ପୃଷ୍ଠା:Galpa swalpa.djvu/୧୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ସଙ୍ଗକୁ ମଜାଦାର, ପେଟେ ମାରିଦେଲି । ଦେ ମଜାଦାର! ତୋ’ ସାନ୍ତାଣୀକୁ ଚିତା ଦେଇ କିମିତିକା ଦଶ ଟଙ୍କା ମାରି ନେଇଥିଲି । ସେ ସବୁ ମଉଜ ଜାଗାକୁ ତୁଚ୍ଛା ହାତରେ କେହି ଯାଏ ? ତା’ ଆଗରେ ଟଙ୍କା ଯିମିତି ଥୋଇ ଦେଇଛି, ଟିକିଏ ଚାହିଁ ଦେଇ ମୁହଁ ମୋଡ଼ି ଦେଲା । ମୁଁ ହୁସିଆର ମଣିଷ, ତୋ’ ସାନ୍ତାଣୀ ପରି କ’ଣ ହେଣ୍ଡା ? ବୁଝି ପାରିଲି, ପସନ୍ଦ ହେଲା ନାହିଁ । କିମିତ୍ ପସନ୍ଦ ହେବ ରେ? ଦିନ ରାତିରେ ମଜୁରା କଲେ ଶହ ଶହ ପାଏ । ମୁଁ କହି ଆସିଛି, କାଲି ଶହେ ଟଙ୍କା ଦେବି । ସେ ହସି ହସି କହିଲା, ‘ଟଙ୍କା କ’ଣ ହେବ ? ତୁମେ ଆସିବ ।’ ସତ ସତ, ସେ କ’ଣ ଟଙ୍କା ଚାହେଁ? ଚାହେଁ ମୌଜ । ସେ ଟଙ୍କା ଚାହେଁ ନାହିଁ ତାର କ’ଣ ଟଙ୍କାର ଅଭାବ ? ହେଲେ ମୁଁ କ’ଣ ଅସତ୍ୟ ହେବି ? ଜବାବ ଦେଇଛି ତ, ଟଙ୍କା ଦେଇଛି। ‘ମରଦ୍କି ବାତ୍, ହାତୀକା ଦାଁତ୍।’ କାଲି ଟଙ୍କା ଶହେ କୋଉଠୁ ଆଣିବି ଜାଣୁ ? ହୋ ହୋ ହୋ ! ବଡ଼ ମଜା । ତୋ’ ସାନ୍ତାଣୀ ନାଟବନ୍ଦି ଟଙ୍କା ସେହି ସିନ୍ଧୁକରେ ରଖିଛି । ଗୋଟାଏ ଲୁହାକଣ୍ଟାରେ ସିନ୍ଧୁକଟା ଫିଟାଇ ପକାଇ ଆଚ୍ଛା କରି ଚିତା ଦେବି । ଦି’ ତିନି ଥର ଟଙ୍କା ନେଲିଣି । ସାନ୍ତାଣୀ ବୋପା, ତା’ ଗୋସାଇଁ ବାପା ବି ବୁଝି ପାରିବ ନାହିଁ । ସିନ୍ଧୁକରେ ଢେର ଟଙ୍କା ରଖିଛି, ମୋ’ ହାତରେ ପଡ଼ିଗଲେ କଟକର ଫାଙ୍କେ ମଉଜରେ ଭସାଇ ଦିଅନ୍ତି । ତୋ’ ସାନ୍ତାଣୀ ଯଦି ଗିଲାସେ ମଦ ଟାଣି ଦିଅନ୍ତା, ବୁଝନ୍ତା କେଡ଼େ ମଉଜ । ସେ ମଉଜ ବୁଝିଛି ଉସ୍-ମାନ୍-ତାରା । ଏଇଟା କାଠ ମୂର୍ତ୍ତିଟାଏ ! ଆଜି ମାଲ ସଙ୍ଗରେ ପେଟେ ଚାଟ୍ ପକେଇଛି । ତୋ’ ସାନ୍ତାଣୀ ବାପ ଶଳା ବି ସାତ ଜନ୍ମରେ ଦେଖି ନଥିବ ।”

