ବାବୁ ରଘୁନାଥ ଦେ-ଆଉ ଜାହାଜ ଯାଉଥିଲା, ଡାହାଣୀମୁଣ୍ଡ ଏଇଠି ଗଡ଼ିଲା ବୋଲି ଜାଣ । ମଣିଷ କାହାନ୍ତି ଯେ, ଜାହାଜ ବାହି ନେବେ ? କଥା କଣ କି, ସବୁ ଦେଶର ଖଲାସୀଗୁଡାକ ଛୋଟ ଜାତି, ଭାରି ମଦୁଆ । ଜାହାଜ ତ ବନ୍ଧା ହୋଇ ପଡ଼ିଲା, ହାତରେ କାମ ପାଇଟି ନାହିଁ, ଲଗେଇଲେ ମଦପିଆ । କଳା ମରିଚ, ବାଖର, ଚାଉଳ ଦେଇ ଏଇ ରକମ ମଦ ତିଆରି କଲେ, ଦିନ ରାତି ତାକୁ ବସି ପିଇଲେ । କଳାମରିଚ ଆଉ ବାଖର ହେଲା ନିଆଁ ପରି ଗରମ । ସେଗୁଡାକ ହେଲେ ଶୀତଳ ଦେଶ ଲୋକ, ସହିବ କ୍ୟାଁ ? ଲମ୍ବ ଲମ୍ବ ଧଣ୍ଡ ପରି ଶୋଇ ଗଲେ । ଜାହାଜ ଚଳାଉଛି କିଏ ?
ପରମ ପରିଜା-ସେଗୁଡ଼ାଙ୍କ ଡରରେ ଇଂରେଜ ଫିରିଙ୍ଗୀ ବି ଡରି ମରି ରହିଛି, ଆମ୍ଭମାନଙ୍କୁ କଣ ରଖିବେ ? ଆସନ୍ତୁ ଆଜି କତିରୁ ଖାଲି ଇଂରେଜମାନଙ୍କ ସାଙ୍ଗରେ ବଳରାମଗଡ଼ି ଆଉ ସୂତାନୁଟି ହାଟରେ କାରବାର କରିବା । ସେ ଗୁଡ଼ାକ ସାଙ୍ଗରେ ଆଜି କତିରୁ କାରବାର ବନ୍ଦ ।
ବାବୁ ରଘୁନାଥ ଦେ-ଏଇ ଯେ ସୂତାନୁଟି ହାଟ କଥା କହିଲେ, ତାର ହାଲ ଜାଣନ୍ତି ? ସେ ଜାଗା ଅଡ଼ତଦାର କତିରୁ ସବୁ ହାଲ ବୁଝିଛୁଁ । ଇଂରେଜ ଫିରିଙ୍ଗୀ ଭିତରେ ଗୋଟାଏ ସାହେବ ଅଛି, ସେ ଲୋକଟି ବଡ଼ ଧାର୍ମିକ । ମଦ ମାଉଁସ କିଛି ଖାଏ ନାହିଁ, ରୋଜ ରୋଜ ଗଙ୍ଗାସ୍ନାନ କରେ, କାଳୀଘାଟରେ ପୂଜା ଦିଏ, ଖାଲି ଯଅ ଛତୁ ଆଉ ଚଣା ଖାଏ । ଦେଶ ଭିତରେ ତା ନାମଡାକ ଭାରି, ତାକୁ ଯବଚଣାଖିଆ ସାହେବ ବୋଲି ଡାକନ୍ତି । ଏଇ ଯେ ସୂତାନୁଟି ହାଟ ଦେଖୁଛ, ଆଗେ ସେଇଟା ଭାରି ଜଙ୍ଗଲ ଥିଲା । ସେଇ ଯବଚଣାଖିଆ ସାହେବ ବଣ କାଟି ହାଟ ବସେଇଛି । ତାହାର କାରବାର ବଡ଼ ଠିକ-ରୋକଠୋକ । ଦେଶ ଲୋକେ ତାକୁ ଠାକୁର ପରି ମାନନ୍ତି । ଦେଶ ଭିତରୁ ଖୁବ ଦୁରଦୁରାନ୍ତରୁ ମହାଜନ ଜମିଦାରମାନେ ଆସି ସୂତାନୁଟିରେ ଘର ବନେଇଲେଣି, ଉଞ୍ଚା ଉଞ୍ଚା କୋଠାଘର ଭର୍ତ୍ତି ହୋଇ ଗଲାଣି । ସାହେବର ତେଲଙ୍ଗା ପାଇକମାନେ ହାଟରେ ପହରା, ଚୋର ତସ୍କର ନାମ ନାହିଁ । ଆଉ ସେସାହେବ କଣ କରିଛି କି, ହାଟର ଉତ୍ତର ପଟରେ ଭାରି ଗୋଟାଏ ନାଳ ଖୋଳିଛି । ମରହଟ୍ଟା ପଶି ପାରିବ ନାହିଁ, ଆଉ ଡର କାହାକୁ ? ହାଟରେ ମାଲ ପଦାରେ ପଡ଼ିଥାଉ, କେହି ଅନାଇ ଦେବାକୁ ନାହିଁ ।
ବାବୁ ଜଗଦବନ୍ଧୁ ମଲ୍ଲ କହିଲେ, "ତେବେ ଏତେ କଥାରେ ଲାଭ କଣ ? ଆସ ଆଜିଠାରୁ ଆଉ ଫିରିଙ୍ଗୀମାନଙ୍କ ସାଙ୍ଗରେ କାରବାର କରିବା ନାହିଁ-ଖାଲି ଇଂରେଜ ବଣିଆଙ୍କ ସାଙ୍ଗରେ ଲେଣ୍ ଦେଣ୍ । ସବୁ ଜାହାଜ ସୂତାନୁଟି ହାଟକୁ ପଠାଇବା ।"
ମଲ୍ଲ ବାବୁଙ୍କ କଥା ସମସ୍ତଙ୍କ ମନକୁ ଘେନିଲା । ସମସ୍ତଙ୍କର ଏକରାଏ । ହରିବୋଲ ଦେଇ ସଭା ଭାଙ୍ଗି ସମତେ ଆପଣା ଆପଣା ଘରକୁ ଗଲେ ।
ବଗଲା ବଗୁଲୀ
ବିଦିଆ ପାତ୍ର ଭୂଷଣ୍ଡପୁର ଗାଁର ଚୌକିଆ । ଏଡ଼େ ବଡ଼ ଗାଁଟା, କଣ୍ଡରା ବୋଇଲେ ବିଦିଆ ଏକୁଟିଆ । ଅଛବ ଲୋକଟା, ସେ କଣ ଭଲ ଲୋକଙ୍କ ଘର ଲଗାଲଗିରେ ଘର କରିବ? ଗାଁ ମୁଣ୍ଡ ଦିମାଣ ଜମି ଛାଡ଼ି ପଦା ଡିହରେ ଗୋଟିଏ ପଲାଘର । ଜାତିରେ ତ କଣ୍ଡରା-ଚୌକିଆ ବାପୁଡ଼ା ବୋଲି ପୁଞ୍ଜି ନୁହେଁ । ହେଲେ, ଗାଁ ଲୋକ ତାକୁ ମାନନ୍ତି । ସେ ଆଉ ଗାଁ ଚୌକିଆ ପରି