ପୃଷ୍ଠା:Galpa swalpa.djvu/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମଧ୍ୟରେ ଉତ୍ସବ ସ୍ୱରୂପ ଥିଲା। ଅନେକ ଟଙ୍କା କାରବାର ହୁଏ। ସହର ମଧ୍ୟରେ ଦୋକାନୀମାନେ ଦୋକାନ ସଜେଇ ବସିଥାନ୍ତି। ବଜାରି, ହଟାରି, ଭିକାରୀ, ଅମଲା ଫଏଲା ସମସ୍ତଙ୍କର ଆଚ୍ଛା ଦୁଇ ପୈସା ହାତପୈଠ ହୁଏ। ଲକ୍ଷାବଧି ଟଙ୍କା ଦାଦନ ଦିଆ ଯାଉଥିଲା। ମଫସଲବାସୀ ସାଧାରଣ ଶ୍ରେଣୀ ଲୋକଙ୍କ ହାତରେ ଥୋକ କେତେଗୁଡିଏ ଟଙ୍କା ପଡିଗଲେ ଆନନ୍ଦ ମନରେ ସ୍ତ୍ରୀ ପୁତ୍ର ପରିବାରମାନଙ୍କ ସକାଶେ ନାନା ପ୍ରକାର ଦ୍ରବ୍ୟ କ୍ରୟ କରି ଘେନି ଯାନ୍ତି।

ଗୁଲିଆ ଦାଦନ ଘେନି ଚାଟିକୁ ଚାଲିଯାଏ। ଲବଣ ପୋକ୍ତାନ ସ୍ଥାନର ନାମ ଚାଟି। କେତେଗୁଡିଏ ଚାଟିର ଏକତ୍ରରେ ସାଧାରଣ ନାମ ଅଡ଼ଂ। ଅବଶ୍ୟ ଚାଟି ଓ ଅଡ଼ଂଗୁଡିକ ସମୁଦ୍ରକୂଳବର୍ତ୍ତୀ ସ୍ଥାନରେ ଅବସ୍ଥିତ।

ଗୁଲିଆ ସ୍ୱହସ୍ତରେ ଲବଣ ପ୍ରସ୍ତୁତ କରେ ନାହିଁ। କାର୍ଯ୍ୟନିର୍ବାହ ନିମନ୍ତେ କେତେଗୁଡିଏ ଲୋକ ନିଯୁକ୍ତ କରେ। ସେ (ଗୁଲିଆ) କେବଳ କର୍ତ୍ତା ସ୍ୱରୂପ ହୋଇଥାଏ।

