ପୃଷ୍ଠା:Chha mana atha guntha.pdf/୧୦୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସାହୁ କହିଲା ଶାମ ସାହୁକୁ; ହଟିଆ କହିଲା ନଟିଆକୁ, ଜେମା ମା କହିଲା ଶାମା ମାକୁ, ଶ୍ରୀମତୀ କହିଲା କନ୍ୟା ବୋହୂକୁ, ଗ୍ରାମ ଗୋଟାକ ଯାକ କୁହାକୁହି ହେଲେ । ସମସ୍ତଙ୍କ ତୁନି ତୁନି କଥା, ଗୋପନ ରଖିବାକୁ ସମସ୍ତଙ୍କର ଉପଦେଶ । କେହି କହିଲା, ଉଁଛୁଣି ଜମାଦାର ପହଞ୍ଚିବ, ଆଉ ଜଣେ ପ୍ରତିବାଦ କରି କହିଲା, ନାହିଁ ନାହିଁ, ଖୁଣି ମାମଲା, ଦାରୋଗା ନିଜେ ଘୋଡ଼ାରେ ଚଢ଼ି ଆସିବେ, ମାତ୍ର ଜାଣିବା ଶୁଣିବା ଲୋକମାନେ କହିଲେ, ଏ କି ତମ ଆମ ଘର କଥା ? କଟକରୁ ନିଜେ କୁମ୍ପୁନୀ ପଲଟନ ଘେନି ଆସିବ, ଗାଁ ଲୋକେ ଯେ ବନ୍ଧାଛନ୍ଦା ହେବେ, ଏହା ନିଃସନ୍ଦେହ, ସର୍ବବାଦୀସମ୍ମତ । ଦଣ୍ତକ ମଧ୍ୟରେ ଗାଁ ନିସ୍ତବ୍‌ଧ ହୋଇଗଲା । ବୋହୂଗୁଡ଼ାକ ପାଣିରେ ବୁଡ଼ିପଡ଼ି ଘରକୁ ଧାଇଁଛନ୍ତି, ଲୁଗା ଚିପୁଡ଼ିବାକୁ ବେଳନାହିଁ । ଲୁଗା ଧଡ଼ର ଧଡ଼ର ବାଜି ଗୋଡ଼ତଳେ ଝରଝର ହୋଇ ପାଣି ବୋହି ପଡୁଅଛି । ଚଞ୍ଚଳରେ ମାଠିଆ ପୂରାଇ ପାରି ନାହିଁ, ଅଧାମାଠିଆ ପାଣି ବେଶି ଦେହହିତୈଷୀମାନେ ସଭାରେ ବକୃତା କଲାପରି ଘଟର ଘଟର କରି ଭାରି ଗର୍ଜନ କରୁଅଛି । ବେତ୍ରହସ୍ତ ଅବଧାନେ ସହସା ଅନ୍ତର୍ଦ୍ଧାନ ହେବାରୁ ଚାଟ ଟୋକାଗୁଡ଼ାକ ଗୋହିରୀରେ ଭାରୀ ଗୋଳମାଳ କରି ଧାଁ ଦଉଡ଼ ଲଗାଇଅଛନ୍ତି । ଖୂଣୀ ଆସାମୀକୁ ପୁଲିସ ବାନ୍ଧି ନେଲା ପରି ଗୋଟାଏ ସାନ ପିଲାକୁ ବଡ଼ ଚାଟ ଧରି ଘେନି ଯାଇଥିଲେ । ସେହି ପଲିଟା ସମସ୍ତଙ୍କଠାରୁ ବେଶି ଧାଇଁଛି ।

ଘୁଷୁରିଆ ଫେରିଆସି ସାଆନ୍ତକୁ ଖବର ଦେଲା, ଗୋବରା ଜେନା ଘରେ ନାହିଁ । ସାଆନ୍ତେ ପ୍ରଥମେ ହଳିଆ ପଠାଇଲେ, ତାହା ବାଦେ ଆପେ ତନ୍ତୀସାଇ ଦୁଆର ଦୁଆର ବୁଲିଲେ, ଜଣକର ସୁଦ୍ଧା ଭେଟ ପାଇଲେ ନାହିଁ । ଆଉ ଯାହା ଦୁଆରକୁ ଯା'ନ୍ତି, ତାହାର କବାଟ କିଳା, ଘରେ କେହି ନାହିଁ । ମଙ୍ଗରାଜେ ନିତାନ୍ତ ବ୍ୟସ୍ତ ହୋଇପଡ଼ି ଘର ବାହାର ହେଉଛନ୍ତି, କାହାରି ଭେଟ ନ ପାଇ କିଛି ସ୍ଥିର କରିପାରୁ ନାହାନ୍ତି ଘୁଷୁରିଆ ହଳିଆ ଗୋଟାଏ ଠେଙ୍ଗା ଧରି ବାଡ଼ିପଟରେ କୁକୁର ତଡୁଅଛି, ଯୋଡ଼ାଏ ବିଲୁଆ କିଆବଣ ଭିତରେ ପଶି ଜଳ ଜଳ କରି ଓଳିକୁ ଚାହିଁ ତୁନି ହୋଇ ପଡ଼ିଛନ୍ତି ।

ବେଳ ଦୁଇ ପ୍ରହର ଗଡ଼ିଗଲା । ଗୋବିନ୍ଦପୁର ଗ୍ରାମ ପୂର୍ବ ମୁଣ୍ତରେ ଗୋଟାଏ ଟାଙ୍ଗଣ ଘୋଡ଼ା ଉପରେ ଏକ ବିଶାଳମୂର୍ତ୍ତି ସୁଆର