ପୃଷ୍ଠା:Galpa swalpa.djvu/୧୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ନୁହେଁ। ଚିତାଏ ଉଞ୍ଚା ମୂଳିବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ "ଏ ରାମ ପଇଡ଼େ-ଜାଗତା, ଏ ନାଇକ ଘର ହୁସିଆର", ଏହିପରି ଡାକି ଡାକି ଦୁଆର ଦୁଆର ରାତିସାରା ବୁଲୁଥିବ। ବିଦିଆ ପାତ୍ର ଚୌକିଦାରୀ କଲା ଦିନରୁ ଗାଁରେ କାହାରି ଘର ପୀଢ଼ାରୁ ପୋଇଡଙ୍କଟାଏ ବି ଚୋରି ଯାଇ ନାହିଁ। କଥା କଣ କି, ମଫସଲ ଗାଁରେ ଚୋରମାନେ ଚୌକିଆ ଓର ନ ଧରିଲେ ଗାଁ ଭିତରେ ପଶି ପାରନ୍ତି ନାହିଁ। ଫେର ତା ବାଦ ବିଦିଆ ଗୋଟାଏ ପଞ୍ଚହତା ମରଦ। ଠେଙ୍ଗାଟାଏ ଧରିଥିଲେ ଦଶ ଜଣ ଭେଣ୍ଡିଆ ପାଖ ପଶି ପାରିବେ ନାହିଁ। ଏଥିଲାଗି ଚୋରଯାକ ଭରସି ଭୂଷଣ୍ଡପୁର ଗାଁ ମୁହାଁ ହୋଇ ପାରନ୍ତି ନାହିଁ।

ବିଦିଆର ବର୍ତ୍ତମାନ ମାଣେ ଦିଗବାରି ଜାଗିରି। ତା ବାଦ ଫସଲ ଅମଳ ବେଳେ ଗାଁର ସାନ ବଡ଼ ସମସ୍ତେ ବିଲ ମୁଣ୍ଡରେ ତାକୁ ଗୋଟାଏ ଗୋଟାଏ କଳେଇ ଦିଅନ୍ତି। ପାତ୍ରପୁଅ ସବୁବେଳେ ମନ ଆନନ୍ଦରେ ଥାଏ, ସବୁବେଳେ ହରେକୃଷ୍ଣ ହରେକୃଷ୍ଣ ଭଜୁଥାଏ। ଥିଲା ନଥିଲା କୁ ତାର ଶୋଚନା ନାହିଁ। ଘରେ ଅଛି, ଖାଇଲା-ନାହିଁ, ଉପାସ ରହିଲା। ଜୀବନଟାଯାକ କାହାରିକୁ କିଛି ମାଗିନାହିଁ, କାହାରି ଦୁଆରେ ଆଦୁର୍ଯ୍ୟ ହୋଇ ନାହିଁ। କିଛି ଦୁଃଖରେ ପଡ଼ିଲେ ହାତ ଯୋଡ଼ି ଉପରକୁ ଅନାଇ ଜଣାଏ, 'ହରି ତୋ ମରଜି!'

ବୁଢ଼ୀଟି ମଲା ଦିନରୁ ବିଦିଆ ପାତ୍ର ସଞ୍ଜ ସଞ୍ଜ ଚାରିଟା ଖାଇ ଦେଇ ପୁଅଟିକୁ ଧରି ଘରୁ ବାହାରିଯାଏ। ଭାଗବତ ଘର ଆଗ ପିଣ୍ଡାତଳେ ଖଣ୍ଡେ ଛିଣ୍ଡା ତାଟ ପାରି ଦେଇ ପୁଅଟିକୁ ଶୋଇଦିଏ। ଭାଗବତ ଘରେ ପୁରାଣ ଗାଦି ବିଜେ। ଗାଁର ପୁରୋହିତ ବିଷ୍ଣୁ ପଣ୍ଡାଏ ପୁରାଣ ପଣ୍ଡା। ତାଙ୍କର ସେଥିକି କିଛି ବର୍ତ୍ତନ ନାହିଁ। ପୁରାଣ ବଢ଼ା ଦିନ ଗାଁର ସାନ ବଡ଼ ସମସ୍ତଙ୍କୁ ସଙ୍ଖୁଳା ହୁଏ। ପୁରାଣ ଶୁଣ ନ ଶୁଣ, ଆପଣା ମଗଦୁର ଭରି କିଛି କିଛି ଦେବାକୁ ପଡ଼ିବ। ପଇସା ନାହିଁ ତ, କେହି ଦିମାଣ ଧାନ କାନିରେ ବାନ୍ଧି ଆଣି ଢ଼ାଳି ଦେଇ ଗଲା। ସବୁଦିନେ ପୁରାଣ ହୁଏ। ଖାଲି ଉଆଁସ, ପୁନେଇ, ସଂକ୍ରାନ୍ତି, ଗୁରୁବାର ବନ୍ଦ। ପଣ୍ଡାଏ ଉଖୁଡ଼ା ପୁଞ୍ଜାଏ ନୋହିଲେ ଗୁଡ଼ ଟୋପାଏ ଭୋଗ ଦେଇ ହାତ ତାଳି ମାରି ଚାଲିଯାନ୍ତି। ସେ ସବୁଦିନରେ ଗାଁର ମୁଖିଆ ମୁଖିଆ ଲୋକେ ଅଧରାତିଯାଏ ବସି ଗାଁର ଭଲ ମନ୍ଦ, ହାରି ଗୁହାରି କଥା ବୁଝାବୁଝି କରନ୍ତି।

