ପୃଷ୍ଠା:Galpa swalpa.djvu/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାଧ ମହାନ୍ତିଏ କହିଲେ, ଏତେ କଥା କିଏ ପଚାରୁଛି ହେ ? ପୁରୁଷ ପୁଅର ବୟସ କଣ ଧରୋଟ ଭିତରେ ? ଅଶୀ ବର୍ଷର ପୁରୁଷ ବି ବିଭା ହୋଇ ପାରେ । ମୂଳ କଥାଟା ବୋଲନ୍ତୁ- ମୁଁ ଏବେ ଆପଣଙ୍କ କଥାରେ ଖାତରଜମା ହୋଇ ରହିଲିଟି ?

ମଧ୍ୟସ୍ଥ- ମହାନ୍ତିଏ, ଆପଣ ଏଡ଼େ ମାମଲତକାର ବୁଦ୍ଧିମନ୍ତ ଲୋକ ହୋଇ କେମନ୍ତ ଗୋଟାଏ ଅଖାଡ଼ୁଆ କଥା ବୋଲି ବସିଲେଣି ? ଆମ ଜମିଦାର ଘରେ କଣ ଜାଗା ନ ଥିଲା ଯେ, ତୁମ ଆଗରେ ଟଙ୍କା ଗୁଡାଏ ଓଜାଡ଼ି ଦେଇଗଲୁଁ  ?

ମହାନ୍ତିଏ ଟିକିଏ ସଟ୍ ପଟି ଯାଇ କହିଲେ, ନାହିଁ ନାହିଁ, ମୁଁ କହୁଥିଲି କଣ କି, ବିଭାଦିନ ଟକିଏ ଚଞ୍ଚଳ ବରଙ୍କୁ ଅନୁକୂଳ କରାଇ ଦେବେ, ଯେମନ୍ତ ଠିକ୍ ଲଗ୍ନ ବେଳେ ହାତଗଣ୍ଠି ପଡିବ ।"

ଭଲଲୋକ ଦୁହେଁ ଭାରି ଭକ୍ତିରେ ଯୋଡ଼ାଏ ଦଣ୍ଡବତ କରି ଚାଲିଗଲେ ।

ଆଜି ମଳତୀର ଆଦର ଦେଖେ କିଏ ! ତୁଚ୍ଛାଟାରେ ହେଲେ 'ଆ ରେ ମା, ଯା ରେ ମା,' କହି ମହାନ୍ତିଏ ଦଶଥର ଝିଅକୁ ଆଦର କରି ଡାକୁଛନ୍ତି । ମହାନ୍ତିଙ୍କର ଷୋଳପଣି ବିଶ୍ୱାସ, ପୂରା ହଜାରେ ଟଙ୍କା ତାଙ୍କ ଘରେ ପଶିବ । ମହାନ୍ତିଏ ଯେତେ ଆଦର କରି ଡାକୁଛନ୍ତି, ମାଳତୀ ମନରେ ତେତେ କୋହ ଉଠୁଛି । ମହାନ୍ତିଏ ଖୁବ୍ ମନଫୁଲଣାରେ ଖଣ୍ଡେ ସାନ ଅଖା, ଡାମ୍ଫଣ ଛଣିସୂତା ଘେନି ବିଲକୁ ବାହାରିଲେ । ହିଡ଼ ଉପରେ ବସି ମୂଲିଆମାନଙ୍କ କାମ ତନଖି କରିବେ, ଆଉ ଟଙ୍କା ରଖା ମୁଣିଟିଏ ସିଇଁବେ ।