ସାନ୍ତାଣୀ କମ୍ବଳ ଖଣ୍ଡକ ପାଞ୍ଚ ହାତ ଦୂରକୁ ଫୋପାଡ଼ି ଦେଇ ଡେଇଁ ପଡ଼ିଲେ । ଭାରି ଗୋଟାଏ ଗର୍ଜନ କରି କହିଲେ, “କ’ଣ କହିଲୁ, କ’ଣ କହିଲୁ ମଦୁଆ, ଯୋଗିନୀଖିଆ ! ମୋ’ ବାପ ତୋ’ ଶଳା ! ଦିନଯାକ କେଉଁଠି ପଡ଼ିଥିଲୁ ରେ? ହୁଁ କ’ଣ ଉସ୍ମାନ୍ ତାରା ।”

ବାବୁ ତ ଡରରେ ଛାନିଆ ହୋଇଗଲେଣି, ଚଞ୍ଚଳ କହି ପକାଇଲେ, “ନା – ନା, ମୁଁ କାହିଁ ଯାଇ ନାହିଁ, ଟିକିଏ ବାହାରକୁ ପ୍ରସାବ କରିବାକୁ ଯାଇଥିଲି – ତୁମ ରାଣ, ତୁମ ମୁଣ୍ଡ ଛୁଉଁଛି ।”

ସାନ୍ତାଣୀ ତ କ୍ରୋଧରେ ଅଜ୍ଞାନ । “ହଁ ରେ ମୋ’ ମୁଣ୍ଡ ଛୁଇଁଲୁ, ମୋ’ ମରିବାକୁ ଚାହିଁଛୁ?”

ଘରେ ଗୋଟାଏ ଛାଞ୍ଚୁଣି ପଡ଼ିଥିଲା; ସେଇଟା ଧରି ଦେ ପ୍ରହାର – ପ୍ରହାର – ପ୍ରହାର – ମୁଣ୍ଡରେ, ପିଠିରେ, ହାତରେ ଯେଉଁଠି ବାଜୁ! ବାବୁ ସମ୍ଭାଳି ପାରିଲେ ନାହିଁ, ଦେ ଦୌଡ଼! ନିଶା ଝୁଙ୍କରେ ଗୋଡ଼ ଟଳମଳ ହେଉଛି । ଦୁଲଦାଲ ପଡ଼ିଗଲେ । ତା’ ଉପରେ ବି ପାଣି ଅସରା ପରି ପଡୁଛି ।

ସାନ୍ତାଣୀ ଥକି ଯିବାରୁ ଘର ଭିତରକୁ ଯାଇ ଭୂଇଁରେ ଲଠ୍ କରି ଶୋଇ ପଡ଼ିଲେ। ଆକୁଳ ହୋଇ କାନ୍ଦୁଛନ୍ତି । କାନ୍ଦୁ କାନ୍ଦୁ ଯେତେ ଠାକୁର ଦେବତା ମନରେ ପଡ଼ିଲେ ସମସ୍ତଙ୍କୁ ଡାକି କ୍ଷମା ମାଗିଲେ, “ହେ ଠାକୁର ଦେବତାମାନେ! ମୋତେ କ୍ଷମାକର, ମୋ’ ଦେବତା ସ୍ୱାମୀକୁ ବାଡ଼େଇଛି, ବଡ଼ ଅପରାଧ କରିଛି, ଦୋଷ କ୍ଷମା କର, ଆଉ ମୋ ସ୍ୱାମୀକୁ ସୁବୁଦ୍ଧି ଦିଅ।” ରାତି ପାହି ଗଲାଣି । ସାନ୍ତାଣୀଙ୍କ ରାଗଟା ବି ଚାଲିଗଲାଣି । ଧୀରେ ଧୀରେ ଯାଇ ଦେଖିଲେ, ବାବୁ ଠାଁ ଭୂଇଁରେ ପଡ଼ିଛନ୍ତି। ନିଶା ଛାଡ଼ିଗଲାଣି, ସକାଳୁଆ ଶୀତଳ ପବନ ଲାଗି ଭାରି ନିଦଟାଏ ହୋଇଛି । ଘଡ଼ ଘଡ଼ କରି ନାକ ଡାକୁଛି । ସାନ୍ତାଣୀ ଅନାଇ ଦେଖିଲେ, ପିଠି, ହାତ, ଗୋଡ଼ ଜାଗା ଜାଗା ଛାଞ୍ଚୁଣି ମାଡ଼ରେ ଫୁଲି ଯାଇଛି । ଗୋଟାଏ ଗୋଟାଏ ଜାଗାରେ ରକ୍ତ ବହି ଶୁଖି ଗଲାଣି । ଏ ସବୁ ଦେଖି ଭାରି ଆକୁଳରେ