ଗାଁର ବୁଢ଼ା ଭଳିଆ ଲୋକେ ରୋଜ ରୋଜ ପୁରାଣ ଶୁଣିବାକୁ ଆସନ୍ତି। ଦେହ ବାଧିକା ଅବା ହାତରେ କିଛି ପାଇଟି ଥିଲେ, ଦିନେ ଅଧେ ଆସି ପାରନ୍ତି ନାହିଁ। ମାତ୍ର ଭେଣ୍ଡିଆଟି ଦିନରୁ ଆଜିଯାଏ ଚାଳିଶ ପଚାଶ ବର୍ଷ ମଧ୍ୟରେ ବିଦିଆ ପାତ୍ର ହାଜର ହେବାର ଦିନେ ବି ଛୁଟଣ ନାହିଁ, ବାଧିକି ପଡ଼ିଲେ କୁନ୍ଥେଇ କୁନ୍ଥେଇ ବେଳେ ଆସିବ। ପୁରାଣ ଆରମ୍ଭ 'ଶ୍ରୀ ଶୁକ ଉବାଚ' କତିରୁ ଶେଷ 'ଭୀମସ୍ୟାପି' ଯାଏ ହାତ ଯୋଡ଼ି ବସି ମନ ଦେଇ ଶୁଣୁଥାଏ। ପୁରାଣ ପାଠ ବେଳେ କୌଣସି ସ୍ଥାନରେ ଅର୍ଥର କିଛି ଅଖଞ୍ଜ ହେଲେ ସମସ୍ତେ ଅନାଇ କହନ୍ତି, "ପାତ୍ରପୁଅ , ଏ ଜାଗାରେ ପାଠ କଣ ହେଲା?" ପାତ୍ର ହାତ ଯୋଡ଼ି 'ଆଞା ସାନ୍ତମାନେ' କହି ଗୀତର ଏମନ୍ତ ସୁନ୍ଦର ଅର୍ଥ କରିଦିଏ ଯେ, ସମସ୍ତଙ୍କ ମନ ଖୁସି। ପାତ୍ରକୁ ଭାଗବତର ଢ଼େର ଜାଗା ପୈଟେ। ଅଧ୍ୟାକୁ ଅଧ୍ୟା ପାଠ ମୁହେଁ ମୁହେଁ କ ହିଯିବ। କଥା କହିବା ବେଳେ ଭାଗବତରୁ ଢ଼େର ଢ଼େର ପଦ ଦାଇକା ଦେଇ କ ହେ । ସାନ୍ତମାନେ ତାକୁ ପ୍ରଶଂସା କଲେ, ଦୁଇ ହାତରେ ଧିରେ ଧିରେ ଗାଲରେ ଚାପୁଡ଼ା ମାରିହୋଇ କ ହେ, "ଆଞା ସାନ୍ତେ, ମୁଁ କଣ୍ଡରା ବାପୁଡ଼ା କଣ ଜାଣେ, ସାନ୍ତମାନଙ୍କ ଚରଣରେଣୁ ସେବା କରି ଯା ଦିପଦ ଶିଖିଛି।"