Jump to content

ପୃଷ୍ଠା:Galpa swalpa.djvu/୧୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରାତିରେ ଚେମୀ ରନ୍ଧାବଢ଼ା କରୁଥିବାବେଳେ ସପନା ହରିଣସ୍ତୁତି, ଗଜସ୍ତୁତି ଗାଏ । ଭାଗବତ ବି ଢ଼େର ପଦ ଶିଖିଛି, ଏଠୁ ସେଠୁ ଢ଼େର ପଦ ଗାଏ । ଚେମୀ କାନ ଡେରି ଶୁଣୁଥାଏ । ପଢ଼ାପଢ଼ି ସରିଲେ, ଠାକୁର ହରି, ଦୟା କର, କହି ହାତଯୋଡ଼ି ଭୂଇଁରେ ଢ଼ପ ଢ଼ପ କରି ତିନି ଥର ମୁଣ୍ଡିଆ ମାରେ, ତା ବାଦ ସପନା ଗୋଡ଼ତଳେ ତିନି ଥର ଜୁହାର ହୋଇ ତା ପାଦରୁ ଧୂଳି ନେଇ ମୁଣ୍ଡରେ ମାରେ । ପ୍ରତିଦିନ ସଞ୍ଜବେଳେ ଏହିପରି କରେ । ଯେଊଁଦିନ ହାତର କିଛି ପାଇଟି ନାହିଁ, ଦୁଇଜଣ ଦୁଇଜଣଙ୍କୁ ଅନାଇ ପିଣ୍ଡାଟିରେ ବସିଥାନ୍ତି ।

ବୁଢ଼ା ରାମ ପରିଡ଼ାକୁ ସପନା ଅଜା ସାନ୍ତ ବୋଲି ଡାକେ, ତାଙ୍କରି ଘରେ ଢ଼େର ଦିନ ପାଇଟି କରେ । ପରିଡ଼ା ବୁଢ଼ା ଦିନେ ଦିନେ ସପନାକୁ ଡାକିବାକୁ ଆସି ଦେଖେ, ଦୁଇଜଣ ଏକାଜାଗାରେ ବସିଛନ୍ତି ଟାପରା କରି କହେ, "କି ରେ ସପନା, ତୁମେ ଦୁଇଟା ଯେ ବଗଲା ବଗୁଲୀ ପରି ବସିଛ ।" ରୋଜ ରୋଜ ଟାପରା କରି ବଗଲା ବଗୁଲୀ ବୋଲି କହୁଁ କହୁଁ ପରିଡ଼ାର ଅଭ୍ୟାସ ହୋଇ ଗଲାଣି । ସବୁବେଳେ ଡାକେ, "ଆରେ ବଗଲା, ଆଲୋ ବଗୁଲୀ !" ତା ଶୁଣାଶୁଣି ଗାଁ ମାଇକିନିଆମାନେ ବି ଚେମୀକୁ ଟାପରା କରି କହନ୍ତି, "ଆଲୋ ବଗୁଲୀ, ତୋ ବଗଲା ଲାଗି କଣ ରାନ୍ଧିଥିଲୁ ?" ସତକୁ ସତ ସମସ୍ତେ ଦେଖୁଛନ୍ତି, ସବୁଦିନେ ସବୁବେଳେ ବଗଲା ବଗୁଲୀ ପରି ଦୁଇ ଜଣ ଏକା ସାଙ୍ଗରେ ଅଛନ୍ତି । ଶେଷକୁ ଗାଁରେ ନାମ ହୋଇଗଲାଣି-ବଗଲା ବଗୁଲୀ ।

ବର୍ଷାଦିନରେ ବଗଲା ବଗୁଲୀର ଭାରି ଆନନ୍ଦ । ବିଲ ବଛାବେଳେ ଦୁଇ ଜଣଙ୍କୁ ପାଇଟି ମିଳେ । ସପନାର ମୂଲ ପାଞ୍ଚମାଣ, ଚେମୀର ଚାରି ମାଣ; ଖାଇ ପିଇ ପାଞ୍ଚମାଣ ଧାନ ବଳିପଡ଼େ ।

