ସପନା-ହଇ ଲୋ ବଉ ! ମୁଁ ଚାକିରି ଇସ୍ତଫା ଦେବି । ତତେ ଏକୁଟିଆ ଘରେ ପକାଇ ରାତିରେ କିମିତି କରି ଗାଁ ବୁଲି ଯିବି ?
ସପନା ଯା କହେ, ସବୁ କଥାରେ ଚେମୀର 'ହଁ' । ହେଲେ ଚାକିରି ଛାଡ଼ି ଦେବାଟା ତା ମନକୁ ମାନିଲା ନାହିଁ । କ ହିଲା, "ଏ ଖାଉନ୍ଦ ! ତମେ ତ ଚାକିରି ଛାଡ଼ିବ, କିମିତି ଖାଇବା ପିନ୍ଧିବା" ?
ସପନା-ମୁଲକରେ ଏତେ ବିଲ-ଗାଁରେ ଏତେ ପୋଖରୀ ଗଡ଼ିଆ--ଭାତ ତୁଣ କଣ ଊଣା ହେବ ?
ଚେମୀ-ତମ ମନକୁ ଯା ଲାଗ କର ।
ରାତିରେ ଗାଁର ସାନ୍ତମାନେ ଭାଗବତ ଘରେ ବସିଛନ୍ତି, ସପନା ବେକରେ ଗାମୁଛା ଖଣ୍ଡ ପଟକା ପକାଇ ହାତ ଯୋଡ଼ି କହିଲା, "ଆଜ୍ଞା ସାନ୍ତମାନେ ! ମୋ ସାତ ପୁରୁଷ ଆପଣମାନଙ୍କ ଚରଣରେଣୁ ଗୋଲାମ-ଚରଣରେଣୁ ନୁଣ ଖାଇଲେ-ମୁଁ ଏଣିକି ଚାକିରି କରି ପାରିବି ନାହିଁ । ଆପଣମାନଙ୍କ ଚରଣରେଣୁରେ ଇସ୍ତଫା ଦେଲି ।" ସାନ୍ତମାନେ ଆପଣା ଆପଣା ମଧ୍ୟରେ ଢ଼େର ବେଳଯାଏ ବିଚାର କଲେ, ଶେଷରେ ଜମିଦାର ବଳରାମ ନାୟକେ କ ହିଲେ, "ନାହିଁରେ, ତୋ ଇସ୍ତଫା ନିଆଯିବ ନାହିଁ । ଯିମିତି ଚୌକିଆ ଥିଲୁ, ସିମିତି ଥିବୁ । ହେତା ହଳା ସବୁ ପାଇବୁ । ଗାଁ ବୁଲି ନ ଆସିବୁ ପଛକେ ।"
ସପନା ଆସି ବହୂକୁ ସବୁ କଥା କହିଲା । ଚେମୀ ମନ ତ ଖୁସୀ; "ଏ ଖାଉନ୍ଦ ! ଭଲ କଲ, ଚାକିରି ଥାଉ, ମୁଁ ଇମିତି ସାନ ହେଲି-ଡରି ଗଲି । ବଡ଼ ହେବି, ଡରିବି ନାହିଁ, ତମେ ଗାଁ ବୁଲି ଘିବ । ମୁଁ ପଲାରେ ଶୋଇଛି, ଡର ମାଡ଼ିଲା, ପାଟି କଲି, ଧାଇଁ ଆସିଲ । ବାଘ ନା ଭାଲୁ, କିଆଁ ଡରିଲି ? ମୋ ମା କହିଲା-"
ହଁ ଖାଉନ୍ଦ ! ଆମ ଗାଁରେ ବୁଢ଼ୀ ମଙ୍ଗଳା ଠାକୁରାଣୀ ଅଛନ୍ତି, ସେ ମଣିଷ ଦୁଃଖ ଶୁଣନ୍ତି । ତମେ ଠାକୁର ହରି ହରି କୁହ, ବୁଢ଼ା ଶଶୁରେ ସବୁଦିନେ କହୁଥିଲେ, ହରି କାହିଁ ? ଆଚ୍ଛା, ଗାଁରେ ବାଡ଼ି ପଡ଼ିଲେ ତାକୁ ପୂଜା ଦେଲେ ଯୋଗନୀ ପଳେଇବ ନା ?
ସପନା-ନାହିଁ ଲୋ ବଉ-ହରି ଯେ ବଡ଼ ଠାକୁର, ସେ ଖାଇବାକୁ ପିଇବାକୁ ସବୁ ଦେଉଛନ୍ତି, ଆମର ସବୁ କାମ ଦେଖୁଛନ୍ତି, ମନ କଥା ଜାଣୁଚନ୍ତି । ଆମେ ଭଲକାମ କରିବା, ତାଙ୍କୁ ଭଜିବା, ସେ ସୁଖ ଦେବେ । ମନ୍ଦକାମ କଲେ, ତାଙ୍କୁ ଅମାନ୍ୟ ହେଲେ, ସେ ଦୁଃଖ ଦେବେ ।
ଚେମୀ-ସବୁକଥା ତ ହରି ଦେଖିବ, ଅଳିଆ କାମ କଲେ ଦୁଃଖ ଦବ, ବାପ ଲୋ ! ମୁଁ ସିମିତି କାମ କରିବି ନାହିଁ, ସବୁବେଳେ ତମ ପରି ହରିକୁ ଡାକିବି । ଏ ଖାଉନ୍ଦ ! ମତେ ପାଇଟି ଶିକେଇ ଦିଅ । ମା କ ହିଛି, ତମ କଥା ମାନିବି-ତେମେ ଯା କହିବ, ସବୁ ଶୁଣିବି ।
ଗେରସ୍ତ ଭାରିଯା ଦୁଇଟି ପ୍ରାଣୀ ସବୁବେଳେ ଏକ ସାଙ୍ଗରେ ଥାନ୍ତି, ଛାଡ଼ବାଡ଼ ଥାଏ ନାହିଁ, ଜଣକୁ ନ ପଚାରି ଆର ଜଣ କିଛି ପାଇଟି କରେ ନାହିଁ । ଜଣକ ମନରେ ଦେହରେ ଦୁଃଖ ହେଲେ ଆଉ ଜଣକ କାନ୍ଦି ପକାଏ । ସପନା ସାନ୍ତ ଘର ପାଇଟିକୁ ଗଲେ ଚେମୀ ଟୋକେଇଟିଏ କାଖେଇ ପଛେ ପଛେ ଯାଏ । ସପନା ବିଲରେ କାମ କରୁଥିବାବେଳେ ଚେମୀ ଘଷି ସାଉଣ୍ଟେ । ହିଡ଼ ତଳୁ ପିତାଶାଗ, ମଦରଙ୍ଗା ଶାଗ ତୋଳେ, ଗାତରୁ କଙ୍କଡ଼ା ଧରେ ।