ପୃଷ୍ଠା:Chha mana atha guntha.pdf/୧୦୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଦେଖାଗଲେ । ସୁଆରଙ୍କ ବିଶାଳ ଦାଢ଼ି ଛାତି ଘୋଡ଼ାଇ ପକାଇଛି, ଦେହରେ ଛ'କଲିଆ ଢିଲା ହାତ ଚପ୍‌କନ୍, ମୁଣ୍ତରେ ଜାମଦାନି ଲୁଗାର ବାଙ୍କ ଟୋପି, ଗୋଡ଼ରେ ଢିଲା ପାଇଜାମା । ଘୋଡ଼ା ଠକ୍ ଠକ୍ କରି ମିଠା କଦମ ଚାଲିଅଛି । ଆଗରେ ପଛରେ ପାଞ୍ଚଜଣ ଠେଙ୍ଗାସ୍କନ୍ଧ ଚୌକିଦାର ନସର ପସର ହୋଇ ଧାଇଁଛନ୍ତି । ସମସ୍ତଙ୍କ ଆଗରେ ଗୋବରା ଜେନା ଠେଙ୍ଗା କାନ୍ଧେଇ ଧାଇଁଛି । ମଙ୍ଗରାଜଙ୍କ ଦୁଆର ଆଗରେ ଗୋବରା ପଛମୁହଁ କରି ଛିଡ଼ା ହୋଇଗଲା । ସୁଆର କହିଲେ, "ଏହି ଘର ?" ଗୋବରା ହାତ ଯୋଡି କହିଲା, 'ଖୋଦାବନ୍ଦ ।' ସୁଆର ଘୋଡ଼ାରୁ ଓହ୍ଲାଇପଡ଼ି 'ବିସ୍ ମିଲ୍ଲା' କହିନିଶ୍ୱାସଟାଏ ପକାଇଲେ ।

ଘଡ଼ିକ ଉତ୍ତରେ ଗୋହିରୀ ଦାଣ୍ତରେ ଆହୁରି ଏକ ଘୋଡ଼ାସୁଆର ମୂର୍ତ୍ତି ଦେଖାଗଲା । ଘୋଡ଼ାଟି ଦଳଖିଆ ତଟୁ ବୟସ ପ୍ରବୀଣତାର ସାକ୍ଷଦେବା ନିମନ୍ତେ ଦେହର ପଞ୍ଜରା ହାଡ଼ଗୁଡ଼ାକ ଉପରକୁ ବାହାରି ପଡ଼ିଅଛି, ପଛ ଦୁଇଗୋଡ଼ ଘଷିହୋଇ ଲୋମଶୂନ୍ୟ, ଘା'ଯୁକ୍ତ ହୋଇଗଲାଣି, ଖୋଲ ପଶିଯାଇ ବଡ଼ ବଡ଼ ଆଖି ଦୁଇଟା ବାହାରି ପଡ଼ିଅଛି, ପିଠିରେ ଖୁଗରୀ, ତାହା ଉପରେ ଲାଲ ବନାତର ଚାରଜାମା । ସୁଆରଟି କିନ୍ତୁ ବିଶାଳ ଶରୀର, ପୋଷାକ ମଧ୍ୟ ବଡ଼ଲୋକ ଭଳିଆ - ମାଣିଆବନ୍ଦୀ ଚାରିଫୁଲିଆ ଧୋତି ପିନ୍ଧା, ଦେହରେ ବନ୍ଧଲଗା ଗନ୍ତା, ମୁଣ୍ତରେ ମଝିସିଆଁ ଛଫୁଲିଆ ରହୁମୀ ବନ୍ଧା । ଘୋଡ଼ା ପଛରେ ଜଣେ ଚୌକିଦାର ବାଉଁଶ ଠେଙ୍ଗା କାନ୍ଧରେ ପକାଇ ଡାହାଣ ହାତରେ ଖଣ୍ତେ ବାସଙ୍ଗ ଛଡ଼ି ଧରି ବାଡ଼ୋଉଅଛି ଏବଂ ପାଟିରେ ଟାକରା ଫୁଟାଉଅଛି । ସଇସ ପାଣଟୋକା ଖଣ୍ତେ ଝୋଟଦଉଡ଼ି ବାଗଡୋର ଲଗାଇ ଆଗରେ ଭିଡୁଅଛି । ଘୋଡ଼ାଟା ବେକ ଲମ୍ବ କରିଦେଇ ବଡ଼ କଷ୍ଟରେ ଧୀରେ ଧୀରେ ଟଳଟଳହୋଇ ଚାଲୁଅଛି । ଏହି ସୁଆର ମଧ୍ୟ ପୂର୍ବ ସୁଆରଙ୍କ ପରି ମଙ୍ଗରାଜଙ୍କ ଦୁଆର ଆଗରେ ଜଣେ ଲୋକ କାନ୍ଧରେ ଦୁଇହାତ ଭରାଦେଇ ଓହ୍ଲାଉ ଓହ୍ଲାଉ ହାମୁଡ଼ି ପଡ଼ିଗଲେ । ଉଠିପଡ଼ି ସେହି ଲୋକ ଗାଲରେ ଠୋ କରି ଚାପୁଡ଼ାଟାଏ ମାରିଲେ - ଅର୍ଥାତ୍ ଲୋକମାନେ ଜାଣନ୍ତୁ ସେହି ଲୋକର ଅସାବଧାନତା ଏହି ପତନର କାରଣ ଅଟେ, ନୋହିଲେ ଏପରି ପକ୍‌କା ସୁଆର ପଡ଼ିବାର ନୁହେଁ । ସୁଆର ଓହ୍ଲାଇଯିବା ମାତ୍ରକେ ସଇସ ପିଲା ଧରୁଁ ଧରୁଁ ଜଗନ୍ନାଥ ମହାପ୍ରଭୁଙ୍କ