ପୃଷ୍ଠା:Bikalpa Biswa.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁଁ ଯେତିକି ଜାଣେ ଓ ଭଗବାନବାବୁଙ୍କଠୁଁ ଯାହା ଶୁଣିଛି, ତାଙ୍କର କେତେକ ଲେଖା ବହୁତ ବିବାଦୀୟ ହୋଇପଡ଼ିଛି ଏବଂ ତାଙ୍କର ପ୍ରବନ୍ଧ ମାଧ୍ୟମରେ ଅନେକ ପରିଚିତି ଓ ବନ୍ଧୁ ସୃଷ୍ଟି ହେବା ସହ କେତେକ ଶତ୍ରୁ ମଧ୍ୟ ସୃଷ୍ଟି ହୋଇଛନ୍ତି । କେତେକ ଲେଖାପାଇଁ ଚିଠି, ଟେଲିଫୋନ୍ ଓ ଇ-ମେଲ୍ ଜରିଆରେ ଭର୍ତ୍ସନା ମଧ୍ୟ କରାଯାଇଛି । ତେଣୁ ସେ ଅଜାତଶତ୍ରୁ ହୋଇ ରହିପାରି ନାହାନ୍ତି । ଜଣେ ଅଜାତଶତ୍ରୁ ବା କାହିଁକି ହେବ ? ମାଛିକି ମ ନ କହିଲେ ହିଁ ଶତ୍ରୁ ବାହାରିବେ ନାହିଁ, କିନ୍ତୁ ଜଣେ ଯି ସମାଜ ପ୍ରତି ଦରଦୀ ଓ ସମ୍ବେନଶୀଳ ହେବ ଏବଂ ମଣିଷଜାତିର ଭବିଷ୍ୟତ ବିଷୟରେ ଚିନ୍ତା କରିବ, ତେବେ ଅନେକ ପ୍ରଶ୍ନ ଉପରେ ନିଜର ସ୍ୱାଧୀନ ବକ୍ତବ୍ୟକୁ ନିର୍ଭୀକ ଓ ସ୍ପଷ୍ଟଭାବେ ରଖିବାକୁ ହେବ । ଜଣେ ସଚ୍ଚା ବୁଦ୍ଧିବାଦୀର ତାହା ହିଁ କର୍ତ୍ତବ୍ୟ । ଗାନ୍ଧୀ, ଗୋପବନ୍ଧୁ, ବୁଦ୍ଧ ଓ ଯୀଶୁ- ଏମାନଙ୍କର ତ ଶତ୍ରୁ କମ୍ ନ ଥିଲେ ! ତେଣୁ ଜଣଙ୍କର ନାଁ ଅଜାତଶତ୍ରୁ ହୋଇପାରେ, କିନ୍ତୁ ଅଜାତଶ୍ରତ୍ରୁ ହୋଇ ରହିବା ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅନୁଚିତ ହେବ ।

ଏ ସଂକଳନର ପ୍ରବନ୍ଧଗୁଡ଼ିକର ଆଉ ଏକ ବିଶେଷତ୍ୱ ହେଲା ଯେ ଲେଖକ ନିଜସ୍ୱ ମତାମତ ଦେବା ସହ ଯାହା ଗବେଷଣା ଆବଶ୍ୟକ, ସେ ଗବେଷଣା କରି ପ୍ରବନ୍ଧଗୁଡ଼ିକୁ ତଥ୍ୟ ଓ ପରିସଂଖ୍ୟାନଭିତ୍ତିକ କରିଛନ୍ତି; ଅଥଚ ପରିସଂଖ୍ୟାନ ବା ହିସାବକିତାବ ଦେଇ ପ୍ରବନ୍ଧଗୁଡ଼ିକୁ ଅଯଥା ଭାରାକ୍ରାନ୍ତ କରିନାହାନ୍ତି । ଅନେକ ଲେଖାରେ ଗାଁ, ସହର, ଦେଶ, ବିଦେଶ ଏବଂ ବିଶ୍ୱର ସମସ୍ୟା ଓ ଚିତ୍ରକୁ ଗୋଟିଏ ଜାଗାରେ ରଖିପାରିଛନ୍ତି । ସେଥିପାଇଁ ଲେଖାଗୁଡ଼ିକ ଶିକ୍ଷଣୀୟ ଓ ସୁଖପାଠ୍ୟ ହୋଇଛି ଏବଂ ବିଭିନ୍ନ ବର୍ଗର ପାଠକମାନଙ୍କଦ୍ୱାରା ବେଶ୍ ଆଦୃତ ହୋଇପାରିଛି । ଏହାଦ୍ୱାରା ‘ସମ୍ବାଦ’ର ଲୋକପ୍ରିୟତା ବି ବଢ଼ିଛି ।

ମୋର ଓଡ଼ିଆ ସାହିତ୍ୟରେ ବିଶେଷ ପ୍ରଭାବ ନାହିଁ । କିନ୍ତୁ ଖବରକାଗଜମାନଙ୍କରେ ସଦ୍ୟପ୍ରକାଶିତ ପୁସ୍ତକମାନଙ୍କର ଆଲୋଚନାରୁ ଜଣାପଡେ଼ ଯେ କବିତା ବା ଗଳ୍ପ ସଂକଳନ ଯେତେ ପ୍ରକାଶିତ ହେଉଛି, ସେ ତୁଳନାରେ ବିଚାର ଓ ବିକାଶଧର୍ମୀ ପ୍ରବନ୍ଧ ସଂକଳନ ପ୍ରକାଶିତ ହେଉନାହିଁ । ଫଳରେ ସାହିତ୍ୟରେ ଏକ ପ୍ରକାର ମରୁଡ଼ି ଖୋଯାଉଛି । ଗବେଷଣାତ୍ମକ, ତଥ୍ୟଭିତ୍ତିକ ଓ କାଳୋପଯୋଗୀ ପ୍ରବନ୍ଧର ଯେଉଁ ଅଭାବ ଦେଖାଯାଇଛି, ଭଗବାନ ପ୍ରକାଶଙ୍କ ଲଳିତ ପ୍ରବନ୍ଧଗୁଡ଼ିକର ଏ ସଂକଳନ ସେ ଅଭାବ ବା ଶୂନ୍ୟତାକୁ ପୂରଣ କରିବାରେ ସାହାଯ୍ୟ କରିଛି । ମୋ ଜାଣିବାରେ ଓଡ଼ିଶାରେ ନିର୍ଭରଯୋଗ୍ୟ, ତଥ୍ୟଭିତ୍ତିକ ବିକାଶ-ସାହିତ୍ୟର ଏହା ପ୍ରଥମ ପ୍ରଚେଷ୍ଟା ।

ଖବରକାଗଜର ସଂପାଦକ ଓ ପରିଚାଳନା କର୍ତ୍ତୃପକ୍ଷ ସମ୍ବାଦଟିଏ ବା ପ୍ରବନ୍ଧଟିଏ