ପିଞ୍ଛାରେ କେତେ ବଖରା ଛାମୁଣ୍ଡିଆ କରି ପକାଇଥିଲେ, ସେଥିରୁ ଗୋଟାଏ ଘରେ ସବୁ ଜିନିଷ ରଖି ଦେଲେ । କାଲି ବିଭା । ମଙ୍ଗନରାତିରେ ସବୁ କୁଣିଆ ପହଞ୍ଚିଗଲେ । ଖନ୍ଦା ଲାଗିଗଲା । ସେହି କୁଣିଆ ଭିତରୁ ଚାରି ଜଣ ରାନ୍ଧୁଣୀ ପରଷୁଣୀ ବାହାରି ପଡ଼ିଲେ । ବୁଢ଼ା ପାତ୍ର ସାନ କତିରୁ ବଡ଼ଯାଏ ସବୁ ଜାତିପୁଅଙ୍କ ହାତ ଧରି, ଗୋଡ଼ ଧରି କହୁଥାଏ, "ସାନ୍ତମାନେ ! ଗୋସେଇଁମାନେ ! ପଞ୍ଚୁଠାକୁରମାନେ ! ଏ କାମ ଆପଣମାନଙ୍କର, ପୁଅ ଆପଣମାନଙ୍କର, କାମ ତୁଲେଇ ନେଉନ୍ତୁ ।" ସତକୁ ସତ ସମସ୍ତ କାମ ତୁଲେଇ ନେଲେ, ବିଭା ହୋଇଗଲା । ଜାତିପୁଅ ମାନେ ଖୁସି ହୋଇ ବିଦା ହୋଇଗଲେ । ଯିବାବେଳେ ବାଟରେ କୁହାକୁହି ହୋଇ ଯା ଉଥାନ୍ତି, "ଜାତି ଭିତରେ ଏଡ଼େ କାର୍ଯ୍ୟଟା କେହି କରିନାହିଁ । ସବୁ ଜାତିପୁଅଙ୍କୁ କିଏ ବରଣି ଥାଏ ? ଖୁଆଇ ପିଆଇ ଭୋର କରିଦେଲା । ତାଟିଆକୁ ତାଟିଆ ବିରି ଡାଲି, ବାଛୁରୀ ପରି ବଡ଼ ବଡ଼ ପୁଞ୍ଜାଏ ଗାରଡ଼ ବାନ୍ଧି ଦେଲା, ଚାରି ମାଠିଆ ତାଡ଼ି, କେତେ ପିଇବ ପିଅ ! ଧନ୍ୟ ଧନ୍ୟ । ସିମିତିକା ସାନ୍ତମାନଙ୍କୁ ଖଟିଛି ଏକା ।"
ବହୂଟି ଘରକୁ ଆସିଲା, ଦେଖିବାକୁ ବେଶ ଡଉଲଡାଉଲ, କିଏ କହିବ କଣ୍ଡରାଘର ଝିଅ ? କରଣ ଖଣ୍ଡାଇତ ଘର ଝିଅ ପରି ଦିଶେ । ଗୁଣ ବି ସିମିତି, ତା ହାତ ରନ୍ଧା ମଦରଙ୍ଗା ଶାଗ ଖରଡ଼ା, ଚେଙ୍ଗ ମାଛ ଅଣ, କଙ୍କଡ଼ା ସିଝା ଯିଏ ଖାଇଛି, ପାସୋରି ପାରିବ ନାହିଁ । ଏ କଥାଗୁଡ଼ାକ ଏକା ବୁଢ଼ା ପାତ୍ର ମୁହଁରୁ ଶୁଣି ଲେଖିଛୁଁ । ଘଷି ସାଉଁଟିବା, ଗୁଣ୍ଡିକାଠ ଗୋଟେଇବା, ଗାତ ଭିତରୁ କଙ୍କଡ଼ା ଧରି ଆଣିବା, ସବୁ ଗୁଣରେ ପୂରା । ସଞ୍ଜବେଳେ ବୁଢ଼ା