ପୃଷ୍ଠା:Bikalpa Biswa.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍କୁଲରେ ପହଞ୍ଚିବ ? ପଛ ସିଟ୍‌ରେ ବସିଥିବା ମାତ୍ର ଜଣେ ଛାତ୍ର ହାତ ଟେକିଲେ ଓ ପଚାରିବାରୁ କହିଲେ ମୁଁ ସ୍କୁଲ ଆଡକୁ ମୁହଁ ନ କରି ଘର ଆଡକୁ ମୁହଁ କରି ପଛୁଆ ଚାଲିଲେ ସ୍କୁଲରେ ପହଞ୍ଚିବି । ଗତ ଏକ ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଯେଉଁ ଅଶାନ୍ତି ଲାଗି ରହିଛି ତା’ର ଏକ ମୁଖ୍ୟ କାରଣ ହେଲା ମିଥ୍ୟା ପ୍ରମାଣ ପତ୍ର ଜରିଆରେ ସମାଜର ସବୁଠାରୁ ପଛୁଆବର୍ଗ ଆଦିବାସୀଙ୍କ ତାଲିକାରେ ନିଜ ନାମକୁ ସାମିଲ କରି ଚାକିରି ଓ ବିଭିନ୍ନ ସୁବିଧା ହାସଲ କରିବା ମନୋବୃତ୍ତି ଓ ଚେଷ୍ଟା । ଏବେ ଉତ୍ତରପ୍ରଦେଶର ମଥୁରା, ଆଗ୍ରା, ଇଟାୱା, ଫିରୋଜାବାଦ୍, ଆଲିଗଡ, କାନପୁର ଓ ମୋରାଦାବାଦ ଜିଲ୍ଲାମାନଙ୍କରେ ଜାଲ୍ ସାର୍ଟିଫିକେଟ୍ ଦେଖାଇ ହଜାର ହଜାର ଲୋକ ଅନୁସୂଚିତ ଜାତି ତାଲିକାରେ ନିଜ ନାମ ଚଢ଼ାଇଥିବା ରାକେଟ୍‌ରେ ଧରାପଡ଼ିଛନ୍ତି ।

ସାଧାରଣ ବର୍ଗ ଲୋକେ ପଛୁଆ ଜାତିରେ ପଶିବାକୁ ଚେଷ୍ଟା, ପଛୁଆ ବର୍ଗଙ୍କର ଅନୁସୂଚିତ ଜାତି ତାଲିକାରେ ଆସିବାକୁ ଉଦ୍ୟମ ଓ ସୀମିତ କ୍ଷେତ୍ରରେ ଅନୁସୂଚିତ ଜାତିର କେତେକ ଲୋକ ଆଦିବାସୀ ତାଲିକାରେ ମିଶିବାକୁ ପ୍ରଚେଷ୍ଟା ଦେଖି ମନେହୁଏ ଆମ ଦେଶରେ ପଛୁଆ ଓ ଅତି ପଛୁଆ ହେବାପାଇଁ ଆଗୁଆଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି । ଉଦାହରଣ ସ୍ୱରୂପ, ରାଜସ୍ଥାନ ଓ ଉତ୍ତର ଭାରତରେ ବସବାସ କରୁଥିବା ଗୁର୍ଜରମାନେ ନିଜକୁ ଆଦିବାସୀ ତାଲିକାରେ ମିଶେଇବା ପାଇଁ ଆନ୍ଦୋଳନ ଓ ଜୀବନ‌ଦାନ କଲେଣି । ମିନା ସମ୍ପ୍ରଦାୟର ଲୋକେ ଏହା ବିରୋଧରେ ସଂଗ୍ରାମ ଆରମ୍ଭ କରିଛନ୍ତି । ସେହିପରି ଯେଉଁ ଦଳିତମାନେ ଖ୍ରୀଷ୍ଟିୟାନ୍ ହୋଇଯାଇଛନ୍ତି, ସେମାନଙ୍କୁ ଦଳିତମାନଙ୍କପାଇଁ ଉଦ୍ଧିଷ୍ଟ ସଂରକ୍ଷଣର ସୁଯୋଗ ଦେବା ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି । ଏହା ଦେଖି ଦଳିତ ମୁସଲିମ୍‌ମାନେ ମଧ୍ୟ ସେପରି ସ୍ୱୀକୃତି ଓ ସୁଯୋଗପାଇଁ ରାଜନୈତିକ ଚାପ ସୃଷ୍ଟି କଲେଣି । ପ୍ରକୃତ ଦଳିତ ବର୍ଗର ଅନେକ ଲୋକ ଏହାଦ୍ୱାରା ସେମାନଙ୍କପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା ସଙ୍କୁଚିତ ହୋଇଯିବା ଆଶଙ୍କାରେ ପ୍ରତିବାଦର ସ୍ୱର ଉଠାଇଲେଣି । ଏବେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଭେଟି ଅନୁସୂଚିତ ଜାତି ତାଲିକାରେ ଥିବା ବିଭିନ୍ନ ଉପଜାତିଙ୍କ ପାଇଁ ଅଲଗା ଅଲଗା ସଂରକ୍ଷଣ ବ୍ୟବସ୍ଥା କରିବାପାଇଁ ସମ୍ବିଧାନ ସଂଶୋଧନ ସକାଶେ ପ୍ରସ୍ତାବ ରଖିଛନ୍ତି । ଆନ୍ଧ୍ରପ୍ରଦେଶରେ ଏକ ନିର୍ଦ୍ଦିଷ୍ଟ ଦଳିତ ଉପଜାତି ସଂରକ୍ଷଣର ଅଧିକାଂଶ ସୁବିଧା ସୁଯୋଗ ପକେଟସ୍ଥ କରୁଥିବାରୁ ସେଠାରେ ଏଥିରୁ ବଞ୍ଚିତ ଅନ୍ୟ ବର୍ଗ ଓ ଉପଜାତିଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଲାଣି । କର୍ଣ୍ଣାଟକ, ତାମିଲନାଡ଼ୁ, ବିହାର, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ବିଭିନ୍ନ ଉପଜାତିଙ୍କପାଇଁ ଅଲଗା ସଂରକ୍ଷଣ ଦାବି କ୍ରମେ ବଳବତ୍ତର ହେଉଛି । ତଥାକଥିତ

୫୨ ବିକଳ୍ପ ବିଶ୍ୱ