ବିଦିଆ ପାତ୍ରର ପୁଅ ସପନାର ବିଭା ଲାଗି ଢ଼େର ଢ଼େର ଜାଗାରୁ କନ୍ୟାର ବାତନି ଆସିଲାଣି । ଏଡ଼େ ବଡ଼ ଗାଁର ଚୌକିଆ, ତା ପୁଅ ଲାଗି କଣ କନ୍ୟାର ଅଭାବ ? ସପନା ପିଲାଟା ଯିମିତି ଦେଖିବାକୁ ଡଉଲ ଡାଉଲ, ଗୁଣ ବି ସିମିତି, କାମ ପାଇଟିକୁ ରାହୁ । ବାପାକୁ ଖୁବ୍ ମାନେ, ବାପ କଥା ତଳେ ପଡ଼ିବ ନାହିଁ । ବାପ ବାଧିକା ପଡ଼ିଲେ ଦିନ ରାତି ପାଖରେ ଜଗି ବସି ସେବାରେ ଲାଗିଥିବ । ମକ୍ରାମପୁର ଚୌକିଆ ଦଣ୍ଡିଆ ପାତ୍ର ଝିଅ ଚେମୀକୁ ଦେଖି ବୁଢ଼ାର ମନ ମାନିଗଲା । ତାହାରି ସାଙ୍ଗରେ ସପନାକୁ ବାହା କରିଦେବା କଥା ଠିକ କଲା । ଯିମିତି ହଉ ଏଇ ବର୍ଷ ବିଭା କଲେ ବନେ । ଉଛୁଣି ପୁଅର ସତର ବର୍ଷ ଚାଲିଛି, ଆଏନ୍ଦାକୁ ଯୋଡ଼ା ବୟସ ପଶିବ, ବିଭା ହେବ ନାହିଁ । ବିଭା କରାଇବି-ହଁ-ବୋଇଲା, ରଙ୍କ ତିରିଶା । ଯେତେ ଟାଣିଟୁଣି ଖରଚ କର, ତିରିଶ ଟଙ୍କାରୁ ଊଣା ନୁହେଁ । ଜାତି ଭାଇମାନେ କଣ ଛାଡ଼ିବେ ? ଏଡ଼େ ବଡ଼ ଚାକିରିଟାରେ ଅଛି, ନାମ ଡାକ, ନାହିଁ ବୋଲିଲେ କିଏ ଶୁଣେ ? ଅତି ନିକୁଛ ଦିବେଳ ତ ଜାତି ଗୋସେଇଁମାନଙ୍କୁ ମୁଖଧଉତ କରାଇବି । ହାତରେ ନାହିଁ ପଇସାଏ, ଯାହା କରିବେ, ଯାହା ଦେବେ ହରି । ଢ଼େର ବେଳଯାଏ ହାତ ଯୋଡ଼ି ପ୍ରଭୁଙ୍କୁ ଡାକିଲା, "ପ୍ରଭୁ ! ତୁମ ଇଚ୍ଛା ହେଲେ ପୁଅଟି ଦିହାତକୁ ଚାରିହାତ ହେବ ।"
ଦିନେ ରାତିରେ ପୁରାଣପାଠ ସରିଲା ବାଦ ଗାଁର ମୁଖଣ୍ଡ ମୁଖଣ୍ଡ ସାନ୍ତମାନେ ବସିଥାନ୍ତି, ବିଦିଆ ପାତ୍ର ହାତ ଯୋଡ଼ି ଜଣାଇଲା, "ଆଜ୍ଞା, ସାନ୍ତମାନଙ୍କ ହୁକୁମ ହେଲେ ପଦେ ଗୁହାରି ଜଣାଇବି । ଆଜ୍ଞା, ଆପଣମାନଙ୍କ ଚରଣଧୂଳି ଲାଗି ପୁଅଟି ପାରିଗଲାଣି । କନ୍ୟାଟିଏ ଠିକ୍ କରିଛି, ଆଜ୍ଞା ହେଲେ ହାତଛନ୍ଦା କରେଇ ଦେବି ।"