ଉପଯୁକ୍ତ ସ୍ଥାନ ନିର୍ବାଚନ କରି ପାଢୀ ଉପାଧିଥାରୀ ଲୋକ ଚଲ୍ଲି ପ୍ରସ୍ତୁତ କରେ। ଏହି ଚଲ୍ଲି ସଚରାଚର ଭାତରନ୍ଧା ଚୂଲୀ ପରି ନୁହେ। ପାଠକମାନଙ୍କ ମଧ୍ୟରୁ ଯେଉଁମାନେ ପୁରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରୋଷଚୁଲୀ ଦେଖିଅଛନ୍ତି, ସେମାନେ ସହଜରେ ବୁଝିପାରିବେ। ପୋକ୍ତାନ ଚୁଲୀଗୁଡିକ ସେହିପରି ପିରାମିଡ଼ ଆକାର ଅଟେ, ମାତ୍ର ପ୍ରଭୁଙ୍କ ରୋଷ ଚଲ୍ଲିଠାରୁ ଅନେକ ବଡ଼। କୌଣସି କୌଣସି ଚୁଲୀର ନିମ୍ନ ପରିଧି ୨୦|୩୦ ହାତ ପର୍ଯ୍ୟନ୍ତ ହୋଇଥାଏ। ଉଚ୍ଚତା ପ୍ରାୟ ୩|୪ ହାତ। ବଡ଼ ବଡ଼ ଚୁଲ୍ଲିରେ ଏକାବେଳକେ ଦୁଇ ତିନି ଶତ ପର୍ଯ୍ୟନ୍ତ ହାଣ୍ଡି ବସେ। ହାଣ୍ଡଗୁଡିକ ମଧ୍ୟ ସଚରାଚର ଭାତରନ୍ଧା ହାଣ୍ଡିର ସମାନ ନୁହେ। ମହାପ୍ରସାଦ କୁଡୁଆ ସମାନ ଅଟେ। ଚୁଲୀ ପ୍ରସ୍ତୁତ ହେବା ମାତ୍ରକେ କୁମ୍ଭାର ହାଣ୍ଡି ଯୋଗାଇ ଦିଏ। ଗୋଟିଏ ଗୋଟିଏ ଚୁଲୀରେ ଏକ ଜାଳକରେ ୨୦|୨୫ ମହଣ ଲବଣ ପୋକ୍ତାନ ହୁଏ। ଦିନମାନରେ ତିନି ଜାଳ ହୁଏ। କେହି କେହି କର୍ମଠ ପାଢୀ ଚାରି ଜାଳ ପର୍ଯ୍ୟନ୍ତ କରିପାରେ।
ଚୁଲୀ ପ୍ରସ୍ତୁତ ହେବା ମାତ୍ରେକେ ମଳଙ୍ଗୀ ଉପାଧିଧାରୀ କର୍ମଚାରୀ ପଛାଲରୁ ମାଟି ଚାଞ୍ଛିବାକୁ ଆରମ୍ଭ କରେ । ସମୁଦ୍ର ବେଳାଭୂମି ଉପରେ ଯେଉଁ ଅଳ୍ପ ଗଭୀର ପ୍ରାନ୍ତର ମଧ୍ୟରେ ଜୁଆର ସମୟରେ ସମୁଦ୍ର ଜଳ ପ୍ରବେଶ କରେ , ଭଟା ସମୟରେ ଶୁଖିଲା ପଡେ , ତାହାର ନାମ ପଛାଲ । ମଳଙ୍ଗୀ ମାଟି ଚାଞ୍ଛି ଆଣି ଏକ ସ୍ଥାନରେ ବାଡି ପକାଏ । ମାଟି ସଂଗ୍ରହ ସ୍ଥାନର ନାମ ବାଡ । ବାଡି ଉପରେ ପୁନର୍ବାର ସମୁଦ୍ର ଜଳ ଢାଳି ଗୋଡରେ ଚକଟି ତରଳ କରାଯାଏ । ବାଡି ନିକଟରେ ଗୋଟିଏ ଗର୍ତ ଖୋଳା ହୋଇଥାଏ , ସେ ଗର୍ତର ନାମ କୁଣ୍ଡି । ବାଡିର ତରଳ ମାଟି ଦେହରୁ କୁଣ୍ଡି ପର୍ଯନ୍ତ କେରିଏ କୁଟା ଗୁଞ୍ଜି ଦିଆଯାଏ । ତାଡିକଟା ଚମାର ଖେଜୁରି ଗଛ ବେକରୁ ଠେକିକୁ ଯେପରି ଖଣ୍ଡେ ଖେଜୁରି ପତ୍ର ଗୁଞ୍ଜି ଦିଏ ,ଏଟା ସେହିପରି । କୁଟା କେରାକୁ ଅବଲମ୍ବନ କରି ବାଡି ଦେହରୁ କୁଣ୍ଡିକୁ ସମସ୍ତ ଜଳ ନିଗିଡି ଆସେ , ବାଡିରେ ମାଟି ସବୁ ରହିଯାଏ । ସେହି ଲବଣାକ୍ତ ଜଳର ନାମ ଦହପାଣି । ଦହପାଣିକୁ ହାଣ୍ଡିରେ ପକାଇ ମାରିଲେ ପଙ୍ଗା ଲୁଣ ପ୍ରସ୍ତୁତ ହୁଏ । ଚୁଲୀ ଜାଳ ସମୟରେ ଆଠ ରୁ ଷୋଳ ଜଣ ପର୍ଯନ୍ତ କର୍ମଚାରୀ ନିଯୁକ୍ତ ଥାନ୍ତି । ବାଲେଶ୍ୱର ଜିଲ୍ଲାରେ ଏପ୍ରକାର ସହସ୍ରାଧିକ ଚୁଲ୍ଲୀ ଥିଲା । ଲୁଣାମରା ଚୁଲ୍ଲୀ ରେ କାଠ ଜଳେ ନହିଁ । ସମୁଦ୍ର କୂଳରେ ୩/୪ ହାତ ଉଚ ଏକ ପ୍ରକାର ଘାସ ଜାତ ହୁଏ ,ସେହି ଘାସ ଜାଳେଣୀରେ ପ୍ରୟୋଜନ ହୁଏ । ଭଗବାନ ଯେମନ୍ତ ଲୁଣ ପୋକ୍ତାନ ସୁବିଧ ନିମନ୍ତେ ପଡିଆରେ ଏହି ଘାସ ଥୋଇ ଦେଇଥିଲେ । ଜଳୁଆ ନାମକ କର୍ମଚାରୀ ଘାସ କଟିବାରେ ନିଯୁକ୍ତ ହୁଏ । ଜବ ନାମକ ଏକ