ଆଜି ମାଳତୀର ଆଉ ଘର ପାଇଟିରେ ମନ ନାହିଁ । ଦାଣ୍ଡଦୁଆର କିଳି ଦେଇ କବାଟମୂଳରେ ତୁନି ହୋଇ ବସି କାନ୍ଦୁଛି । କବାଟ ବାହାରୁ ଠୂକ୍ ଠୂକ୍ ଶବ୍ଦ ହେଲା, ହାତ ବାରି କବାଟ ଫିଟାଇ ଦେଲା । ପଦୀ ଯିମିତି ଘର ଭିତରେ ପା ଦେଇଛି, ମାଳତୀ ତା ଦୁଇ ଗୋଡ଼ ଧରି ଡକା ପାରୁଛି, କାନ୍ଦି କାନ୍ଦି ଅଥୟ ହୋଇଗଲାଣି । ପଦୀ ତାକୁ ଯେତେ ତୁନି କରାଉଛି, ଶୁଣୁଛି କିଏ ?

ହାମଦରଦୀ ଲୋକ ପାଖରେ କାନ୍ଦି ମନକଥା କହିଲେ ମନକଷ୍ଟ ଟିକିଏ ଊଣା ପଡ଼େ । ମାଳତୀ ଯିମିତି ଟିକିଏ ଧୈର୍ଯ୍ୟ ଧରିଛି, ପଦୀ କହିଲା, "ଆରେ ବାୟାଣୀ ! କଥା ନ ବୁଝି କ୍ୟାଁ ଡକା ପାରୁଛୁ ? ଆଜି ଭଲଲୋକ ଆସିବା- ଯେ ସବୁ କଥା ହେଲା, ମୁଁ ସବୁ ଜାଣେ । ସେ ସବୁ କଥା ଗୋଡ଼ରେ ଘଷି ଦେ ମ, ସବୁ ମିଛ, ତୁଚ୍ଛା ମିଛ । ମୁଁ ଯାହା କହୁଛି, ଶୁଣି ଯା । ଆଜିକି ସାତ ଦିନ ହେଲା, ମୁଁ ଠାକୁରଙ୍କ ପାଖରେ ତୋ ଲାଗି ଅଧ୍ୟା ପଡ଼ୁଥିଲି । ମହନ୍ତ ପୂଜା କରୁଥିଲେ, କାଲି ଅଧରାତିରେ ମହାପ୍ରଭୁଙ୍କ ପାଖରୁ ବର ମିଳିଲା । ମହାପ୍ରଭୁ ମହନ୍ତକୁ ସ୍ୱପ୍ନରେ କହିଲେ, 'ତୁ ମଠ ସରଘରିଆ ବିନୋଦକୁ ବିଭା ହେବୁ ।" ପୃଥିବୀ ଟଳିଯିବ, ଠାକୁରଙ୍କ ହୁକୁମ ଅନ୍ୟଥା ହେବ ନାହିଁ । ତୁ ନିଶ୍ଚିନ୍ତରେ ଥା ।"

ଆଁ- ଆଁ କହି ମାଳତୀ ପଦୀ ମୁହଁକୁ କଟାଶଟି ପରି ଅନାଇଛି, ତା ମୁହଁରୁ କଥା ବାହାରୁ ନାହିଁ । ଶେଷରେ ଧୈର୍ଯ୍ୟ ଧରି କହିଲା, "ମା,ଜାଣିଥା- ସେ ବର ଆସିଲେ ମୁଁ ଦଉଡ଼ି ଦେବି ।"

"ମା ! ଆଉ ଗୋଟାଏ କଥା, ମୋ ଆତ୍ମାଟା କିମିତିକା ଘାଣ୍ଟି ହେଉଛି, ଥରେ ମାଧୀ ଅପାକୁ ଦେଖନ୍ତି ।"

ପଦୀ- ତୋ ବାପାକୁ କହ, ସେ ଡାକି ଆଣନ୍ତୁ ।

ମାଳତୀ- ଡାକି ଆଣିବେ ହଁ ! ସେ ଓଷା ବରତ କରିବ ବୋଲି ଯୋଡ଼ାଏ ପଇସା ମାଗି ପଠାଇଥିଲା, ଯେ ମାଗି ଆସିଥିଲା ଦୂର ଦୂର କରି ବାପା ତାକୁ ତଡ଼ି ଦେଲା ।