ଗାଁରୁ ବୁଲି ଆସିଲେ ବହୂ ଠେକିଏ ପାଣିରେ ଗୋଡ଼ ଧୋଇଦିଏ । ସାଙ୍ଗେ ସାଙ୍ଗେ ତିନି ପୁରୁଷର ବାସନ ଭଙ୍ଗା ପଥୁରିରେ ଭାତ, ଚାକୁନ୍ଦା ଶାଗ ଖରଡ଼ା, କଙ୍କଡ଼ା ପୋଡା, ଚେଙ୍ଗ କୁଟୁରୀ ଅଣ, ତିନି ତିଅଣ କରି ପରଷି ଦିଏ । ବୁଢ଼ା ଏତେ ତିଅଣ ତିଅଣ କେବେ ଖାଉଥିଲା ? ତେନ୍ତୁଳି ଫୁଟେ ଲୁଣଟିକକୁ ଭାତ ନିଅଣ୍ଟ । ବହୂର ଏସବୁ ଗୁଣ ଦେଖି ବୁଢ଼ା ଦିନେ ନିରୋଳାରେ ବସି ଢ଼େର 'ହାୟ ! ହାୟ' କରି କାନ୍ଦିଲା । ଏଡ଼େ ଭାଗ୍ୟଟା ହୀନକପାଳୀ ବୁଢ଼ୀ ଦେଖିପାରିଲା ନାହିଁ ।
ବିଭା ଚାରି ଛ ମାସ ବାଦ । ଦିନ ପହରେ ହେଲାଣି, ବୁଢ଼ା ବିଛଣାରୁ ଉଠି ନାହିଁ ! ସପନା ପଚାରିଲା, "କିଲୋ ବାପା, ଏତେବେଳ ଯାଏ ଶୋଇଛୁ ?" ବୁଢ଼ା ପୁଅ ବହୂଙ୍କୁ ପାଖରେ ବସାଇ କହିଲା, "ଆରେ ସପନା, ମୋ ସାଙ୍ଗରେ ଯାଇ ପିଲାଦିନୁ ପୁରାଣ ଶୁଣିଛୁ, ଢ଼େର କଥା ମୁଁ ବି ଶିଖେଇଛି, ମନରେ ରଖିବୁ-
ଚୋରି ନାରୀ ଖୁଣି-ନ କରି ଯହିଁ ଯା ପୁଣି । ଲୋଭ ନ କରିବୁ ପରଧନେ, ମିଛ ନ କ ହିବୁ କଦାଚନେ ।
ବହୂଲୋ, ଏହି ସପ୍ନି ହେଲା ତି ଖାଉନ୍ଦ-ତୋ ଠାକୁର ଦେବତା-ୟା କଥା ଏଡ଼ିବୁ ନାହିଁ । ମୋ ଦେହଟା କିମିତିକା ଦେଖୁଛି, ଆଉ ବର୍ତ୍ତିବି ନାହିଁ" ।
ପୁଅ ବହୂ ଦୁହେଁ ଢ଼େର କାନ୍ଦିଲେ । ଚାରି ପାଞ୍ଚ ଦିନ ଖିଆ ଶୁଆ ଛାଡ଼ି ବୁଢ଼ାର ଢ଼େର ସେବା କଲେ । ବଡ଼ ବୁଢ଼ା ହୋଇଥିଲା, ଦିନ ଛଅଟା ଜରରେ 'ହରି ହରି' କହି ଚାଲିଗଲା । ପୁଅ ବହୂ ଢ଼େର କାନ୍ଦିଲେ । ଗାଁ ଲୋକେ 'ହାୟ ! ହାୟ !' କହିଲେ, ନୀଚ କୁଳରେ ଇମିତିକା ସତ୍ୟବନ୍ତ ଧାର୍ମିକ ଦେଖା ନାହିଁ ।
ବୁଢ଼ାର ଶୁଦ୍ଧ ବାଦ ଗଲାଣି, ଦିନେ ସପନା ଚେମୀ ବସି ବିଚାର କଲେ-