Jump to content

ପୃଷ୍ଠା:Galpa swalpa.djvu/୧୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଚାରି ଦିନ ଗଲା, ପାଞ୍ଚ ଦିନ ଦିନ ସପନାର ଜର ବଳି ପଡ଼ିଲା, ପଥି ଛାଡ଼ିଲା । ଚେମୀର ଖାଇବାର ନାହିଁ, ଶୋଇବାର ନାହିଁ । ସପନାର ତ ବଳେ ନିଦ ନାହିଁ, ଚେମୀ ଗୋଡ଼ ତଳେ ବସି ଦିନ ରାତି ଖାଲି ଠାକୁର ହରି ଆଉ ବାପ ଗାଁ ମଙ୍ଗଳାଙ୍କୁ ଡାକୁଛି । ଚେମୀ ଆଉ ଧୈର୍ଯ୍ୟ ଧରି ରହିପାରିଲା ନାହିଁ । ଖାଉନ୍ଦକୁ କହି ଗାଁ ବୈଦ୍ୟରାଜ ନକୁଳି ନାୟକ ଦ୍ୱାରକୁ ଧାଇଁଲା । ସେ ଏକୁଟିଆ କେବେ ଘରୁ ବାହାରି ନାହିଁ । ଆଜି ଗାଁ ଗୋହିରି ମଝି ବାଟେ ଚାଲିଛି । ଗୋଡ଼ ପୋତି ପଡୁଛି, ଆଖିରେ ପାଣି ଭର୍ତ୍ତି, ବାଟ ଦିଶୁ ନାହିଁ-ବୈଦ୍ୟ ଘରକୁ ଧାଇଁଛି । ଚେମୀ ପାଞ୍ଚ ଛ ବର୍ଷ ହେଲା ଶଶୁର ଗାଁକୁ ଆସିଲାଣି, କାହାରି ମୁହଁ ଦେଖି ନାହିଁ, କାହାରିକୁ ଅନାଏ ନାହିଁ, ଖାଉନ୍ଦ ଛଡ଼ା ଆଉ କାହାରି ସାଙ୍ଗରେ କଥା ନାହିଁ । ଠାକୁର ଦେବତାଙ୍କୁ ମନ ମଧ୍ୟରେ ଡାକି ଡାକି ଖୁବ୍ ହେମତ ଧରି ଗଲା । ହେମତ୍ ଧରି ବୈଦରାଜକୁ ସପନା ଜର କଥା କହିଲା । ବୈଦ୍ୟ ନକୁଳି ନାୟକେ ବଟୁଆ ଫିଟାଇ ଗୋଟାଏ ତସର କୁଆ ଭିତରୁ ଚାରିଟା ଜ୍ୱରରାଘବ ବଟିକା ଦେଲେ; କହିଲେ, "ତୁ ତ ମହୁ ପାଇବୁ ନାହିଁ, ତୁଳସୀ ରସ ଜରପାପଡ଼ା ରସ ଗୋଳି ଦେଇ ଚାରି ପହରରେ ଚାରି ପାନ ଦେବୁ, ଜ୍ୱର ନ ଛାଡ଼ିଲେ ପାଣି ଧରି ଆସିବୁ ।" ଛ ଦିନ ଦିନ ଜ୍ୱର ବଳି ପଡ଼ିଲାଣି । ଚେମୀ ସାଙ୍ଗରେ କଥାନାହିଁ କେତେବେଳେ ଗୀତ ଗାଉଛି, ଭାଗବତ ପଦ ପଢ଼ୁଛି, ବିଲ କଥା କହୁଛି, ଆଖି ଯୋଡ଼ାକ କୋଚିଆରକ୍ତପରି ଲାଲ୍ । ଚେମୀ ସାରୁ ପତ୍ରଟାରେ ପାଣି (ଛୁତ) ଧରି ଖାଉନ୍ଦକୁ କିଛି ନକହି ବୈଦ୍ୟ ଦୁଆରକୁ ଧାଇଁଲା । ବୈଦ୍ୟରାଜ ଦୂବ ଘାସ କେରାକରେ ପାଣିରେ ଟୋପାଏ ତେଲ ପକାଇଲେ, ତେଲ ବୁନ୍ଦା ଧରି ରହିଲା ମେଲିଲା ନାହିଁ । ରୋଗିର ବୃତାନ୍ତ ସବୁ ଶୁଣି କହିଲେ, "ଘୋର ସନ୍ନିପାତ, କସ୍ତୁରୀ ଭୈରବବଟିକା ଲୋଡ଼ା, ଚାରି ଟଙ୍କା ଦାମ୍ ଆଣ ।" ଚେମୀର ପାଟି ପ୍ରାୟ ପଡ଼ିଗଲାଣି; ଖୁବ୍ କଷ୍ଟରେ କହିଲା, "ମୁଁ ଟଙ୍କା କାହୁଁ ପାଇବି, ଘରେ ଧାନ ଅଛି, ସବୁ ଆଣି ଦେବି ।" ଚେମୀ ଘରକୁ ଧାଇଁଧାଇଁ ଆସିଲା, ଖାଉନ୍ଦକୁ ଅନାଇଲା, କିଛି କଥା କହିଲା ନାହିଁ । ହିବ କଅଣ-ଖାଉନ୍ଦ କଥା ଶୁଣୁଛି, ନା କହୁଛି ଖାଲି ଉଠ ବସ ହେଉଛି, ପାଟି କରୁଛି । ଚେମୀ ପାଛିଆଟିରେ ପାଛିଆଏ ଅମପା ଧାନ ପୂରାଇ କାଖେଇ ବୈଦ୍ୟ ଦୁଆରକୁ ଧାଇଁଲା । ବୈଦ୍ୟ ଆଗରେ ଧାନ କୁଢ଼େଇ ଦେଲା-ଚେମୀମା ବିଭାବେଳେ ଅଢ଼େଇ ମସା ରୂପାର ଗୋଟାଏ ମୁଦି ଦେଇ ଥିଲା, ଘୋରି ଯିବ ବୋଲି ଚେମୀ ସବୁ ଦିନେ ଲଗାଏ ନାହିଁ, ସେହି ମୁଦିଟା ବୈଦ୍ୟଙ୍କୁ ଦେଲା । ତାଙ୍କ ପାଖରୁ ଔଷଧ ଘେନି ଧାଇଁଛି । ଚେମୀ ଚାରି ଦିନ ହେଲା ଟୋପାଏ ପାଣି ମୁହଁରେ ଦେଇ ନାହିଁ, ତା ଜ୍ୱର ବି ଭଲ ଛାଡ଼ି ନାହିଁ, ଭିତରେ ଭିତରେ ଜ୍ୱର ଅଛି । ସକାଳୁ ଦିନ ଦିପହର ଯାଏ ଧାଇଁଛି । ଚେମୀ ଘରକୁ ଯାଇ ଦେଖିଲା, ସପନା ପାଟି ଆଁ କରି ପଡ଼ି ଯାଇଛି । ଚେମୀ 'ଏ ଠାକୁର ମଙ୍ଗଳା !' କହି ସପନା ଗୋଡ଼ ତଳେ ଦୁଲ୍ କରି ପଡ଼ିଗଲା । ସପନାର ଟିକିଏ ଟିକିଏ ଜ୍ଞାନ ଥିଲା । ଚେମୀ ମୁହଁକୁ ଏକ ଧ୍ୟାନରେ ଅନାଇଛି । ଦୁହେଁ ଦୁହିଁଙ୍କୁ ଦେଖୁଛନ୍ତି ।