ଏଇଟା ବଡ଼ ଭଲ ବର୍ଷ । ଅର୍ଜ୍ଜନ ଚାରିଆଡ଼େ । ପଛପାଣିଆ ଯୋଗୁଁ ସମସ୍ତଙ୍କ ବିଲବଛା ଏକ ସାଙ୍ଗରେ, ମୂଲିଆ ମିଳୁ ନାହାନ୍ତି । ମୂଲ ବଢ଼ି ଯାଇଛି, ସପନାର ମୂଲ ଛ ମାଣ, ଚେମୀର ପାଞ୍ଚ ମାଣ । ଘରେ ଧାନ ଗୋଟାଏ ମାଠିଆ, ଯୋଡ଼ାଏ ତାଡ଼ିଆ ଭର୍ତ୍ତି ହୋଇ ସପନା ଗୋଟାଏ ସାନ ଓଳିଆ ବାନ୍ଦି ଦେଲାଣି । ଲକ୍ଷ୍ମୀ ଆଲିଙ୍ଗନ କଲାବେଳେ ଚାରିଆଡୁ ଅର୍ଜ୍ଜନ ମିଳେ । ବିଲ ବଛାବେଳେ ହାତରେ କଙ୍କଡ଼ା ଚେଙ୍ଗ ପଡ଼ିଯାଏ, ହିଡ଼ମୂଳରେ ମଦରଙ୍ଗା କାନଶିରି ଶାଗ ବଲ୍ ବଲ୍; କାମ ଉଠାଣି ହାତ ବୁଲେଇ ଦେଲେ ଦିନତମାମ ଚଳିଲା । ଏ ବାଦେ ଚେମୀ ବିଲ ଟିକରା ମୀଳରୁ କାଇଁଚ କାଟିଆଣି ଗୋଟାଏ ଖଇଞ୍ଚି ବୁଣିଛି । ଚେମୀକୁ ଢ଼େର ପାଇଟି ଆସେ । କାଇଁଚ ପାଛିଆ ବୁଣି ଗାଁ ବୋହୂ ଝିଅଙ୍କୁ ବିକି ଚାଉଳ ଧାନ ଆଣେ । ଦୁଇ ଜଣ ବିଲବଛା ପାଇଟିରେ ଲାଗି ଥିବାବେଳେ ଖଇଞ୍ଚିଟି ପାଣିମାହାରା ହିଡ଼ମୂଳରେ ବସାଇ ଦେଇଥାନ୍ତି । ପାଇଟି ଉଠାଣି ବେଳକୁ ଚେଙ୍ଗ କୁଟରି, କଉ, ଟିପିରି ଶେଉଳ ପହଣା ଖଇଞ୍ଚିରେ ଭର୍ତ୍ତି । ଦିନେ ଦିନେ ଦୁଇ ତିନିଥର ଖଇଞ୍ଚିଟା ଝାଡ଼ି ପକାନ୍ତି ।

ଆଜିକାଲି ସଞ୍ଜବେଳେ ଦୋକାନୀ ଦୁଆରକୁ ଧାନ ଘେନି ଯିବାକୁ ହୁଏ ନାହିଁ, ମାଛ ଦି ହତା ଘେନି ଗଲେ ତେଲ ଲୁଣ ଧୂଆଁପତ୍ର ସବୁ ମିଳିଗଲା । ଚେମୀ ଦି ନଉତି ସରିକି ପିତା ଶୁଖୁଆ ଶୁଖାଇ ଚାରିମାସ ତିଅଣକୁ ଥାତି ବାନ୍ଧି ସାରିଳାଣି । ଭଲ କରି ଶୁଖାଇ ଶୁଖୁଆଗୁଡ଼ିକ ଗୋଟାଏ ପାଛିଆରେ ପୁରାଇ ଘର ଶେଣୀରେ ଟଙ୍ଗା ଶିକାଟିରେ ଥୋଇ ଦେଇଛି । ଆଜିକାଲି ଦି ପ୍ରାଣୀ ଭିତରେ ଆନନ୍ଦର ସୀମା ନାହିଁ ।

ଅଶିଣମାସିଆ ଦିନେ ରାତି ଘଡ଼ିକ ବେଳେ ଦି ଜଣଙ୍କର ଖିଆପିଆ ସରିଲାଣୀ । ଚେମୀ ଗୁଡ଼ାଏ ବିଲ ମାଛ ବୁଢ଼ୀ ପରିଡ଼ାଣୀକୁ ଦେଇ ମାଟିକୁମ୍ପାରେ କୁମ୍ପାଏ