Jump to content

ପୃଷ୍ଠା:Galpa swalpa.djvu/୧୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫକୀରମୋହ‌ନ ଗ୍ରନ୍ଥାବଳୀ

କନ୍ୟା କଥା ଶୁଣି ବୁଢ଼ୀ ତ ଅଥୟ । ରୂପ ଗୁଣ ଶୁଣି ଗୋପାଳବାବୁଙ୍କ ମନ ଟିକିଏ ତରଳିଲା, ବିଚାର କଲେ, ନ ପଢ଼ିଛି ତ ନାହିଁ, କଣ କରାଯିବ, ତାକୁ ନ ହୁଏ ବସାରେ ବସି ପଢ଼ାଇବି ।

ବିଭା ହୋଇଗଲା । ବସାରେ ହେଲେ ଚାରିଜଣ । ଗୋପାଳବାବୁ ବାର ଚଉଦ ବର୍ଷର ଗୋଟିଏ ଭଣ୍ଡାରୀ ପିଲାକୁ ଡାକହାକ ଶୁଣିବା, ବଜାରହାଟ ସଉଦା କରି ଦେବାଲାଗି ରଖି ଦେଇଛନ୍ତି । ଗୋପାଳବାବୁଙ୍କ ଇଚ୍ଛା, ବୋହୂ ସାଙ୍ଗରେ ଯେଉଁ ଦାସୀଟା ଆସିଛି, ତାକୁ ସବୁଦିନେ ବସାରେ ରଖିବେ । ମା ଡରରେ ରଖିଲେ ନାହିଁ । ବୁଢୀ ଏତେ ଢମଢମାଳି ବୁଝେ ନାହିଁ । କହିଲେ, "ଆଜି ଜାଣି ଟଙ୍କା ଯୋଡ଼ାଏ ଘରେ ପଶୁଛି, ଦାସୀଟାଏ ରଖି ପକାଇବା, କାଲି ଟଙ୍କା ନ ମିଳିଲା ! ନାହିଁ ରେ ବାପା, ଟଙ୍କା ଯୋଡ଼ାକ ସାଇତି ରଖିଥିଲେ ବେଳରେ 'ଓ' କରିବ ।"

ବୋହୂର ରୂପ ଗୁଣ ଦେଖି ବୁଢୀ ଦିନ ରାତି ତାହାରି ପ୍ରଶଂସା ଗାଉଛି, ମୁହଁରେ ସବୁବେଳେ ହାତେ ଲମ୍ବ ଓଢ଼ଣା, ନଇଁ ନଇଁ ଚାଲେ, ପନ୍ଦର ଦିନ ହେଲା ଆସିଲା, ପଦେ ବୋଲି କଥା କେହି ଶୁଣି ନାହିଁ । ଭାଲ ଘର ଝିଅଟିଏ ଏକା, ମା ଭଲ ଗୁଡ଼ିଏ ଶିଖାଇଛି, ଇତ୍ୟାଦି ଇତ୍ୟାଦି ।

ବୁଢ଼ୀଟା ଯେମନ୍ତ ବୋହୂକୁ ଚାହିଁ ବସିଥିଲା, ବିଭାଘର ଅଷ୍ଟମଙ୍ଗଳା ଯାଇ ନାହିଁ, ବୁଢ଼ୀ ବାଧିକା ପଡିଲା ଯେ, ବିଛଣା ଧରିଛି; ଆଉ ଉଠିବାକୁ ନାହିଁ । ଦିନ ପନ୍ଦରଟା ମଧ୍ୟରେ ଆପଣା ନିଜ ଯାଗାକୁ ଚାଲିଗଲା ।

