ପୃଷ୍ଠା:Bikalpa Biswa.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିବର୍ତ୍ତନ ନ ହେଲେ, ପୃଥିବୀର ପ୍ରାଣୀ ଓ ଉଦ୍‌ଭିଦ ଜଗତ ପ୍ରତି ଏବଂ ବିଶେଷଭାବେ ଭାରତ ତଥା ଆଫ୍ରିକା ଭଳି ଅନୁନ୍ନତ ଅଞ୍ଚଳପାଇଁ ଘୋର ବିପଦ ସଂପର୍କରେ ସେ ସତର୍କ କରାଇଦେଇଛନ୍ତି ।

ଆମର ପରିବାରକୁ “ବିଶ୍ୱର କ୍ଷୁଦ୍ରତମ ଗଣତନ୍ତ୍ର” ଆଖ୍ୟା ଦେଇ ବର୍ତ୍ତମାନ ବିଭିନ୍ନ କାରଣରୁ କିପରି ପାରିବାରିକ ଜୀବନ ବିପର୍ଯ୍ୟସ୍ତ ତଥା ରୋଗଗ୍ରସ୍ତ ହୋଇପଡ଼ିଲାଣି ଏବଂ ତା’ ଫଳରେ ମଣିଷଜାତିର ଭବିଷ୍ୟତ କିପରି ବିପଦାପନ୍ନ ହେବାକୁ ବସିଲାଣି, ସେ ସଂପର୍କରେ ଆମକୁ ସଚେତନ ତଥା ସତର୍କ କରାଇ ଦେଇଛନ୍ତି ଲେଖକ । ସେମିତି ମଧ୍ୟ ନାଗରିକସମାଜକୁ ସେ ତୃତୀୟ ମହାଶକ୍ତି ଓ ଚତୁର୍ଥ ବିଶ୍ୱ ଆଖ୍ୟା ଦେଇଛନ୍ତି ।

ଘୃଣ୍ୟ ପଶୁବଳି ଓ ଅନାବଶ୍ୟକ ସଂହାରର କୁପ୍ରଭାବ ସଂପର୍କରେ ଚମତ୍କାର ଭାବେ ‘ମଣିଷକୁ ସାବଧାନ’ ପ୍ରବନ୍ଧରେ ଲେଖକ ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିଭଳି ‘ସଭ୍ୟଜଗତର ଅସଭ୍ୟ ଲୋକେ’ ଓ ‘ହେ ପ୍ରଭୁ ଏମାନଙ୍କୁ କ୍ଷମା କରିିଦିଅନ୍ତୁ’ ପ୍ରବନ୍ଧରେ ଶ୍ରୀମନ୍ଦିରରେ ପଣ୍ଡା-ପୂଜକମାନଙ୍କର ଅତି ଅଶାଳୀନ ଓ ଅଭଦ୍ର ଆଚରଣ, ସମାଜ ତଥା ଧର୍ମ ବଡ଼ପଣ୍ଡାମାନଙ୍କର ଅନୁଚିତ ମୂଲ୍ୟବୋଧ ଓ ତା’ର ଭୟାନକ ପରିଣତି ସଂପର୍କରେ ସ୍ପଷ୍ଟ ତଥା ନିର୍ଭୀକଭାବେ ନିଜସ୍ୱ ମତ ଓ ସମୀକ୍ଷା ଭଗବାନବାବୁ ଉତ୍‌ଥାପିତ କରିଛନ୍ତି । ‘କୂପ ମଣ୍ଡୂକ ଓ ସମୁଦ୍ର ବେଙ୍ଗ’ ପ୍ରବନ୍ଧରେ ସଂକୀର୍ଣ୍ଣ ଧର୍ମାନ୍ଧତା ଓ ତାର ପରିଣତି ଏବଂ ଧର୍ମ ସଂପର୍କରେ ଏକ ଉଦାର ଓ ବ୍ୟାପକ ଚେତନାର ଆବଶ୍ୟକତା ସଂପର୍କରେ ଲେଖକ ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି ବାରମ୍ବାର ଓ ନିର୍ଭୀକ ଭାବରେ ।

‘ପୃଥୁଳ ପୃଥିବୀ’ ଓ ‘ଦାରିଦ୍ର୍ୟ ମ୍ୟୁଜିୟମ୍‌କୁ ଯାଉ’ ଦୁଇଟି ପ୍ରବନ୍ଧରେ ସ୍ତମ୍ଭକାର ଏକ ଦିଗରେ ଅତି ଓ ଅନାବଶ୍ୟକ ଭୋଜନ କରି କିପରି ଉଭୟ ବିକାଶଶୀଳ ଓ ବିକଶିତ ରାଷ୍ଟ୍ରମାନଙ୍କରେ କେତେ ଲୋକ ପୃଥୁଳ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଅପରପକ୍ଷରେ ଅଖାଦ୍ୟ ତଥା ଅପପୁଷ୍ଟି ଯୋଗୁଁ କିପରି ଅକାଳରେ ଅନେକ ଜୀବନହାନି ଘଟୁଛି, ସେ ସଂପର୍କରେ ଅତି ସରଳ ତଥା ସୁନ୍ଦରଭାବେ ଆମ ଆଗରେ ଏକ ଚିତ୍ର ରଖିଛନ୍ତି ।

‘ନୀତିହୀନ ରାଜନୀତି’, ‘ମରିବା ଅଧିକାର, ଇଚ୍ଛାମୃତ୍ୟୁ ଓ ଆତ୍ମହତ୍ୟା’, ‘ଧର୍ମ ମୋହମୁକ୍ତ ମାନବୀୟ ସମାଜ ସପକ୍ଷରେ’ ଭଳି ପ୍ରବନ୍ଧଗୁଡ଼ିକରେ ଆଲୋଚନା ଯେପରି ଗାମ୍ଭୀର୍ଯ୍ୟପୂର୍ଣ୍ଣ ହୋଇଛି, ‘ସୁପ୍ରିମ୍ କୋର୍ଟ ଓ ଇଡ଼ିୟଟ୍’, ‘ଆଳୁକୁ ଅନ୍ତର୍ଜାତୀୟ ସ୍ୱୀକୃତି ଓ ସମ୍ମାନ’, ‘ଶ୍ରୀମାନ୍ ଟୟଲେଟ୍’, ‘କପଡ଼ା କମ୍-ଚମଡ଼ା ବେଶୀ’ ଭଳି ପ୍ରବନ୍ଧଗୁଡ଼ିକ ସେପରି ସରସ ଓ ସାବଲୀଳ ହୋଇଛି ।