ପୃଷ୍ଠା:Galpa swalpa.djvu/୧୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଫକୀରମୋହ‌ନ ଗ୍ରନ୍ଥାବଳୀ

ଖରଚ କରିବୁ, ଆଉ କାଲି ତୋତେ ଗୋଟାଏ ଅଙ୍ଗା କିଣି ଦେବି ।”

ମକରୁ ଆଉ କିଛି କଥା ନ କହି କମ୍ବଳ ଘୋଡ଼ି ହୋଇ ଗମ୍ଭୀରି ଭିତରେ ଧାରଣା ଦେଇ ଶୋଇ ପଡ଼ିଲା ।

ଏଣେ ସା’ନ୍ତାଣୀଙ୍କ ମନରେ ସୁଖ ନାହିଁ । ଗାଧୋଇ ଆସି ଆପଣା ଶୋଇବା ଘରେ ଖଣ୍ଡେ ଆସନ ପାରି ବସିଲେ, ଯେତେ ଠାକୁର ଦେବତାଙ୍କ ନାମ ମନରେ ପଡ଼ିଲା, ବାବୁଙ୍କ ଗ୍ରହ ଅବଳ ଶାନ୍ତି ପାଇଁ ପ୍ରାର୍ଥନା କଲେ । ଧବଳେଶ୍ୱରଙ୍କୁ ସହସ୍ର ପଞ୍ଚାମୃତ ମାନିଲେ । “ହେ ମା’ କଟକଚଣ୍ଡୀ ! କାଳୀଗଳିର କାଳୀ ଠାକୁରାଣୀ ! ବାବୁଙ୍କ ଦେହ ଭଲ ହୋଇଯାଉ, ମୁଁ ଦୁହିଙ୍କୁ ଦୁଇ ଖଣ୍ଡ କଳା କସ୍ତା ଶାଢ଼ୀ, ଯୋଡ଼ାଏ କଳା ବୋଦା ବଳି ଦେବି ।” ଏପରି ଠାକୁର ଦେବତା ଡାକୁ ଡାକୁ ଦିନ ତିନି ପହର ବିତିଗଲାଣି । ମନରେ କଲେ, ବାବୁ ଧ୍ୟାନରୁ ଉଠି କ’ଣ ଖାଇବେ ? ଅନ୍ନ ତ ଛୁଇଁବେ ନାହିଁ, ଫଳାହାର କରିବେ । ପାଚଲା କଦଳୀ, ନଡ଼ିଆ, ଛେନା, ଦୁଧ, ଦହି ସବୁ ସଜିଲ କରି ଘରେ ଥୋଇଦେଲେ । ଥରକୁ ଥର ବାହାର ଛାଇକୁ ଅନାଉଛନ୍ତି, ଆଉ ଦିନ ଦୁଇ ଘଡ଼ି ଅଛି – ମଝି ବାହାର ଖରା ଚାଳି ଉପରକୁ ଉଠି ଗଲାଣି । ହାତରେ ଆଉ କିଛି ପାଇଟି ନାହିଁ, ଘର ବାହାରେ ନହର ପହର ହେଉଛନ୍ତି । ସନ୍ଧ୍ୟା ହୋଇ ଆସିଲା, ଧୀରେ ଧୀରେ ଗମ୍ଭୀରି ଦୁଆର ପାଖକୁ ଗଲେ । ବାବୁ କହିଛନ୍ତି, ତିର୍ଲା ଲୋକ ଛାଇ ପଡ଼ିବ ନାହିଁ ! କାଳେ ପାଟିରୁ କଥା ବାହାରି ପଡ଼ିବ, ଆପଣା ପଣତକାନି ପାଟିରେ ଯାକି ଦେଲେ, ଅଳ୍ପ ଟିକିଏ କବାଟ ମେଲେଇ ଦେଲେ, ଘର ଭିତରଟା ଭଲ ଦିଶୁ ନାହିଁ, ଅନ୍ଧାରିଆ, ବାବୁ ସ୍ଥିର ହୋଇ ଧ୍ୟାନରେ ପଡ଼ିଛନ୍ତି । “ହାୟ ! ହାୟ ! ବାବୁଙ୍କୁ କେତେ ବାଧୁଥିବ ? ହେ ଠାକୁର ଦେବତାମାନେ ! ମୋ ବାବୁଙ୍କୁ ଭଲ କରିଦିଅ । ଦେବତାମାନେ ସତ ଅଛନ୍ତି, ଦୁଃଖୀର ଗୁହାରି ଶୁଣନ୍ତି, ମୁଁ କେତେ ପ୍ରାର୍ଥନା କଲି, ବାବୁଙ୍କ ନିଶାଖିଆ ଛଡ଼ାଇ ଦିଅ । ମା’ କାଳୀ ଠାକୁରାଣୀ ! ବାବୁଙ୍କ ଦେହ ଭଲ କରିଦିଅ । ଗୋଟାଏ କାଳିଆ ବୋଦା, ଆଉ ଗୋଟାଏ କାଳିଆ କୁକୁଡ଼ା ବଳି ଦେବି ।” ଭୂଇଁରେ ମୁଣ୍ଡ ଲଗାଇ ଠାକୁର ଦେବତାଙ୍କୁ ଢେର ଥର ଜୁହାର କଲେ ।

