Jump to content

ପୃଷ୍ଠା:Galpa swalpa.djvu/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫକୀରମୋହ‌ନ ଗ୍ରନ୍ଥାବଳୀ ଗଳ୍ପସ୍ୱଳ୍ପ

ଏ କଥା ବି ସତ, ଏପରି ଅଭ୍ୟାସ ହୋଇ ଯାଇଛି ଯେ, ବୁଢ଼ୀ କାମ ପାଇଟିକୁ କଷ୍ଟ ମଣେ ନାହିଁ, କାମ ନ କରି ରହି ପାରେ ନାହିଁ ।

ଗୋପାଳ ବାବୁଙ୍କର ବାଇଶ ତେଇଶ ବର୍ଷ ପାରି ହୋଇଗଲାଣି, ଏହି ତ ବିଭା ବୟସ । ମା ବିଭାକଥା କେତେ ଥର କହିଲେଣି । ମାଆଙ୍କର କୌଣସି କଥା ତଳେ ପଡେ ନାହିଁ, ହେଲେ ବିଭାକଥା ଶୁଣି ଗୋପାଳବାବୁ ଶୁଣି ନ ଶୁଣିଲା ପରି ପିଠେଇ ଚାଲିଯାନ୍ତି । ଶେଷକୁ ପୁତୁରା ପେସ୍କାର ବାବୁଙ୍କୁ ଧରିଲେ, ତାଙ୍କ କଥା ବି ଶୁଣିବାକୁ ନାହିଁ । ଗୋପାଳବାବୁ ମନରେ ସ୍ଥିର କରିଛନ୍ତି, ମା ତ ବୁଢ଼ୀ ହେଲାଣି, ବସାରେ ତ ଆଉ କେହି ନାହିଁ । କଚେରି ଦରବାରରୁ ଆସି କାହା ସାଙ୍ଗରେ ବସି ଦି'ଟା କଥାଭାଷା ହେବେ ? ବସା ଖର୍ଚ୍ଚ ପତ୍ର ହିସାବ ବୁଝିପାରିବ, ଭାଷାପତ୍ର ଖଣ୍ଡେ ଲେଖି ପାରୁଥିବ, ଏପରି ପାଠୋଇ କନ୍ୟାଟିଏ ପାଇଲେ ବିଭା ହେବ । ମୂର୍ଖ କନ୍ୟାଟାଏ ବିଭା ହେଲେ କଣ ହେବ ?

ବୁଢୀ ଏବେ ଗୋଟାଏ ଫିକର ବାହାର କଲାଣି । ପୁଅକୁ ଶୁଣାଇ ଶୁଣାଇ ତୁଚ୍ଛାଟାରେ ହେଲେ କହେ "ଓହୋ ଚାଲି ପାରୁ ନାହିଁ, ପାଣି ଆଣି ପାରୁ ନାହି, ଆଜି ରାତିରେ କିମିତି ଦି'ଟା ଫୁଟାଫୁଟି କରି ଦେବି ।"

ଗୋପାଳ - ମୁଁ ତ ସେହି କଥା କହୁଛି ମା, ଏବେ ହେଲେ ଗୋଟାଏ ରାନ୍ଧୁଣୀ ଆଣେ ?

ମା - କଣ ଯଥାକାଳକୁ ଧର୍ମ ନଷ୍ଟ କରିବି ?

