ପୃଷ୍ଠା:Chha mana atha guntha.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରବୃତ୍ତିରେଷା ଭୂତାନାଂ -"

ଅର୍ଥାତ୍ ଭୂତମାନେ ବା ଭୂତପରି ଲୋକମାନେ ଏପରି କଥା କହନ୍ତି । ଠିକ୍ କଥା, 'ବୃଦ୍ଧସ୍ୟ ବଚନଂ ଗ୍ରାହ୍ୟଂ । ମାତ୍ର ସଂସାର ରୂପ ବିଷବୃକ୍ଷରେ ଯେ ଦୁଇଗୋଟି ଅମୃତ ଫଳ ଫଳିଅଛି, ଏକଥା ଠିକ ସତ୍ୟ । ଚିହ୍ନରା କିଏ ? କେବଳ ଆମ୍ଭମାନଙ୍କୁ ସେ ଫଳ ଦିଓଟି ଜଣା 'ପରୋପକାରଂ ସ୍ୱର୍ଗୀୟ' । ପରର ଉପକାର କରିବା ହେଉଛି ଆମମାନଙ୍କର ବ୍ରତ । ଆପଣମାନଙ୍କର ଉପକାର ସାଧନ ନିମନ୍ତେ ସେହି ଫଳ ଦିଓଟିର ନାମ ପ୍ରକାଶ କରିଅଛୁ । ଗୋଟିଏ ଫଳର ନାମ ତୁନି କଥା ଶୁଣିବାକୁ ଇଚ୍ଛା, ଆଉ ଗୋଟିକର ନାମ ପରନିନ୍ଦା । ତୁମେ କାହାରି ଘରର ଗୁପ୍ତ ଛିଦ୍ର କଥା କହ କି କାହାର ନିନ୍ଦା କର, ଦେଖିବ, ଲୋକମାନେ ଭାରି ଆନନ୍ଦରେ ମନ ଦେଇ ଶୁଣିବେ । ବୁଝିବା ହେଲେଟି କି? ଫଳର ମାହାତ୍ମ୍ୟ ନ ଥିଲେ କି ତାହାର ଏଡ଼େ ଆନନ୍ଦ ହୁଅନ୍ତା ?

ଆମ୍ଭେମାନେ କଣ ଲେଖିବାକୁ ଯାଇ କଣ ଲେଖି ପକାଉଅଛୁଁ । ଯେତେବେଳରେ ଆହୁଲା ଭିଡ଼, ପାଣିସୁଅଟା ନାଆକୁ ଲକ୍ଷ୍ୟସ୍ଥାନରୁ ଦୂରକୁ ଟାଣିନିଏ । ମାତ୍ର ଟାଣୁଆ ନାଉରି ମଙ୍ଗ ଛାଡ଼େ ନାହିଁ । ଆମ୍ଭମାନଙ୍କ କଲମ ଏଣେ ତେଣେ ଯାଉଅଛି ସତ୍ୟ; ମାତ୍ର ମୂଳ କଥାଟା ହଲଚଲ ହୋଇପାରିବ ନାହିଁ; କଥାଟା ଦାଣ୍ତେ ଦାଣ୍ତେ ଚାଲିଯିବ ।

ସେକଥା ଯାଉ, ଆପଣଙ୍କୁ ଆଉ ସନ୍ଦେହରେ ପକାଇ ରଖିବା ଉଚିତନୁହେଁ । ଏ ଦିଓଟି ସ୍ତ୍ରୀଲୋକ କିଏ, କି କି କଥା କହୁଅଛନ୍ତି, ସବୁ ଖୋଲାସ କରି କହିଦେବା ଉଚିତ । କୌଣସି କୌଣସି ଲୋକ ଅନେକ କଥା କହିବା ଆଗରୁ ଅନେକ ମୁଖବନ୍ଧ, ଅନେକ ବକ୍ତୃତା କରିବସନ୍ତି; ମାତ୍ର ଆମ୍ଭମାନଙ୍କର ସ୍ୱଭାବ ଏହାର ସମ୍ପୂର୍ଣ୍ଣ ବିପରୀତ । ଯା ବୋଲିବାର ପରିଷ୍କାର କରି ଝଟପଟ କହି ପକାଉଁ ଆଉ ଅନେକ ଲୋକ ଭୟରେ ଅନେକ କଥା ଲୁଚାନ୍ତି କିମ୍ବା କହୁ କହୁ କଣ କହିପକାନ୍ତି । ଏହିଦେଖନ୍ତୁ ନା ଦରବୁଢ଼ୀ ମାଈକିନିଆ ଦିଓଟି ଇଶାରାରେ କଣ କହୁ କହୁ ତୁନି ହୋଇଗଲେ । ମାତ୍ର ତନ୍ତୀଆଣୀ ମାଈକିନିଆମାନଙ୍କଠାରୁ ଆମ୍ଭମାନଙ୍କର ସାହସ ଖୁବ୍ ବେଶି । ବୀର ପରି ସବୁକଥା କହିଯିବୁଁ । ଆଉ ଗୋଟିଏ କଥା କଣ ଜାଣନ୍ତି ? ଆମ୍ଭ