Jump to content

ପୃଷ୍ଠା:Galpa swalpa.djvu/୧୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ପ୍ରକାର ତୀକ୍ଷଣଧାର ଅସ୍ତ୍ର ଦୁଇ ହାତରେ ଧରି ଅଭ୍ୟାସ ବଶରୁ ନଇଁ ପଡ଼ି ଅଳ୍ପ ସମୟ ମଧ୍ୟରେ ଅନେକ ଘାସ କାଟିପକାଏ । ଘାସ ଶୁଖିଗଲେ ନିଯୁକ୍ତ ବଳଦିଆମାନେ ବିଡ଼ା ବାନ୍ଧି ବଳଦରେ ଚୁଲ୍ଲୀ ପାଖକୁ ଘେନି ଆସନ୍ତି । ସେହି ଘାସ ରକ୍ଷା ନିମନ୍ତେ ସରକାର ତରଫରୁ ଜାଳ ଚଉକିଆ ନିଯୁକ୍ତ ଥାନ୍ତି । ସହସ୍ର ସହସ୍ର ବଳଦ ଓ ବଳଦିଆ ଏହି କାର୍ଯରେ ନିଯୁକ୍ତ ଥିଲେ ।
<gap>ପାଢ଼ୀ ଲୁଣ ମାରି ଜମା କଲେ ଜିଲ୍ଲାଦାର ଆସି ଓଜନ ନିଏ ଓ ନିମ୍ନଲିଖିତ ପ୍ରକାର ଫାରମରେ ଅଡ଼ଙ୍ଗ ପେସ୍କାର ନିକଟକୁ ରିପୋର୍ଟ କରେ ।

ଜିଲ୍ଲା ଫାରମ ।
ନାମ ଅଡ ନାମ ଚାଟି ନାମ ଗୁଲିଆ କେତେ ଜାଳ ଲୁଣ ପରିମାଣ
ଛାନୁଆ କୁଳିଗାଁ ହଗ୍ରୁ ମଳିକ ତିନି ଜାଳ ୮୦ ମହଣ

