ବିଂଶ ପରିଚ୍ଛେଦ
ଓକିଲ ରାମ ରାମ ଲାଲ :
କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡ଼କୁ ଆଖି ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା ! ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥୀ, ଅର୍ଥର ଦାସ, ବେଳ ପଡ଼ିଲେ କେହି କାହାରି ନୁହେଁ । ତୁମେ ତ ଦେଖୁଛ, କାହା ଦୁଆରେ ଦୂବ ମରୁ ନାହିଁ, କାହାର ଦୁଆରେ ମଣିଷ ପେଲାପେଲି । ଅବସ୍ଥା ସବୁ କରାଏ । ଜଣେ ବିଲାତୀ କବି କହିଛନ୍ତି, 'ସୂର୍ଯ୍ୟହୀନ ଜଗତ ଆଉ ବନ୍ଧୁହୀନ ଜୀବନ ସମାନ ।' ଏଣୁ ମନୁଷ୍ୟକୁ ବନ୍ଧୁ ଛାଡ଼ିପାରେ ନାହିଁ । ଦଣ୍ତବତ ମଙ୍ଗରାଜେ !' ଆସାମୀ ଚମକି ପଡ଼ି ଅନାଇଲେ । ପୂର୍ବ ସେ ଢେର ଢେର ଦଣ୍ତବତ ଶବ୍ଦ ଶୁଣିଥିଲେ; ମାତ୍ର ଆଜି ଦଣ୍ତବତ ଶବ୍ଦଟା ପୁଣି ତାଙ୍କ ପିଣ୍ତରେ କିଛି ପ୍ରାଣ ପଶିଲାପରି ଜଣାଗଲା । ବନ୍ଦୀ କିଛି କଥା କହି ନ ପାରି ଗୋଡ଼ଠାରୁ ମୁଣ୍ତ ଯାଏ ସେହି ମୂର୍ତ୍ତିକୁ ଦର୍ଶନ କରୁଛନ୍ତି । ବିଶାଳ ମୂର୍ତ୍ତି ଆଣ୍ଠୁଲମ୍ବିତ ବାହୁ, ଦେହରେ ଢିଲା ହାତ ଆଜାନୁଲମ୍ବିତ ଛ'କଲିଆ ବନ୍ଧଲଗା, ସ୍ଥାନେ ସ୍ଥାନେ କାଳି ଚିହ୍ନିତ ଚପକନ, ମୁଣ୍ତରେ ହାତେ ଚଉଡ଼ା ଚବିଶ ହାତ ଲମ୍ବ ଜରିମୁହାଁ ଢାଲିଆ ପାଗବନ୍ଧା, ପାଛୋଡ଼ି ଖଣ୍ତକ ପଛରୁ ଫେରିଆସି ବାଁ କାନି ଡାହାଣ କାନ୍ଧରେ ଡାହାଣ କାନି ବାଁ କାନ୍ଧରେ ଛାତିରେ ଛକ ପଡିଛି, ତିନି ଫୁଲିଆ ମାଣିକବନ୍ଦୀ ଖଦି ପିନ୍ଧା, ଗୋଡ଼ରେ ଫୁଲପକା ମରହଟ୍ଟା ଯୋତା, କାନରେ ପାହାଡ଼ୀ ଶର କଲମ, ଯାଉଁଳୀ ନିଶ, ଏକଗାଲିଆ ଗାଲେ ପାନ । ସେହି ମୂର୍ତ୍ତି ଦେଖି ଆଶା ଭରସା ବିସ୍ମୟ, ସନ୍ଦେହ ଆସାମୀ ମନକୁ ମନ୍ଥି ପକାଉଛି । କିଛି କଥା କହିପାରୁ ନାହିଁ । ଜଣା ଲୋକପରି, ସେହି ଲୋକପରି ଦଣ୍ତବତ କଲେ, ଏ କିଏ ! ଆମ୍ଭେମାନେ ଅନୁମାନ କରୁଁ ଏ ଜଣେ ବନ୍ଧୁ ହେବେ । ଚାଣକ୍ୟ ଶାସ୍ତ୍ରରେ ଆମ୍ଭମାନଙ୍କର ବିଶେଷ ଜ୍ଞାନ ଥିବାରୁ ଏପରି ମୀମାଂସା କରିବାକୁ ସାହସ କରିଅଛୁଁ । ଶାସ୍ତ୍ରରେ ଅଛି,"ରାଜଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବଃ । "ବୋଇଲେ ରାଜଦ୍ୱାରେ କି କଚେରିରେ; ଶ୍ମଶାନେ କି ମଶାଣିପଦାରେ ତିଷ୍ଠତି କି ଥାନ୍ତି ଇତ୍ୟର୍ଥଃ, ସେ