ପୃଷ୍ଠା:Bikalpa Biswa.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାହାରେ ଲୋକମାନେ କହିଲେ- ଆପଣ ଭଗବାନ ପ୍ରକାଶଙ୍କର ଅମୁକ ଲେଖାଟି ପଢ଼ିଛନ୍ତି ? ଘରେ ପିଲାମାନେ କହିଲେ- ଆଉ କିଛି ନପଢ଼ ପଛେ, କିନ୍ତୁ ସଂପାଦକୀୟ ପୃଷ୍ଠାର ଭଗବାନ ପ୍ରକାଶଙ୍କର ଲେଖାଟିକୁ ପଢ଼ । ତେଣୁ ସେ ଲେଖାଗୁଡ଼ିକ ପଢ଼ିବା ଆରମ୍ଭ କଲି ଏବଂ ଠିକ୍ ଯେପରି ପ୍ରେମର ପରିଣତି ପ୍ରେଗ୍‌ନାନ୍‌ସି, ଠିକ୍ ସେପରି ଭଗବାନବାବୁଙ୍କର ଲେଖାରୁ ଆରମ୍ଭ କରି ବର୍ତ୍ତମାନ ପୂରା ଖବରକାଗଜଟି ପଢ଼ିବାକୁ ହେଲା ।

ବୁଦ୍ଧିଜୀବୀମାନଙ୍କ ବିଷୟରେ ଗୋଟିଏ କଥା ବାରମ୍ବାର ଶୁଣୁ । ତାହା ହେଲା, ବର୍ତ୍ତମାନର ସମାଜ ଯେତେବେଳେ ବି ଭିନ୍ନ, ସଂକଟମୟ ମୁହୂର୍ତ୍ତ ଦେଇ ଗତି କରୁଛି, ସେତେବେଳେ ସେମାନେ ନୀରବ ରହୁଛନ୍ତି । ‘କାଦୁଅକୁ ଯିବା କାହିଁକି ଗୋଡ଼ ଧୋଇବା କାହିଁକି’ ନ୍ୟାୟରେ ନୀରବତା ଶ୍ରେୟସ୍କର ବୋଲି ବର୍ତ୍ତମାନ ବୁଦ୍ଧିଜୀବୀମାନେ ଧରିନେଇଛନ୍ତି- ଏଭଳି ଧାରଣା ସମାଜରେ ମୋଟାମୋଟି ରହିଛି । ଭଗବାନ ପ୍ରକାଶ ତାଙ୍କର ବଳିଷ୍ଠ ଲେଖାଗୁଡ଼ିକ ମାଧ୍ୟମରେ ଏପରି ଧାରଣା ଯେ ଭୁଲ୍ ତାହା ପ୍ରମାଣିତ କରିଛନ୍ତି । ବିଦ୍ୟାଳୟରେ ଯୌନସ୍ୱାସ୍ଥ୍ୟ ଶିକ୍ଷାର ଆବଶ୍ୟକତା ବିଷୟରେ ହେଉ ବା ଆମ ସମାଜରେ କନ୍ୟା ଭ୍ରୂଣ ହତ୍ୟା ହେଉ- ଏସବୁ ଜଟିଳ, ସ୍ପର୍ଶକାତର ବିଷୟ ଉତ୍‌ଥାପନ କରିବା ଓ ସେଥିରେ ନିଜର ସ୍ପଷ୍ଟ ମତ ପ୍ରକାଶ କରିବାରେ ସେ ଆଦୌ କୁଣ୍ଠା ପ୍ରକାଶ କରି ନାହାନ୍ତି । କାରଣ ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟରେ ସେ ଆଦୌ ବିଶ୍ୱାସ କରନ୍ତିନି ।

ଏ ସ୍ତମ୍ଭରେ ଧର୍ମାନ୍ତରୀକରଣ ଓ କନ୍ଧମାଳ ପ୍ରସଙ୍ଗ ଭଳି କେତେକ ଅତି ସମ୍ବେଦନଶୀଳ ବିଷୟରେ ନିଜ ମତକୁ ସ୍ପଷ୍ଟ ଓ ଦୃଢ଼ ଭାବରେ ଉତ୍‌ଥାପନ କରି ସେ ଅନେକ ସମାଲୋଚନା ଓ କଟୂକ୍ତିର ଶରବ୍ୟ ହୋଇଛନ୍ତି । 'ଦୁଃଖ ସୁଖର ମାପଦଣ୍ଡ’ ବା ‘ଜନସଂଖ୍ୟା ନା ଜନଶକ୍ତି’ ଭଳି ଲେଖା ଜରିଆରେ ଆମ ମନରେ ଥିବା ଚିରାଚରିତ ବିଚାରଧାରାଗୁଡ଼ିକୁ ସେ ଦୋହଲାଇ ଦେଇଛନ୍ତି ।

ବଳଶାଳୀ ଓ ପ୍ରଭାବଶାଳୀ ଅର୍ଥନୀତି ଓ ସଂସ୍କୃତିର ପ୍ରଭାବରେ ପୃଥିବୀର ଦୁର୍ବଳ ଓ ସଂଖ୍ୟାନ୍ୟୂନ ସଂପ୍ରଦାୟମାନଙ୍କର ଭାଷା, ସଂସ୍କୃତି, ଆଚାର-ବ୍ୟବହାର ସବୁ କିପରି ମଳିନ ପଡ଼ିଯାଉଛନ୍ତି ଏବଂ ଶେଷରେ ବିଲୁପ୍ତ ହୋଇଯାଉଛନ୍ତି, ସେ ତାର ସୁନ୍ଦର ଆଲେଖ୍ୟ ରଖିଛନ୍ତି ‘ଭାଷା ଭାସି ଯାଉଛି’ ପ୍ରବନ୍ଧଟିରେ । ‘ଉତ୍ତପ୍ତ ଧରିତ୍ରୀ ଓ ପାଗ ପରିବର୍ତ୍ତନ’ ପ୍ରବନ୍ଧଟି ମଧ୍ୟ ବେଶ୍ ସମୟୋପଯୋଗୀ ହୋଇଛି । ଏଥିରେ ଆମର ବର୍ତ୍ତମାନର ଚଳଣି ଚାଲୁ ରହିଲେ ଓ ବ୍ୟକ୍ତିଗତ ସ୍ତରରେ ଆମର ଦୈନନ୍ଦିନ ଅଭ୍ୟାସରେ