ପୃଷ୍ଠା:Chha mana atha guntha.pdf/୪୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗ୍ରାମ ଗ୍ରାମକେ ଠାକୁର ମନ୍ଦିରଗୁଡ଼ିକ ସେଥିରେ ପ୍ରତ୍ୟକ୍ଷ ସାଖି । କୌଣସି ବିଷୟରେ ଦୁଇପଟ ନ ଦେଖି ହଠାତ୍ ସିଦ୍ଧାନ୍ତରେ ଉପନୀତ ହେବା ତନ୍ତୀତ୍ୱର ଚିହ୍ନ ବୋଲି ଆମ୍ଭେମାନେ ବିଶ୍ୱାସ କରୁଁ । ଦେଖାଯାଉ, ଠାକୁର ମନ୍ଦିରଗୁଡ଼ାକ ବାସ୍ତବିକ ତନ୍ତୀଙ୍କ କାର୍ଯ୍ୟକି ନୁହେଁ । ଘୋର ମଫସଲିଆ ଲୋକମାନଙ୍କ କଥା ଆପଣଙ୍କୁ ଜଣାଥିବ । ସେମାନେ ଦିନ ଯାକ ଦୁଃଖଧନ୍ଦାରେ ଲାଗିଥାନ୍ତ, ସଞ୍ଜ ହେଲେ ମୁଠାଏ ମୁଠାଏ ଖାଇ ଶୋଇପଡନ୍ତି । ଗ୍ରାମରେ ଧର୍ମ ପ୍ରଚାରକ ନାହାନ୍ତି, ଲାଇବ୍ରେରୀ ନାହିଁ, ଧର୍ମକଥା କାହୁଁ ଶୁଣିବେ ? ଠାକୁର ମନ୍ଦିରରେ ସଞ୍ଜ ସକାଳେ ଶଙ୍ଖ, ଘଣ୍ଟାବାଜେ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଶବ୍ଦ ଜଣାଇ ଦିଏ ଜଗତରେ ପ୍ରଭୁ ଅଛନ୍ତି । ସେଠାରେ ଭାଗବତ ଗାଦି ଅଛି, ରାଧାଷ୍ଟମୀ, ଜନ୍ମାଷ୍ଟମୀ, କାର୍ତ୍ତିକ ମାସ ପ୍ରଭୃତି ପର୍ବଦିନ ମନ୍ଦିରରେ ଭାଗବତ ପାଠହୁଏ, ଲୋକମାନେ ଯାଇ ଶୁଣନ୍ତି । ମନ୍ଦିର ନ ଥିଲେ ପ୍ରଭୁଙ୍କ ନାମ ବା ଧର୍ମଗ୍ରନ୍ଥ ଶୁଣିବାର ଉପାୟ ନ ଥିଲା । ବିଦେଶୀ ଲୋକ କିମ୍ବା ଗ୍ରାମରେ କାହାରି ଖଞ୍ଜ ଅଖଞ୍ଜରେ ଭାତରନ୍ଧା ହୋଇ ନ ପାରିଲେ ପୂଜାହାରୀ ପାଖରେ ଯୋଡ଼ାଏ ପଇସା ପକାଇଦେଲେ ପେଟେ ପ୍ରସାଦ ଖାଇବାକୁ ମିଳେ । ପଞ୍ଚୁଆତି, ଗ୍ରାମଲୋକଙ୍କ ଦୋଷାଦୋଷର ବିଚାର ଠାକୁରମନ୍ଦିରରେ ହୁଏ । ଆମ୍ଭେମାନେ ସଂକ୍ଷେପରେ ଇଂରାଜୀ ତରଜମା କରିଦେଲେ ଆପଣା ସହଜରେ ବୁଝିପାରିବେ, ଠାକୁରମନ୍ଦିର ଗୁଡ଼ିକରେ ଗ୍ରାମ ମଧ୍ୟରେ ଚର୍ଚ୍ଚ (ଦେବାଳୟ), ପବ୍‌ଲିକ୍ ଲାଇବ୍ରେରୀ (ସାଧାରଣ ପୁସ୍ତକାଳୟ), ହୋଟେଲ (ଭୋଜନାଳୟ), ଟାଉନ୍ ହଲ୍ (ଭାଗବତ ଘର) ଏହି ଚାରି କାର୍ଯ୍ୟ ଚଳେ । ସେ କଥା ଯାଉ, ଆମ୍ଭମାନଙ୍କୁ ଆଉ କଥା ଲେଖିବାକୁ ହେବ ।

ଆଉ ଆଉ ହାଟୁଆ ଜାତିଙ୍କ ପରି ତନ୍ତୀମାନଙ୍କର ମଧ୍ୟ ଜଣେ ପରମାଣିକ ଅଛି, ସେ ଜାତି ମଧ୍ୟରେ ପ୍ରଧାନ । ପରମାଣିକ କୁ ନ ଧରିଲେ ଜାତିଆଣ କର୍ମ କିଛି ଚଳେ ନାହିଁ । ବାହା, ପୁଆଣି ହେଲେ ପରମାଣିକ ଜାତିରେ ଗୁଆ ଦିଏ । ସେଥିସକାଶେ ମୂର୍ତ୍ତିଏ ଲୁଗା ଆଉ ଗୋଟିଏ ଗୁଆ ମାନ୍ୟ ପାଏ । ଜାତିର ହାରିଗୁହାରି ପରମାଣିକ ଠାରେ ହେଲେ ସେ ଗୁଆ ଦେଇ ପଞ୍ଚୁଆତ