ତହିଁ ଆରଦିନ ଗାଁରେ ଚହଳ ପଡ଼ିଗଲା-ବଗଲା ବଗୁଲୀର ଜ୍ୱର ହୋଇଥିଲା, ଦୁଇ ଦିନ ହେଲା ତାଟି ଫିଟି ନାହିଁ । ଗାଁ ଲୋକେ ଧାଇଁଲେ । ସମସ୍ତେ ହାୟ ହାୟ କରୁଛନ୍ତି । ଜମିଦାର ବାବୁ ସପନା ଶ୍ୱଶୁର ଗାଁକୁ ଧାଉଡ଼ିଆ ପାଇକ ପଠାଇଦେଲେ ।

ଗାଁର ସମସ୍ତ ସ୍ତ୍ରୀ ଚେମୀ ଲାଗି ହାୟ ହାୟ କଲେ, ଯିବାବେଳେ ସମସ୍ତେ ହୁଳହୁଳି ପକାଇଲେ । ଗାଁର ସମସ୍ତଙ୍କ ମୁହଁରେ ଏକ କଥା-ଧନ୍ୟ ଧନ୍ୟ ସ୍ୱାମୀ ସ୍ତ୍ରୀ ପ୍ରେମ ! ନୀଚ କୁଳରେ ବି ଏମନ୍ତ ଧର୍ମ, ଏମନ୍ତ ପ୍ରେମ ଥାଏ !