ପୃଷ୍ଠା:Galpa swalpa.djvu/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ଏଠି କ୍ୟାଁ ପଡ଼ିଛୁ ରେ?” ମକ୍ରା ଆଉ କ’ଣ କହିବ? ଚୋରଟି ପରି ହାତ ଯୋଡ଼ି କାନ୍ଥକୁ ଆଉଜି ତୁନି ହୋଇ ଛିଡ଼ା ହୋଇଛି । ସାନ୍ତାଣୀ ଘଡ଼ିଏ ଯାଏ ଗର୍ଜନ କରି ଥକି ପଡ଼ିଲେଣି । ତାହାବାଦେ ମନରେ ବିଚାର କଲେ – “ନାହିଁ, ନାହିଁ, ଗୋଳମାଳ କଲେ ଭଲ ହେବ ନାହିଁ । ଅସଲ କଥାଟା କ’ଣ ବୁଝିବାକୁ ହେବ ।' ମକ୍ରାକୁ ସଲାରେ ରଖିବାକୁ ହେବ । ଧୀରେ ଧୀରେ କଅଁଳେଇ କଅଁଳେଇ କହିଲେ, ଆରେ ମକରୁ! ତୁ ମାମୁଁ ଘରକୂ ଯିବୁ କହୁଥିଲୁ ପରା? ଯା – କାଲି ଯିବୁ। ଏଇ ନେ ଚାରିଟା ଟଙ୍କା, ବାଟ ଖରଚ କରିବୁ, ଖଜା କିଣି ଖାଇବୁ। କାଲି ତୋତେ ଗୋଟାଏ ମାଣିଆବନ୍ଧି ଜଥା ଦେବି, ପିନ୍ଧିବୁ। ଉଛୁଣି କିଛି ପାଟି କର ନା – ଯା, ରୋଷେଇଘର କୋଣରେ ତୁନି ହୋଇ ବସିଥିବୁ ।”

ମକ୍ରା ମନେ କରିଥିଲା, ସାନ୍ତାଣୀ ବାଡ଼େଇ ପକାଇବେ । ଏ କ’ଣ, ନଗଦ ସାଙ୍ଗେ ସାଙ୍ଗେ ଚାରିଟା ଟଙ୍କା, ପୁଣି ଯୋଡ଼ାଏ ଲୁଗା ମିଳିବ । ମନର ଆନନ୍ଦଟା ସମ୍ଭାଳି ପାରୁ ନାହିଁ । ସାନ୍ତଙ୍କ ଟଙ୍କା ପୁଞ୍ଜାକ ଅଣ୍ଟିରେ ଖୋଷିଥିଲା, କାଢ଼ି – ଏ ଟଙ୍କା ସାଙ୍ଗରେ ମିଳେଇ ଦୁଇ ଥର ତିନି ଥର ଗଣିଲା । ଆଠ ଟଙ୍କା ଭଲ କରି ଅଣ୍ଟିରେ ଖୋଷି ରୋଷେଇ ଘର କୋଣରେ ଲୁଚିଲା । ସାନ୍ତାଣୀ ଗମ୍ଭୀରି ଭିତରେ ମକ୍ରା ଜାଗାରେ ଧାରଣା ଦେଇ ପଡ଼ି ରହିଲେ ।

ରାତି ପହରକ ସରିକି ଚନ୍ଦ୍ରମଣି ବାବୁ ତୁନି ତୁନି ଆସି ଗମ୍ଭୀରି ଦୁଆରେ ପହଞ୍ଚି ଗଲେ । ପୁରା ନିଶା, ଚାଲିବା ବେଳେ ଗୋଡ଼ ଟଳି ଯାଉଛି, ପାଟି ଖନି ବାଜୁଛି, ଧଡ଼ କରି କବାଟଟା ମେଲାଇ ଦେଲେ । ମକ୍ରା ଧାରଣା ଦେଇ ପଡ଼ିଛି । ବାବୁ ଭାରି ଖୁସିଟାଏ ହୋଇ ନାଚି ନାଚି ଗୀତ ଆରମ୍ଭ କଲେ ।