ତହିଁ ବାଦେ ଅଳ୍ପ ଦୁଆର ମେଲା କରି ଭିତରକୁ ଯିମିତି ଗୋଡ଼ ବଢ଼େଇ ଦେଇଛନ୍ତି, ଅନ୍ଧାରିଆ – କମ୍ବଳ ଭଲ ଦିଶୁ ନାହିଁ, ଏକାବେଳକେ ବାବୁଙ୍କ ମୁଣ୍ଡରେ ଗୋଡ଼ ପଡ଼ିଗଲା । ଜିଭ କାମୁଡ଼ି ପଛକୁ ନେଉଟି ପଡ଼ିଲେ, କାନ୍ଦି ପକାଇଲେ, ‘ହାୟ ! ମୁଁ କେଡ଼େ ଅପରାଧ କଲି ।’ ହାତଯୋଡ଼ି ବାବୁଙ୍କ ଉଦ୍ଦେଶ୍ୟରେ, ଠାକୁର ଦେବତାଙ୍କ ଉଦ୍ଦେଶ୍ୟରେ ଢେର ଥର କ୍ଷମା ମାଗିଲେ । ତହିଁ ଉତ୍ତାରେ ଧୀରେ ଧୀରେ ଭଲ କରି ଅନାଇ ଭିତରକୁ ଗଲେ । ବାବୁଙ୍କ ଦୁଇ ଗୋଡ଼ ତିନି ତିନି ଥର ମୁଣ୍ଡରେ ଲଗାଇ ଜୁହାର କଲେ । ଜୁହାର କଲା ବେଳେ କମ୍ବଳ ଗୋଟାଯାକ ଥରି ଯାଉଥାଏ । ଜୁହାର ବେଳେ ବାବୁଙ୍କ ଗୋଡ଼ରୁ, ହାତରୁ ଝାଳ ଲାଗିଲା । ‘ହାୟ ! ହାୟ ! ବାବୁ ଝାଳରେ ବୁଡ଼ି ଗଲେଣି ।’ ପଣନ୍ତକାନିରେ ଗୋଡ଼ ପିଠି ଭଲ କରି ପୋଛି ଦେଲେ । ମୁହଁ ପୋଛିବାକୁ ଯାଇ ଦେଖିଲେ, ମୁଛ ହାତକୁ ଲାଗିଲା ନାହିଁ । ‘ଏଁ – ଏ କଅଣ? ବାବୁଙ୍କ ମୁଛ କାହିଁ ?’ ଦୁଇ ଥର ଅଣ୍ଡାଳିଲେ, ତିନି ଥର ଅଣ୍ଡାଳିଲେ, ‘ନାହିଁ ତ – ମୁଛ କାହିଁ ?’ ଭାରି ସନ୍ଦେହ ହେଲା, କବାଟଟା ଭଲ କରି ମେଲାଇ ଦେଇ ଅନାଇଲେ, କମ୍ବଳଟା ଟାଣି ପକାଇଲେ । ଭାରି ରାଗି ଯାଇ ପଛକୁ ଡେଇଁ ପଡ଼ି ପାଟିଟାଏ କରି କହିଲେ, “ଡାଙ୍କୁଣୀଖିଆ – ଅଳପଇସିଆ – ନଈଶୁଆ, କି ରେ ମକ୍ରା, ତୁ