ପୃଷ୍ଠା:Chha mana atha guntha.pdf/୧୦୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିୟୋଗବିଧୂର ବ୍ୟକ୍ତି କେବଳ ହୃଦୟରେ ଅନୁଭବ କରେ । ନାଗସର୍ପ ଯାହାକୁ ଦଂଶନ କରିଅଛି, ସେ ବ୍ୟକ୍ତି ବିଷର ଯନ୍ତ୍ରଣା ଜାଣେ, କଥାରେ ବୁଝାଇବାର କଥା ନୁହେଁ । ସେହି ବ୍ୟକ୍ତି ଜାଣେ, ଶୋଣିତବାହିନୀ ଶିରା ସମସ୍ତ ଛିନ୍ନଭିନ୍ନ ହୋଇଯାଇ ତାହାର ହୃତ୍‌ପିଣ୍ତ ଶୁଷ୍କଭାବରେ ପଡ଼ିଅଛି, ସେହି ବ୍ୟକ୍ତି ବୋଧକରେ ଜଗତର ସମସ୍ତ ସୁନ୍ଦର ପଦାର୍ଥର ସୌନ୍ଦର୍ଯ୍ୟ, ସମସ୍ତ ମାଧୁର୍ଯ୍ୟର ମଧୁରିମା, ସମସ୍ତ ପୁଷ୍ପର ସୁଗନ୍ଧ, ସମସ୍ତ ସଙ୍ଗୀତର ତାନଲହରୀ, ସମସ୍ତ ପବିତ୍ରତା ଚିତାଗ୍ନିରେ ଦଗ୍‌ଧିଭୂତ ହୋଇ ଯାଇଅଛି । ସଂକ୍ଷେପରେ କହିବାକୁ ଗଲେ, ସେ ଆପଣାକୁ ମୃତଲୋକ ମଧ୍ୟରେ ଜୀବିତ, ଜୀବିତ ମଧ୍ୟରେ ଆପଣାକୁ ମୃତ ବୋଲି ଜ୍ଞାନ କରେ ମଙ୍ଗରାଜଙ୍କ ଜୀବନ କ୍ଷେତ୍ରରେ ଦୁଇଗୋଟି ନଦୀ ପ୍ରବାହିତ ହେଉଥିଲା । ଗୋଟିଏ ଉତ୍ତାଳ ତରଙ୍ଗମୟୀ ସର୍ପ କୁମ୍ଭୀରସଙ୍କୁଳା କୂଳପ୍ଲାବିନୀ ଚର୍ମଣ୍ୱତୀ, ଆଉ ଗୋଟିଏ ଅନ୍ତଃସ୍ରୋତ ପୂତସଲିଳା କୂଳପ୍ଲାବିନୀ ଫଲ୍‌ଗୁ । ହୁଏତ ମଙ୍ଗରାଜେ ବୁଝିଛନ୍ତି ଫଲ୍‌ଗୁ ଚିରକାଳ ନିମନ୍ତେ ବିଦାୟ ଗ୍ରହଣ କଲା । ମଦ୍ୟପର ସମ୍ମୁଖରେ ଗିନାଏ ଜଳ, ଗିନାଏ ମଦିରା ଥୁଆହୋଇଥିଲେ ସେ ସୁରା ଗିନାଟିକୁ ଅଧିକ ଆଦର କରେ ଏବଂ ଯତ୍ନରେ ରଖେ; ମାତ୍ର ଜଳଗିନାଟିର ଏକାବେଳେକେ ଅଭାବ ହେଲେ ସେ ତେତେବେଳେ ବୁଝିପାରେ, ସୁରା ଉନ୍ନାଦକାରିଣୀ ସତ୍ୟ, ମାତ୍ର ଜଳ ତାହାର ଜୀବନ ।

ମଙ୍ଗରାଜଙ୍କ ଅବସ୍ଥା ଦେଖି ଆମ୍ଭେମାନେ ଅନୁମାନ କରୁଅଛୁ, ତାଙ୍କ ମନରେ ଦୁଃଖ ଓ ଅନୁତାପ ଉଭୟ ଉପସ୍ଥିତ ହୋଇଅଛି । ଦୁଃଖରେ ମନୁଷ୍ୟ କାନ୍ଦେ, ଅନୁତାପରେ କାନ୍ଦେନାହିଁ, ଦୁଃଖ ହୃଦୟର ଜ୍ୱଳନ୍ତ ଅଙ୍ଗାର, ଅନୁତାପ ତୁକଷା ନଳ । ନିଜର ଦୃଷ୍କୃତି, ନିଜର ଅଯତ୍ନ ସହିତ ସାଆନ୍ତାଣୀଙ୍କ ମୃତ୍ୟୁର ନିକଟସମ୍ବନ୍ଧ ଥିବାର ଅନୁମାନ କରି ସେ ଅନୁତାପ କରୁଅଛନ୍ତି କି ? ତାଙ୍କଦ୍ୱାରା ସଂଖ୍ୟାତୀତ ଦୁଷ୍କୃତ ଅନୁଷ୍ଠିତ ହୋଇଅଛି । କାହିଁ, କେବେହେଲେ ସେ ତ ଅନୁତାପ କରୁଥିବାର କେହି ଦେଖିନାହିଁ ? କିଏ ବୋଲିପାରେ ? କ୍ଷଣ ପରିବର୍ତ୍ତନଶୀଳ ମନୁଷ୍ୟ ସ୍ୱଭାବ କିଏ ଜାଣେ ?