‘ବାହାବା ମଜାଦାର!
ମଦ ଗଞ୍ଜା ଗୁଣ ଯେ ଜାଣେ ସେଇ ତ ସମଜଦାର । “

"ଉଠ ଭାଇ ମକ୍ରୁ! ସାବାସ ବାବା ମକ୍ରୁ! ମେରି ଦୋସ୍ତ ମକ୍ରାମ୍! ଶୁଣ ମକ୍ରା, ଉଠ, ଉଠ । ଏଥର କେଉ ଶଳା ଶାଳୀକି ଡରରେ? ମକ୍ରା! ଅଜିକା ମଜା କଥା କେତେ କ’ଣ କହିବି? ତୋ’ ସାନ୍ତାଣୀ ପୋଇଲୀଟା ଦି’ମାସ ହେଲା ଅଟକାଇଛି – ପାଟି ପଡ଼ି ଯାଇଥିଲା – ଦି’ମାସର ମଜା ଦିନକେ ଫତେ! ଆରେ ସେ କ’ଣ ଆଜିକା କଥା? ତା’ ସଙ୍ଗରେ ତିନି ବରଷର ଦୋସ୍ତି, ପ୍ରୀତି । ସେଇ ଯେ ଗୋପାଳ ବାବୁ ଦୁଆରକୁ ନାଚିବାକୁ ଆସିଥିଲା, ସେଇ ଦିନୁ ଦୋସ୍ତି । ସାବାସ! ମଜେଦାର! ତା’ ନାମ କ’ଣ ଜାଣୁ? ତୋ’ ସା’ନ୍ତାଣୀ ନାମଟା ହେଲା, ସୁଲ-ଚୁନା! ସୁଲ କ’ଣ ନା, ପୋଖରୀରେ ହୁଏ, ଚୁନା ଚକୁଳି ପିଠା ହୁଏ । ଛି, ଛି, ଛି! କି ଅପରଛନିଆ ନାମ! ତା’ ନମ ଉସ୍-ମାନ୍-ତା-ରା! ବାହାବା! ମଜେଦାର ! ଜିତେ ରହ ମେରି ଉସ୍ମାନ୍ ତାରା ! ନାମଟା ଯିମିତିକା, ଗୁଣ ବି ସେଇ ରକମ । ଗୁଣ ତଗୁଣ ଉସ୍ମାନ୍ ତାରା – କ୍ୟା ମଜେଦାର ! ଦେଖ ତ ମକ୍ରାମ୍, ତାର କେତେ ବୁଦ୍ଧି, କେତେ ମେହରବାନି! ପୁରୁଣା ଦୋସ୍ତି ଭୁଲି ପାରି ନାହିଁ । କାଲି ଆସି ଯିମିତି କଟକରେ ଗୋଡ଼ ଦେଇଛି, ମୋତେ ଡାକି ପଠାଇଛି । ମୁଁ ତାକୁ ଦେଖି ନିଧି ପାଇଗଲି, ସେ ତ ଆନନ୍ଦରେ ହସି ହସି ଢଳି ପଡ଼ିଲା । ମୁଁ ବିଛଣାରେ ବସିଛି କି ନା, ଲାଗିଲା ମାଲର ଧୂମ । ସବୁ ଠିକ୍ ଠାକ୍ ସଜିଲ କରି ରଖିଛି । ଟିପା ଗଞ୍ଜେଇ – ମଦତ ହୁକା – ମେରୁ, ସବୁ ଠିକ୍ । ଆଗ ଫିଟିଲା ମାଲ ବୋତଲ। ଆସ୍କା ରମ୍ ନୁହେଁ, ଅସଲ ବିଲାତୀ, ନମ୍ବର ଉଆନ୍! ତୁ ଯେବେ ଗ୍ଲାସେ ଟାଣି ଦିଅନ୍ତୁ, ଦେଖନ୍ତୁ ମଜା ! ଆମେ ଦି’ଜଣ ସଙ୍ଗେ ସଙ୍ଗେ ବୋତଲ ଖାଲି କରିଦେଲୁ ! ଖାଲି – ର – ତୁଚ୍ଛା – ର ଟୋପାଏ ପାଣି ନାହିଁ। ତୋ’ ସାନ୍ତାଣୀ ରୋଜ ନିଜେ ତିଆରି କରେ ପୁରି, ସରଭଜା, କ୍ଷୀରୀ । ଆରେ ଛି! ସେ ଗୁଡ଼ାକ ତ ବିରାଡ଼ି ଖାଏ । ସେ ଯେ କରି ରଖିଥିଲା ଲୁଣିଆ ବୁଟ-ଭଜା, ଶୁକୁଆ ପୋଡ଼ା, ମାଲ