ସବୁ ସାନ୍ତ ବସି ମୁହଁ ଚାହାଁଚାହିଁ ହେଉଛନ୍ତି, କାହାର ପାଟି ଫିଟନାହିଁ । ଜମିଦାର ବଳରାମ ନାୟକେ ଗୋଟାଏ କାମ ବାହାନା କରି ବିଦିଆ ପାତ୍ରକୁ ଆଉଆଡ଼େ ପଠାଇ ଦେଲେ । ତହିଁ ବାଦ୍ ସମସ୍ତଙ୍କ ମୁହଁକୁ ଚାହିଁ କହିଲେ, "ଦେଖନ୍ତୁ, ଗ୍ରାମର ସମସ୍ତ ମୁରବି ଲୋକେ ତ ଅଛନ୍ତି । ବିଦିଆ ଊଣା ପୂରା ପଚାଶ ବର୍ଷ ହେଲା ଗାଁଟାକୁ ଆଗୁଳିଛି । ତା ବାହାଦୌଲତରେ ଚୋରି ଚପାଟି କିଛି ଶୁଣାନାହିଁ । କେବେ ସେ କିଛି ମାଗି ନାହିଁ । ମାଗିବା ଲୋକ ନୁହେଁ । ଲୋକଟି ଯିମିତି ସତ୍ୟବାଦୀ, ସିମିତି ଧାର୍ମିକ । ତା ହାତରେ ପଇସାଏ ଥିବ ନାହିଁ ଜଣା । ଆସନ୍ତୁ ଆମେମାନେ ତା ପୁଅକୁ ବାହା କରେଇ ଦେବା ।"
ସମସ୍ତେ ଏକାବେଳକେ କହି ପକାଇଲେ, "ଆଜ୍ଞା ! ଆଜ୍ଞା ! ସାନ୍ତ ଯାହା ଆଜ୍ଞା କଲେ ଠିକ କଥା । ଆମେମାନେ ମନ ନ ଦେଲେ ସେ କିମିତି ଚଳିବ ?"
ଜମିଦାରଙ୍କ ଆଜ୍ଞାରେ ଅବଧାନେ ରଙ୍ଗାଧର ମହାନ୍ତିଏ ଧାଇଁ ଯାଇ ଲେଖନ ପତ୍ର ଘେନି ଆସିଲେ । ବିଭାଘରକୁ ଯାହା ଲୋଡ଼ା-ବିରୀ, ଚାଉଳ, ତେଲ । ଲୁଣ, ସୋରିଷ, ଖଲିପତ୍ର ଖଣ୍ଡକ ସୁଦ୍ଧା ତାଲିକା ହେଲା । ପୁରୋହିତ କଣ୍ଡରା ବୈଷ୍ଣବ, ତାପାଇଁ ମୂର୍ତ୍ତିଏ ଲୁଗା, ଚାରିଅଣା ଦକ୍ଷିଣା ସବୁ ତାଲିକାରେ ବସିଲା । ମଣିଷ ଚିହ୍ନି ସବୁ ଗାଁଯାକ ଭେଦା ହୋଇଗଲା ।
ଆଜି ଅଭଡ଼ା ମଙ୍ଗନ । ବିଭା ଆଉ ଦୁଇଦିନ ଅଛି । ସକାଳ ଦିନ ପହରକ ସମୟରେ ଜମିଦାରଙ୍କ ଦୁଆରୁ ଭାର ଯାଇ ପାତ୍ର ଦୁଆରେ ଜମା ହେଲା । ଜମିଦାର ଗାଁର ସମସ୍ତଙ୍କ ଘରୁ ତୁଣ୍ଡେଇ ଘରେ ଠୁଳକରି ରଖିଥିଲେ । ପାତ୍ରର ତ ସାତ ପାଞ୍ଚ ଗୋଟିଏ ପଲାରେ, ପଦାର୍ଥ ସବୁ ରଖୁଛି କାହିଁ ? ଦୁରଦୁରାନ୍ତରୁ କୁଣିଆ କୁଟୁମ୍ବ ଆସି ରହିବାଲାଗି ବାପ ପୁଅ ଲାଗି ଖଜୁରୀ