କରଞ୍ଜତେଲ କିଣି ଆଣି ଘରେ ଥୋଇ ଦେଇଛି । ମଫସଲ ଚାଷବନ୍ଦି ଘରେ ସମସ୍ତେ ଖରାଦିନେ ତେଲୀ ଦୁଆରୁ କରଞ୍ଜ ପେଡ଼ି ଆଣି ବର୍ଷା ଦିନ ଲାଗି ତେଲ ସାଇତି ରଖିଥାନ୍ତି । ଦିନଯାକ ପାଣି କାଦୁଅରେ ବୁଲି ବୁଲି ଗୋଡ଼ ଯୋଡ଼ାକ ପାଣି ଖାଇ ସିଠୁଆ ପଡ଼ିଯାଏ, ଆଙ୍ଗୁଳି ସନ୍ଧି ସବୁ ଘା ହୋଇଯାଏ । ରାତିରେ କରଞ୍ଜ ତେଲ ଲଗାଇ ଦେଲେ ତହିଁ ଆର ଦିନ ସକାଳକୁ କିଛି ନ ଥାଏ । ଖଣ୍ଡେ ଛିଣ୍ଡା କତରା ପାରି ଦେଇ ସପନା ଶୋଇ ପଡ଼ିଛି । ଚେମୀ ଗୋଡ଼ର ପାଣିଖିଆଜାଗା ଆଙ୍ଗୁଳି ସନ୍ଧିମାନଙ୍କରେ କରଞ୍ଜ ତେଲ ଲଗାଇ ଦେଉଛି । ଚେମୀ କଥା ଆରମ୍ଭ କଲା, "ଏ ଖାଉନ୍ଦ ! ତେମେ ଦେଖ, ଘରେ ଶୋଇ ପଡ଼ିବାକୁ ଆଉ ଜାଗା ନାହିଁ । ବାଳୁଙ୍ଗା ପାଚିଲାଣି, ମୁଁ କାଲି ସକାଳୁ ଝାଡ଼ି ଯିବି । ଆଉ କେଉଁଠି ରଖିବା ? କଣ କରିବା ?
ସପନା- ହଁ ଲୋ ବଉ ! ମୁଁ ସେଇ କଥା ଉଛୁଣିକା ମନରେ ପକାଇଥିଲି । ଆଚ୍ଛା, ଧାନ ବିକିଦେଇ ଟଙ୍କା ପଇସା ଆଣି ଘରେ ରଖିବା ।
ଚେମୀ-ନାହିଁ, ଏ ଖାଉନ୍ଦ-ସେ ବଡ଼ ଅଳିଆ କଥା । କେତେ ଧାନକୁ କେତେ ପଇସା ଗଣି ଜାଣିବା ନାହିଁ, ଆଉ ଟଙ୍କା ପଇସା ଦେଖିଲେ ଚୋର ଟସକର ଦୁଆରକୁ ଆସିବେ । କେଉଁଠି ପୋତି ପକାଇବା, ଭୁଲି ଗଲେ ଗଲା । ମୋ ମା ଥରେ ଚାରିଟା ପଇସା ପୋତି ପକାଇ ଥିଲା-ପାଇଲା ନାହିଁ, ଢ଼େର କାନ୍ଦିଲା ।
ସପନା-ତେବେ ଧାନ ସବୁ ରାମ ମାସନ୍ତ ତନ୍ତୀକୁ ଦେବା, ସେ ତୋ ଲାଗି ଖଣ୍ଡେ ରଙ୍ଗ କସ୍ତା ଶାଢ଼ୀ ବୁଣି ଦେବ । ଚେମୀ-ନାହିଁ, ଖାଉନ୍ଦ ! ମୁଁ ପିନ୍ଧି ଜାଣିବି ନାହିଁ, ଚିରି ଯିବ । ମୁଁ କହୁଛି, ଅଜା ପରିଡ଼ା ସାନ୍ତ ଶୀତଦିନେ ଯିମିତିକା କଳା ଅଙ୍ଗା ଲଗାନ୍ତି, ତେମେ ବାଲିସର ହାଟକୁ ଯାଇ ସିମିତିକା ଗୋଟାଏ କିଣି ଆଣ । ଶୀତ ହେଲେ ଲଗାଇବ, ବଡ଼ ସୁନ୍ଦର ଦିଶିବ । ସପନା-ତୁ ନାଲି ରଙ୍ଗ ଶାଢ଼ୀ ପିନ୍ଧିଲେ ସୁନ୍ଦର ଦିଶିବ । ଚେମୀ-ତେମେ ଅଙ୍ଗା ଲଗାଇଲେ ସୁନ୍ଦର ଦିଶିବ । ଦୁଇ ଜଣଙ୍କ ଭିତରେ ଢ଼େର ବେଳଯାଏ କଥା ଚଳିଲା । ଶେଷରେ ସପନା ପ୍ରସ୍ତାବରେ କଥା ସ୍ଥିର ହେଲା, କାବୁଲି ପଠାଣ ଆସିଲେ ତାକୁ ସବୁ ଧାନ ଦେଇ ଗୋଟାଏ ରଙ୍ଗ କମ୍ବଳ କିଣିବେ, ଶୀତ ଦିନରେ ଖଡ଼ିକା ହେଁସ ଘୋଡ଼ି ହେବେ ନାହିଁ, ସେଇ କମ୍ବଳ ଘୋଡ଼ି ହେବେ । କଥା ଭାଷା ହେଉ ହେଉ ଦୁଇ ଜଣଯାକ ଶୋଇ ପଡ଼ିଲେଣି ।
ଦିନ ଘଡ଼ିଏ ହେଲାଣି, ଦି ଜଣଯାକ ସୋଇଛନ୍ତି । ରୋଜ ରୋଜ ଚେମୀ ଆଗରେ ଉଠେ, ଆଜି ଉଠି ନାହିଁ । ସପନା କହିଲା, "କି ଲୋ ବଉ, ତୋ ଦିହ ତାତିଲା ପରି ଲାଗୁଛି, ଜର ହେଲା କିଲୋ ?"
ଚେମୀ-ହଁ, ଦିହଟା କିମିତିକା କସମସ କରୁଛି । ଏ ଖାଉନ୍ଦ, ତମ ଦିହଟା ତାତି ଲାଗୁଛି, ଜର ହେଲା କି ? ଆଲୋ ମା ଲୋ ! ଆଲୋ ବୋପା ଲୋ ! କଣ କରିବି ଲୋ ! ଠାକୁର ହରି ! ମୋ ବାପ ଗାଁ ମଙ୍ଗଳା ! ମୋ ଖାଉନ୍ଦକୁ ଭଲ କରି ଦେ ।
ସପନା-ନାହିଁ ଲୋ ବଉ, ଡର ନା, ଠାକୁରେ ଭଲ କରି ଦେବେ । ତୁ ଯା ପଥି ରାନ୍ଧ, ମତେ ମାଣେ ଧାନ ଦେ, ସାଉ ଦୁଆରୁ ରସୁଣ ଘେନି ଆସେଁ ।
ଗରମ ଗରମ ପେଜମିଶା ଭାତରେ ପାଣି ଢ଼ାଳି ରସୁଣ ଦେଇ ଦୁଇ ଜଣ ପଥି କଲେ ।