ପୃଷ୍ଠା:Bikalpa Biswa.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଛାପିବା ପୂର୍ବରୁ ବିଭିନ୍ନ ଦିଗପ୍ରତି ସତର୍କ ଦୃଷ୍ଟି ଦେଇଥାନ୍ତି; ତା’ ନ ହେଲେ ଖବରକାଗଜ ଅଫିସ୍ ଭଂଗାରୁଜା ଓ ଖବରକାଗଜ ପୋଡ଼ି ଇତ୍ୟାଦି ହୋଇଥାଏ । ଡକ୍ଟର ଭଗବାନ ପ୍ରକାଶଙ୍କର ପ୍ରବନ୍ଧଗୁଡ଼ିକ ସମସ୍ତ ପ୍ରକାର ବଦଭ୍ୟାସ, ଅନ୍ଧବିଶ୍ୱାସ, ହୀନମନ୍ୟତା, ସଂକୀର୍ଣ୍ଣତା, ମତାନ୍ଧତା ଓ ରୁଢ଼ିବାଦ ଉପରେ ପ୍ରଚଣ୍ଡ କୁଠାରାଘାତ କରିଥିଲେ ମଧ୍ୟ ବିଭିନ୍ନ ଗୋଷ୍ଠୀର ସଂଭାବ୍ୟ ରୋଷ ପ୍ରତି ଖାତିର ନ କରି ‘ସମ୍ବାଦ’ ଖବରକାଗଜର ମୁଖ୍ୟ ସଂପାଦକ କମ୍ ଦୃଢ଼ତା ଓ ସାହସିକତାର ପରିଚୟ ଦେଇନାହାନ୍ତି । ବିଭିନ୍ନ ସମୟରେ ପ୍ରବନ୍ଧଗୁଡ଼ିକ ଲେଖି ଶେଷରେ କେବଳ ଗୋଟିଏ ବହି ଆକାରରେ ପ୍ରକାଶିତ ହେବାରୁ ଆଜି ଯେତେ ଲୋକ ‘ସମ୍ବାଦ’ ଜରିଆରେ ପଢ଼ିବାର ସୁଯୋଗ ପାଇଲେ ସେତେ ଲୋକ ନିଶ୍ଚିତଭାବେ ସୁଯୋଗ ପାଇ ପାରି ନ ଥାନ୍ତେ । ସେଥିପାଇଁ ‘ସମ୍ବାଦ’ କର୍ତ୍ତୃପକ୍ଷ ନିଶ୍ଚିତ ରୂପେ ଧନ୍ୟବାଦାର୍ହ ।

ଶେଷକଥା- ଜାତୀୟ ଆନ୍ତର୍ଜାତିକ କ୍ଷେତ୍ରରେ ଓ ଦିଲ୍ଲୀରେ ପାଖାପାଖି ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ରହିସାରିବା ପରେ ଡକ୍ଟର ଭଗବାନ ପ୍ରକାଶ ନିଜ ରାଜ୍ୟରେ ରହି କାମ କରିବାପାଇଁ ଯେତେବେଳେ ଫେରିଲେ, ସେତେବେଳେ ଦେଖିଲେ ତାଙ୍କ ପୁରୁଣା ପ୍ରି୍ୟ ଓଡ଼ିଶାର ପରିବେଶ, ପରିସର ତଥା ମୂଲ୍ୟବୋଧ ଯଥେଷ୍ଟ ବଦଳିଯାଇଛି । ସେ ଖୁବ୍ ନିଃସଙ୍ଗ ହୋଇପଡ଼ିଛନ୍ତି ଓ ବଡ଼ ଅସ୍ୱସ୍ତି ମଧ୍ୟ ଅନୁଭବ କରୁଛନ୍ତି । ଦିଲ୍ଲୀର ପୁରୁଣା ବନ୍ଧୁମାନଙ୍କ ଆକର୍ଷଣ, ସେଠାରେ ତାଙ୍କ କାମର ଆଦର ଓ ଆବଶ୍ୟକତା ଯୋଗୁଁ ମଝିରେ ମଝିରେ କିଛିିଦିନ ପାଇଁ ସେଠାକୁ ଚାଲିଯାଉଥିଲେ; କିନ୍ତୁ ‘ସମ୍ବାଦ’ରେ ତାଙ୍କର ଧାରାବାହିକ ପ୍ରବନ୍ଧଗୁଡ଼ିକ ପ୍ରକାଶିତ ହେବାପରେ ତାଙ୍କର ପରିଚିତି ଓ ବିଚାର ଏତେ ବ୍ୟାପକ ହେଲା ଏବଂ ଧୀରେଧୀରେ ସେ ଏତେ ଲୋକପ୍ରି୍ୟ ହେଲେ ଯେ କ୍ରମେ ଆନ୍ତର୍ଜାତିକ ସଂଗଠନ ତଥା ଦିଲ୍ଲୀର ସମସ୍ତ ମୋହରୁ ସେ ଏକପ୍ରକାର ମୁକ୍ତ ହୋଇଗଲେ । ତାଙ୍କର ଓଡ଼ିଶା ତଥା ଭୁବନେଶ୍ୱର ରହଣି ନିଶ୍ଚିତ ହୋଇଗଲା । ଲାଭ ସମସ୍ତଙ୍କର ହେଲା । ଆମେ ସମସ୍ତେ ଖୁସି ହେଲୁ । ‘ବିକଳ୍ପ ବିଶ୍ୱ’ର ବିଚାର ଆହୁରି ଉଜ୍ଜ୍ୱଳ ତଥା ବ୍ୟାପକ ହେଲା ।

ପ୍ରଫେସର ରାଧାମୋହନ