଁ ଦେଖିବାକୁ ହୁଏ । ତେଣୁ ଯେମିତି ସବୁ ନିଶା ବର୍ଜନୀୟ ଏ ଖବରକାଗଜ ନିଶାକୁ ମଧ୍ୟ ଛାଡ଼ିବାକୁ ହେବ । ଏ ଯୁକ୍ତିରେ ବାରିପଦାରେ ଥିଲାବେଳେ ୧୯୬୯ ମସିହାରେ ଖବରକାଗଜ ପଢ଼ା ବନ୍ଦ କରିଦେଇଥିଲି । କିନ୍ତୁ ଠିକ୍ ଯେମତି ନିଶାସକ୍ତ ନିଶା ଛାଡ଼ିବାର ଶପଥ ନେଇ ପୁଣି ଭାଂଗିିଦିଏ, ଠିକ୍ ସେଇଭଳି ବର୍ଷକ ପରେ କାଗଜ ପଢ଼ା ଆରମ୍ଭ କଲି । ୨୦୦୭ ମସିହାରେ ପୁରୁଣା ଯୁକ୍ତିକୁ ନେଇ ଖବରକାଗଜ ପଢ଼ିବି ନାହିଁ ବୋଲି ଠିକ୍ କଲି । ଏଥର ଅବଶ୍ୟ ଆଉ ଗୋଟିଏ ଅଧିକ ଯୁକ୍ତି ଯୋଡ଼ା ହୋଇଥିଲା । ତାହା ଥିଲା ଖବରକାଗଜରେ ଅନେକ ଅଦରକାରୀ, କ୍ଷତିକାରକ ଓ ଦାମୀ ଜିନିଷର ବିଜ୍ଞାପନ ଦିଆଯାଏ ଏବଂ ସେଗୁଡ଼ିକୁ ନ କିଣିଲେ ବା ବ୍ୟବହାର ନ କଲେ ମଣିଷ ବର୍ତ୍ତମାନ ସମାଜରେ ତାଳେଇ ଚାଲିପାରିବ ନାହିଁ ବୋଲି ଏକ ଦୃଢ଼ ଭ୍ରମ ସୃଷ୍ଟି କରାଯାଏ । ଏଭଳି ଭ୍ରାନ୍ତ ପ୍ରଲୋଭନରୁ ମୁକ୍ତ ରହିବା ଆଉ ଗୋଟିଏ ଉଦ୍ଦେଶ୍ୟ ଥିଲା ।

କିନ୍ତୁ ନିଶାସକ୍ତ ବ୍ୟକ୍ତି ନିଶା ଛାଡ଼ିବାପାଇଁ ବାରମ୍ବାର ନିଷ୍ପତ୍ତି ନେଇ ପୁଣି ନିଶାର କବଳରେ ପଡ଼ିବା ଭଳି ପୁଣି ଖବରକାଗଜ ପଢ଼ିବା ଆରମ୍ଭ କଲି । ଏଥର ଅବଶ୍ୟ ବର୍ଷେ ନହୋଇ ଦେଢ଼ବର୍ଷ ଖବରକାଗଜ ନିଶାରୁ ମୁକ୍ତ ରହିଥିଲି । ଏଥର ଖବରକାଗଜ ନପଢ଼ିବା ନିଷ୍ପତ୍ତି ପୁଣି ବଳେଇବାର କାରଣ ଅଲଗା ଥିଲା । କାରଣ ହେଲା, ଡକ୍ଟର ଭଗବାନ ପ୍ରକାଶଙ୍କର ‘ସମ୍ବାଦ’ରେ ‘ବିକଳ୍ପ ବିଶ୍ୱ’ ସ୍ତମ୍ଭର ଉଚ୍ଚକୋଟୀର ଲେଖାଗୁଡ଼ିକ ।