ପୃଷ୍ଠା:Chha mana atha guntha.pdf/୧୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଊନବିଂଶ ପରିଚ୍ଛେଦ

ପୁଲିସ ତଦାରଖ :

ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା 'ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ ନୁହେଁ ।' ଆକାଶଟା ଟିକିଏ ସଫା ହୋଇଗଲାଣି, ବଛାବଛି କାମ ସରିଛି, କେହି ବିଲ ବାଡ଼ିକୁ ଯିବାକୁ ନାହିଁ । କେହି ପିଣ୍ତାରେ ବସି ବାଟଣା ବାଟୁଛି, କେହି ଗୁହାଳ କଢ଼ାରେ ଲାଗିଛି, କେହି କେହି ଝାମ୍ପିଟାଏ ମୁଣ୍ତରେ ହାତରେ ଦଉଡ଼ି ଖଣ୍ତେ ଦା'ଟାଏ ଧରି କାହାଳିଟାଏ ଓଟାରି ଓଟାରି ବାହୁଙ୍ଗିଟାଏ କାନ୍ଧରେ ପକାଇ ଘାସ କାଟିବାକୁ ବାହାରିଅଛି, କେହି ପିଢ଼ାରେ ଚଢ଼ି କଖାରୁ ଡଙ୍କ ସଳଖି ଦେଉଅଛି, ଘରେ ଲୁଣ ନଥିବାର ଶୁଣି ହରି ପୁହାଣ ବିବଧ ଯୁକ୍ତି ପଦର୍ଶନ ପୂର୍ବକ ଆପଣା ଭାର୍ଯ୍ୟାର ଅପରିମିତ ବ୍ୟୟଶୀଳତା ସାବ୍ୟସ୍ତ କରୁଅଛି । ମାଈକିନିଆମାନେ ବାସିପାଇଟିସାରି ବାଡ଼ି ପୋଖରୀକୁ ବାହାରିଲେଣି । ତନ୍ତୀସାଇଟା ଝମ୍ ଦୁମ୍, ଝସଦୁମ୍ ଶଦ୍ଦରେ ଉଚ୍ଛୁଳି ପଡ଼ିଅଛି, ତନ୍ତୀଆଣୀମାନେ ପିଣ୍ତାରେ ବସି ଖଡ଼ରଖଡ଼ର କରି ନଟେଇ ବୁଲାଇ ପକାଉଛନ୍ତି । ବେଳ ଅନ୍ଦାଜ ତିନି ଘଡ଼ିକି ଦଣ୍ତେ ଦୁଇଖଣ୍ତ ବେଶି, ଶାମ ସାହୁଘର ହଳିଆ ଗୋପାଳ ସାମଲ ଝାମ୍ପିଟିଏ ମୁଣ୍ତରେ ଦେଇ କୋଡ଼ି ଧରି ନଇଁପଡ଼ି ବିଲର ହିଡ଼ ବାନ୍ଧୁଥିଲା । ବାଟ-ପାଖିଆ ବିଲ, ସାମନ୍ତ ଘର ହଳିଆ ଘୁଷୁରିଆ ଗୋବରା ଜେନା ଘରଆଡ଼କୁ ଚଞ୍ଚଳ ଚାଲିଅଛି, ଗୋପାଳିଆ ଉପରେ ନଜର ପଡ଼ିଯିବାରୁ ତାକୁ ହାତ ଟେକି ଇଶାରା କରି ପାଖକୁ ଡାକିଲା, ମୁଁ ଗୋଟିଏ ଭାରି କାମରେ ଯାଉଛି, ଭାରି ଗୁପ୍ତ କଥା, ତୋତେ ବିଶ୍ୱାସ ପାଏ ବୋଲି କହୁଛି । "ତାହା କାନରେ ତୁନି ତୁନି କରି କହିଲା, "ବୁଝି ଖବରଦାର ! ଏ କଥା ଯେମନ୍ତ ଆଉ କାହା କାନରେ ନ ପଡେ ସାଆନ୍ତଙ୍କର ମନା ଅଛି ।" ଘୁଷୁରିଆ ଯାଉଁ ଯାଉଁ ବାଟରେ ମକର ଜେମା ପାଣକୁ ଭେଟିଲା, ତାହା କାନରେ ଉପଦେଶ ଦେଇ ଚାଲିଗଲା ତାହା ବାଦ୍ ଦନେଇ ସାହୁ, ବିନୋଦିଆ, ନଟବରିଆ, ଭୀମା ମା ଏମାନଙ୍କ ସଙ୍ଗରେ ସାକ୍ଷାତ ହେଲା, ସେମାନଙ୍କୁ ମଧ୍ୟ ସେହିପରି ତୁନି ତୁନି କହି ସେହିପରି ଗୁପ୍ତରେ ରଖିବାକୁ ଉପଦେଶ ଦେଲା । ଗୋପାଳିଆ କାମ କରିବ କଣ ସାହୁ ପାଖକୁ ଧାଇଁଲା । ହରି