ପୃଷ୍ଠା:Chha mana atha guntha.pdf/୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଟିକିଏ ଶାଗରେ ପୂରାଇ ଦେଇଥିଲେ । ଏହି ମହାପୁରୁଷଙ୍କ ହସ୍ତ ମହିମା ପ୍ରତି ଯଦି ଆପଣଙ୍କର ବିଶ୍ୱାସ ନଥାଏ, ତେବେ ଆମ୍ଭମାନଙ୍କ ମଙ୍ଗରାଜ ଚରିତ୍ର ପଢ଼ିବା ନିମନ୍ତେ ଅନୁରୋଧ କରିବାକୁ ସାହସ କରିପାରିବୁ ନାହିଁ । ଏପରି ଶୁଣାଅଛି, ତାଙ୍କର ମାଉସି ପୁଅ ଭାଇ ଶ୍ୟାମ ମଲ୍ଲେ ସହରକୁ ଯାଇଥିଲେ -ପାପ ଛପା ରହେ ନାହିଁ ସେ କୁସଙ୍ଗରେ ପଡ଼ି ପିଆଜ ମିଶା କୋବି ଖାଇଥିବା ସାଆନ୍ତଙ୍କ ନିକଟରେ ଅଜଣା ରହିଲା ନାହିଁ । ଆଜିଯାଏ ରୂଢ଼ ବଢ଼ି ରହିଥାନ୍ତା, ମଙ୍ଗରାଜେ ଖୁବ କମ ଖରଚରେ ଅଥାତ୍ ଶ୍ୟାମଙ୍କ ଦେଢ଼ବାଟି ପୈତୃକ ଲାଖରାଜରୁ ୧୫ମାଣ ମାତ୍ର ନେଇ ଖଲାସ କରିଦେଲେ, ମଙ୍ଗରାଜେ ଦିନେ ଶ୍ୟାମକୁ ଡାକି ମୂରବୀ ପଣିଆ କରି କହିଲେ, "ଦେଖ ଶ୍ୟାମ, ଏଣିକି ହୁସିଆର ରହ, ମୁଁ ଥିଲି ବୋଲି ମୋ ମୁଲାଜାରେ ପାଞ୍ଚଜଣ ତୋତେ ଟେକିନେଲେ ସିନା ନୋହିଲେ ତୁ ଏକାବେଳକେ କିରସ୍ତାନ ହୋଇ ଯାଇଥାନ୍ତୁ ---ତୋ ସାତ ପୁରୁଷ ଅହିନରକରେ ପଡ଼ିଥାନ୍ତେ । ଆଉ ମୁଁ ବୋଲି ସିନା ତୋର ମାଣ ପାଞ୍ଚ ଟଙ୍କାରେ ନେଲି ଆଉ କେହି ଦୁଇ ଟଙ୍କାରେ ଛୁଅନ୍ତା ନାହିଁ । ଯେତେ ହେଲେ ତୁ ତ ଭାଇ, କ'ଣ ତୋତେ ଫୋପାଡ଼ି ଦେବି? ହେଲେ, ବିପଦ ଆପଦ ବେଳକୁ ମୁଁ --ଭଲବେଳେ କେହିନୁହେଁ । ଏହି ସେଦିନ ଭୀମା ଗଉଡ଼ର ଫୌଜଦାରୀ ମକଦ୍ଦମାରେ ତୋତେ ଗୁହା ହେବାକୁ କହିଲି, ଘରେ ଲୁଚିଲୁ, ଦେଖାଦେଲୁ ନାହିଁ ।

ହାୟ! ହାୟ! ଯେଉଁ ନିନ୍ଦୁକମାନେ ଖୀଷ୍ଟଙ୍କୁ କ୍ରୁଶରେ ଚଢାଇଲେ, ପରମା ସତୀ ସୀତାଙ୍କୁ ବଣକୁ ପଠାଇଲେ, ସେମାନଙ୍କ ବଂଶଧର ମାନେଯେ ହରିବାସର ଉପବାସୀ ପରୋପକାରୀ ମଙ୍ଗରାଜଙ୍କ ଅଖ୍ୟାତି ରଚନା କରିବେ, ଏହା କିଛି ବିଚିତ୍ର ନୁହେଁ । ନିନ୍ଦୁକମାନେ ଯେଉଁ କଥା କହି ବୁଲିବେ, ଆମ୍ଭମାନଙ୍କୁ ନାଚାର ହାଲତରେ ସେ କଥା ବୋଲିବାକୁ ହେଉଅଛି । ସେମାନେ କହନ୍ତି, ମଙ୍ଗରାଜେ ଚାରି କୋଶ ମଧ୍ୟରେ କାହାରି ଗୋଖୋଜରୁ ଖୋଜେ ଜମି ରଖିଲେ ନାହିଁ । ବାକି ଥିଲା ଭାଇ --ଓର ଖୋଜି ଖୋଜି ଏତେଦିନ ପାଇଲେ । ଶ୍ୟାମ ପିଆଜ ଖାଇ ବାହ୍ମଣ ଭୋଜନ କରାଇଲା, ମଙ୍ଗରାଜ ଘର ମାଇକିନିଆମାନେ ଯେ ଚମ୍ପାକୁ ପଠାଇ ହାଟରୁ ପିଆଜ କିଣି