ଗୋଜିକାଠି ଖୋସା, କୁମ୍ଭକର୍ଣ୍ଣୀଧଡ଼ି ଷୋଳ ହାତି ବରମ ପୁରୀ ପାଟଶାଢ଼ୀ ପିନ୍ଧା, ଗାଲରେ ଗାଲେ ପାନ ଡାଳିଯୋଡ଼ା ଫତେସିଂହ ଘର ବେଶ ଚଳ, ପୂର୍ବରୁ କାନରେ ଶୁଣାଥିଲା, ବର୍ତ୍ତମାନ ଆଖିର ଅଳଙ୍କାର ବିଭବ ଦେଖି ଗାଁ ମାଈକିନିଆମାନେ ବୁଝିଗଲେ, ହଁ, ଘରପରି ଘରଟାଏ ।
ମାଉସୀ ବସିପଡ଼ି କହିଲେ, 'ମୋ ଝିଆରୀ କାହିଁ ? ମୋ ଝିଆରୀ କାହିଁ ? ମୋ ଝିଅରୀକୁ ଦେଖିବି । ଆହା ! ମା ଛେଉଣ୍ତିଟି ଶୁଖିଯିବଣି !' ସାନ ଖୁଡ଼ୀ ଶାଶୁ ନୂଆ ବୋହୁଟିଏ ଘେନି ଆସିଲେ । ବୋହୂଟି ଦେଢ଼ହାତ ଓଢ଼ଣା ପକାଇ ଅଳ୍ପ ନଇଁ ନଇଁ ଆସି ମାଉସୀ ଗୋଡ଼ତଳେ ଲଠ କରି ମୁଣ୍ତିଆଟିଏ ମାଇଲା । ମାଉସୀ ଝିଆରୀକୁ କୁଣ୍ଢାଇ ପକାଇ ବାହୁନି ବସିଲେ । 'ଆରେ ମୋଝିଅରେ, ତୋତେ ନ ଦେଖି ଅନ୍ଧ ହୋଇଯାଇଥିଲି । ଆରେ ମୋ ଚନ୍ଦ୍ର ଉଦିଆରେ, ମୋଘର ଅନ୍ଧାର କରି ଆସିଛୁ, ଆରେ ମୋ କଳାମାଣିକରେ । 'ମାଉସୀ ବାହୁନି ଅଥୟ ହୋଇ ଗଲେଣି, ଦୁଇ ଆଖିରୁ ଝର ଝର କରି ପାଣି ବୋହି ପଡୁଛି । ବଡ଼ ସମୁନ୍ଧୁଣୀ କୁଣ୍ଢାଇ ପକାଇ ଆପଣା ପଣତ କାନିରେ ପୋଛିଦେଲେ ଏବଂ ଅନେକ ପ୍ରକାର ବୁଝାଇ ସୁଝାଇ ତୁନି କରାଇଲେ । ମାଉସୀ କହିଲେ, "କଣ କହୁଛ ସମୁନ୍ଧୁଣୀ, ଝିଅ ଆସିଲା ଦିନୁ ଅନ୍ନ ଜଳ ପିତା କରିଦେଲାଣି । ଖାଲି ଦାଣ୍ତକୁ ଚାହିଁ ବସିଥାଏ, ଏଣୁ ଲୋକଟିଏ ଗଲେ ପଚାରେ, ବାକଟିଏ ଗଲେ ପଚାରେ ।"
ଝିଆରୀତ ନୂଆ ପାଟି ଶୁଣି ଏବଂ ବାହୁନା ଦେଖି ତାଟକା ହୋଇଗଲାଣି । ମାଉସୀ ମୁହଁ ଦେଖିବାପାଇଁ ଟିକିଏ ଓଢ଼ଣା ଟେକୁଥିଲା । ଚତୁରୀ ମାଉସୀ ଝିଆରୀର ଅଭିପ୍ରାୟ ସହଜରେ ବୁଝିପାରି ଓଢ଼ଣା ଟାଣିଦେଇ କହିଲେ, "ଆରେ ମୋ ଲାଜକୁଳୀ ବଦନରେ, ଆରେ ମୋ ଲାଜକୁଳି ଲତାରେ, ତୋରତ କିଏ ଲାଜ ଶିଖାଇବରେ, ସମୁନ୍ଧୁଣୀ କଣ କହିବି, ଏହା ମାର ଏଇପରି ଲାଜ ଥିଲା, ବୁଢ଼ୀ ହୋଇମଲା, ଶାଶୁମାନଙ୍କ ଆଗରେ ପାଖିଫିଟାଇ ଚାହିଁନାହିଁ, ଓଢ଼ଣା ଟେକିନାହିଁ । ଶାଶୁ ସାଙ୍ଗରେ ଭଟ ଭଟ ଲଗାଇବ ପଛକେ, ଖୁଡ଼ୀଶାଶୁମାନଙ୍କୁ ଗାଳିଦେବ ପଛକେ ସେହି ଓଢ଼ଣା ଭିତରୁ । ଧାନ ପେଟରୁ କଣ ବାଳୁଙ୍ଗା ବାହାରିବ ? ତୁଳସୀ ମଞ୍ଜିରୁ କଣ ବିଛୁଆତି ହେବ ? ତିରିଲା ଝିଅ ହୋଇ ଯେବେ