ମରିବା ଦି'ଦିନ ଆଗରୁ ପୁଅକୁ ପାଖରେ ବସାଇ ଢେର ଉପଦେଶ ଦେଲା । "ବାପା ! ବେଳ ମାଫିକେ ଖାଇବୁ, ଟଙ୍କାକଉଡ଼ି ସାଇତିବୁ, ବୋହୂକୁ ଭଲ ପାଇବୁ, ମୋର ଢେର ଦିନରୁ ମନ, ଗୋଟିଏ ସୁନା ଅଳକା ବନାଇ ଦେବୁ, ବୋହୂ ମୁଣ୍ଡରେ ଲଗାଇବ ।" ସୀତା ଦେଈଙ୍କୁ ଡକାଇ କହିଲା, "ଆଲୋ ସୀତା, ବୋହୂଟା ତତେ ଲାଗିଲା, ପିଲାଟା କିଛି ଜାଣେ ନାହିଁ ।" ବୁଢ଼ୀର ପାଟି ପଡ଼ିଗଲା, ଆଉ କିଛି କହି ପାରିଲା ନାହିଁ । ମାଉସୀ ପୁତୁରା ଦି'ଜଣ ଗୋଡ଼ ପାଖରେ ବସି ଢେର କାନ୍ଦିଲେ ।

ବୁଢ଼ୀର ତ କ୍ରି୍ୟାକର୍ମ ସବୁ ଛିଡ଼ିଲା । ଗୋପାଳବାବୁ ଏବେ ବୋହୂଟାକୁ ପାଠ ପଢ଼ାଇବାକୁ ଆରମ୍ଭ କରି ଦେଲେ । ରୋଜ ସଞ୍ଜବେଳୁଁ ପାଖରେ ବସାଇ ରାତି ଦୁଇ ଘଡ଼ି ଯାଏ ପଢ଼ାନ୍ତି । ଅ ଅକ୍ଷରଟା ଲେଖି ଶିଖିବାକୁ ମାସେ କାଳ ବିତିଗଲା । ମାସ ଦି'ଟା ଭିତରେ ବୋହୂ ଅ-ଆ ଦିଟା ପୂରାପୂରି ଶିଖିଗଲାଣି, ଇ ଅକ୍ଷରଟା କିନ୍ତୁ ସହଜରେ ହେଉନାହିଁ, ହ୍ରସ୍ୱଇ ଟା ଶିଖିବାକୁ ଛ ସାତ ଦିନ ଗଲା, ଲେଖି ଆସୁ ନାହିଁ । ବୋହୂ କହୁଛି, "ଏ ଅକ୍ଷରଟା ବଡ ମୋଡ, ଲେଖି ଆସୁନାହିଁ ।" ପନ୍ଦର ଦିନକାଳ ମେହନତ କରି ଶିଖାଇ ନ ପାରିବାରୁ ଗୋପାଳବାବୁ ବଡ଼ ଦିକଦାର ହେଲେଣି । ବୋହୂଟା ବି ଠାଁ ଏକ ଜାଗାରେ ଦୁଇ ଘଣ୍ଟାକାଳ ବସି ପଢ଼ି ପଢ଼ି ଦିକଦାର । ଗୋପାଳବାବୁ ମନରେ କଲେ - ବୁଢ଼ୀ ଶାରୀକୁ ରାମ ରାମ ଶଖାଇବା ସହଜ କଥା ନୁହେ ।

ସରସ୍ୱତୀ ଦେଈ ମନରେ କହିଲେ - ସେ ଏତେ ମେହେନତ କ୍ୟାଁ ପାଠ ପଢ଼ିବେ, ବାବୁଙ୍କୁ ପଚାରିବେ ପଚାରିବେ ମନରେ କରନ୍ତି, ହେଲେ ଭରସା ଖଟେ ନାହିଁ । ଆଜି ଖୁବ୍ ସାହାସ କରି ପଚାରିଲେ, "ହଁ ହେ, ତୁମେ ସିନା କଚେରି ଦରବାରକୁ ଯିବ, ପାଠ ପଢ଼ିବ, ମୁଁ କ୍ୟାଁ ପାଠ ପଢିବି ?"