ଗୋପାଳବାବୁ ଏବେ ଅଥୟ । ଲାଗିଲା କନ୍ୟା ଖୋଜାଖୋଜି । ଏ ବିଷୟରେ ପେସ୍କାର ବାବୁଙ୍କର ଭାରି ତନଘନ ଲାଗିଛି । ଢେର ଖୋଜାଖୋଜିରେ କନ୍ୟାଟିଏ ଠିକଣା ହେଲା, ନୀଳଗିରି ଇଲାକା ମୟୂରଭଞ୍ଜ ଦୋସମାଳୀ ଭାଲୁକପୋଷି ଗାଁରେ । ଭାଲୁକପୋଷି ଗୋଟାଏ ପାହାଡ଼ମୂଳିଆ ବଣଭିତିରିଆ ଗାଁ, ଆଖପାଖ ଦୁଇ ତିନି କୋଶ ଭିତରେ ଆଉ ଗାଁ ନାହିଁ । ଗାଁରେ ସାନ୍ତାଳ ଚାଳିଶ କି ପଚାଶ ଘର । ବେପାରୀ ତେଲୀ ମହାଜନ ଦୋହରା ଘର ଯୋଡ଼ାଏ । ରାଜାଙ୍କ ଗଡ଼ ପାଖରୁ ଗାଁଟା ଢେର ଦୂର, ଖଜଣା ଅସୂଲ କରିବାପାଇଁ ପିଆଦା ପଇଦଳ ବାଘ ଭାଲୁ ଡରରେ ଏକୁଟିଆ ଯିବାକୁ ମଙ୍ଗନ୍ତି ନାହିଁ । ଦୁଇ ତିନି ଜଣ ସାଙ୍ଗସୁଙ୍ଗା ହୋଇ ଗଲେ ସାନ୍ତାଳଗୁଡାକ ବଣରେ ପଶିଯାନ୍ତି । ପିଆଦାମାନେ ଭେଟି ପାରନ୍ତି ନାହିଁ । ଦେବାକୁ ମରିବାକୁ କିଏ ସହଜରେ ରାଜି ହୁଏ ? ବଣୁଆଗୁଡ଼ାକ ଖଜଣା ଗଣ୍ଡାକ ଦେବାକୁ ନାରାଜ, ଟାକିଏ ଟାଣ କଲେ ଗାଁ ଛାଡ଼ି ପଳାଇବେ, ନୋହିଲେ ଅମାନିଆ ହୋଇ ଗଣ୍ଠି ଫେରାଇ ଦେବେ । ସେ ଗୁଡ଼ାଙ୍କୁ କରଗତ ରଖିବା ଲାଗି ରାଜାଙ୍କ ଛାମୁରୁ ଦଶମାଣ ହେତା ଜମି ଦେଇ ସେହି ଗାଁରେ ସବୁଦିନ ରହିବା ପାଇଁ ଜଣେ ପଧାନ ରଖିଲେ । ସେହି ହେତା ଜମି ଲୋଭରେ ଏବେକା ପଧାନ ଘନଶ୍ୟାମ ମହାନ୍ତିଙ୍କ ବାପେ ରାମ ମହାନ୍ତିଏ ଦୋହରା ଘର କରୁଁ କରୁଁ ସେ ଜାଗାରେ ରହି ଯାଇଛନ୍ତି ।

ଘନଶ୍ୟାମଙ୍କ ପରିବାର ବୋଇଲେ ମାମୁ ମାଇଁ ଦି'ପ୍ରାଣୀ, ଆଉ ପନ୍ଦର ବର୍ଷ ବୟସର ଗୋଟିଏ ଅଭିଆଡୀ ଝିଅ, ନାମ ସରସ୍ୱତୀ । ଗାଁଟା ବଡ଼ ବଣୁଆ, ସଞ୍ଜ ବାଜିଲା ତ ବାଘ ଭାଲୁ ମେଳା ମେଳା, ଦିନ ଥାଉଁ ଥାଉଁ ଲୋକମାନେ ଖାଇ ପିଇ ତାଟି କବାଟ କିଳି ଶୋଇ ପଡନ୍ତି । ସେହିଠାରେ କନ୍ୟା ଠିକଣା ହେଲା । ବୋଇଲା ବାର କଥାରେ ବାହା, ଢେର ଥର କଥାବାର୍ତ୍ତା ଚଳିଲା, ଶେଷକୁ ଧାଈ ଦେଖି ଆସି କହିଲା "କନ୍ୟାପରି କନ୍ୟାଟାଏ ଏକା, ନାମ ସରସ୍ୱତୀ, ଦେଖିବାକୁ ଲକ୍ଷ୍ମୀ ମୁର୍ତ୍ତିଟିଏ, ଗୋଟିଏ ଚାଉଳରେ ଗଡ଼ା, ଗୁଣର ସୀମା ନାହିଁ ।"