ଅଡ଼ଂ ପେସ୍କାର ଜିଲ୍ଲାଦାରର ହିସାବ ପ୍ରାପ୍ତ ହୋଇ ଆପଣା ଖାତାରେ ଲୁଣର ପରିମାଣ ପ୍ରଭୃତି ଜମା କରି ନିଏ ଓ ସେଥିରେ ଏକ ପ୍ରସ୍ତ ନକଲ ସଦର କଚେରିକୁ ପଠାଇଲେ ହିସାବ ମହକୁମା ଖାତାରେ ଜମା ହୁଏ ।
ସଦର କଚେରି ମୁନସୀଖାନାରେ ଲୁଣର କିଛି ହିସାବ ରହେ ନାହିଁ, ସର୍ବପ୍ରକାର ବନ୍ଦୋବସ୍ତର ଲେଖା ଢ଼ା ହୁଏ । ଅଡ଼ଙ୍ଗର ପେସ୍କାର ଚାଟିରୁ ଲୁଣ ବୁହାଇ ନେଇ ସାଧାରଣ ଗୋଲାରେ ଜମା କରି ନିଏ । ପୁନର୍ବାର ଓଜନ କରି ଗୋଲା ଜାତ ହେଲ ଅଦଲଦାର ତାହା ଉପରେ ଅଦଲା ମାରିଦିଏ । ସରକାର ନିଯୁକ୍ତ କମ୍ବାଳ ଲୁଣ ଓଜନ କରେ ।
ଅଡ଼ଙ୍ଗର ଦାରୋଗା ସିରସ୍ତାର କିଛି କାର୍ଯ୍ୟ କରେ ନାହିଁ । କେବଳ ଚାଟିମାନଙ୍କରେ ଭ୍ରମଣ କରି ଚୁଲ୍ଲୀର କାର୍ଯ୍ୟ ତଦନ୍ତ କରେ ଓ ଚୁଲ୍ଲିଆମାନଙ୍କ ହାରି ଗୁହାରି ଶୁଣେ । ଦାରୋଗା ପାଲିଙ୍କି ବହିବା ନିମନ୍ତେ ସରକାର ତରଫରୁ ଆଠ ଜଣ ବେହେରା ନିଯୁକ୍ତ ଥାନ୍ତି । ଦାରୋଗା ଗସ୍ତ ସମୟରେ ତାହାଙ୍କ ପାଲିଙ୍କି ଉପରେ ଗୋଟା ପାଟଛତା ଧରାଯାଏ, ସେଥିସକାଶେ ସ୍ୱତନ୍ତ୍ର ଛତାଧରା ଚାକର ବନ୍ଦୋବସ୍ତ ଥାଏ ।
ପୋକ୍ତାନ ଲୁଣ ପରିମାଣ ଲିଜାଜରେ ଚୁଲ୍ଲିଆମାନେ ଦ୍ୱିତୀୟ କିସ୍ତି ଦାଦନ ବୈଶାଖମାସରେ ପ୍ରାପ୍ତ ହୁଅନ୍ତି । ଏହି ଦାଦନ ଟଙ୍କା ଅଡ଼ଙ୍ଗ ମୁକାମରେ ଦିଆଯାଏ । ବର୍ଷାକାଲ ଆରମ୍ଭ ହେଲାକ୍ଷଣି ପୋକ୍ତାନ କାର୍ଯ୍ୟ ବନ୍ଦ ହୋଇଯାଏ; ଚଲ୍ଲିଆ ପ୍ରଭୃତି କର୍ମଚାରୀମାନେ ଚାଟି ଛାଡ଼ି ଆପଣା ଆପଣା ଘରକୁ ଚାଲିଯାନ୍ତି । ଏଥି ଉତ୍ତାରେ ସେପ୍ଟେମ୍ବର ମାସର ସଦର କରେରିରେ ହିସାବ ନିକାଶି ହେଲେ ଚଲ୍ଲିଆମାନେ ଅବଶିଷ୍ଟ ମୂଲ୍ୟ ପ୍ରାପ୍ତ ହୁଅନ୍ତି । କେହି କେହି ଚୁଲ୍ଲିଆ ସରଫ ବେଶି ବାବଦରେ ମଧ୍ୟ କିଛି ପ୍ରାପ୍ତ ହୁଅନ୍ତି । ସରଫ ବେଶି ଅର୍ଥ, ଚୁଲ୍ଲିଆମାନଙ୍କଠାରୁ ଚାଟିରୁ ଲୁଣ ଓଜନ ନେବା ସମୟରେ କଞ୍ଚା ଲୁଣ ଓଜନରେ କିଛି କିଛି ମାଲ ବେଶି ନିଆ ଯାଇଥାଏ । ଅଡ଼ଙ୍ଗ ଗୋଳା ନିକାଶି ସମୟରେ ସେହି ମାଲ ବଳକା ହୋଇ ପଡ଼େ, ସେହି ବଳକା ଲୁଣର ଅର୍ଥ ସରଫ ବେଶି । ଏହା କିଛି ଉଣା ନୁହେଁ, ପାଞ୍ଚ ଦଶ ହଜାର ମହଣ ପର୍ଯ୍ୟନ୍ତ ମାଲ ବେଶି ହୋଇ ପଡ଼େ । ଏହି ଲବଣର ମୂଲ୍ୟ ଅଡ଼ଙ୍ଗର ସମସ୍ତ ଚୁଲ୍ଲିଆଙ୍କୁ ବିଛାଣି କରି ଦିଆଯାଏ; ମାତ୍ର ପ୍ରତ୍ୟେକ ଅଡ଼ଙ୍ଗରେ ସରଫ ବେଶି ହେଲେ ମଧ୍ୟ ଦାରୋଗା, ପେସ୍କାର, ପ୍ରହରୀ ପୋଲିସ, ଅମଲା ପ୍ରଭୃତି କର୍ମାଚାରିମାନେ ଚୋରାଲ ଭାବରେ ଶସ୍ତାଦରେ ବିକ୍ରୀ କରି ମୂଲ୍ୟ ବାଣ୍ଟି ନିଅନ୍ତି । ଏହି ଚୋରାଇ ଲୁଣ ନୀଳଗିରି ଓ ମୟୁରଭଞ୍ଜ ଗଡ଼ଜାତକୁ ଚାଲିଯାଏ ।