ପୃଷ୍ଠା:Galpa swalpa.djvu/୧୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


କାନ୍ଦିଲେ – “ହାୟ! ମୁଁ କ’ଣ କଲି ! ସ୍ୱାମୀଦେବତାଙ୍କୁ ଛାଞ୍ଚୁଣିରେ ବାଡ଼େଇଲି! ହାୟ! ହାୟ! ମୋ ଦଶା କ’ଣ ହେବ?” ଆଉ ଥରେ ଡାକିଲେ – ଠାକୁର ଦେବତାମାନେ! ମୋ’ ଦୋଷ କ୍ଷମା କର।” ଝର ଝର ହୋଇ ଦୁଇ ଆଖିରୁ ଦୁଇ ଧାର ବହୁଛି। ଗିନାଏ ରାଶି ମାଲପା ଆଣି ଫୁଲା ଜାଗାମାନଙ୍କରେ ଧୀରେ ଧୀରେ ଘଷି ଦେଲେ । ଦିନ ଦୁଇ ଘଡ଼ି ସରିକି ବାବୁଙ୍କ ନିଦ ଭାଙ୍ଗିଲା । ଟିକିଏ ଅନାଇ ଦେଲେ, ସା’ନ୍ତାଣୀ ପାଖରେ ବସିଛନ୍ତି। ମନରେ ଭାରି ଗୋଟାଏ ଡର ପଶିଗଲା, କେଜାଣେ ଆଉ ଥରେ ବା ଛାଞ୍ଚୁଣିରେ ବାଡ଼େଇ ପକେଇବେ । ଆଉ ନିଦ ତ ନାହିଁ, ଆଖି ବୁଜୁ ଘାଲେଇ ପଡ଼ିଥା’ନ୍ତି । ଆଉ ଥରେ ଧୀରେ ଧୀରେ ଅନାଇ ଦେଖିଲେ, ସା’ନ୍ତାଣୀଙ୍କର ରାଗର ଚିହ୍ନ ନାହିଁ। ଦୁଇ ଆଖିରୁ ଦୁଇଟା ଧାରା ବହି ଯାଉଛି, ଧୀରେ ଧୀରେ ଗୋଡ଼ରେ ତେଲ ଘଷି ଦେଉଛନ୍ତି। ସା’ନ୍ତାଣୀ ବୁଝି ପାରିଲେ, ବାବୁଙ୍କର ନିଦ ଭାଙ୍ଗିଗଲାଣି। ଚାରି ମାଠିଆ ଜଳ ଅଣାଇ ଶୋଇବା ଜାଗାରେ ଥୋଇଲେ – ବାବୁଙ୍କ ହାତ ଧରି ଉଠାଇ ବସାଇଲେ। ମୁଣ୍ଡରେ ଦେହରେ ଜଳ ଢାଳି ଭଲ କରି ସ୍ନାନଟା କରାଇ ଦେଲେ। ବାବୁଙ୍କର ନିଶାର ଖେଉରିରେ ଦେହଟା ଜଳୁଥିଲା, ଜଳ ପଡ଼ି ବଡ଼ ଆରାମ ଲାଗୁଥାଏ । ଆଖି ବୁଜି ଠାକୁରଟି ପରି ଧୀର ହୋଇ ବସିଥା’ନ୍ତି। ସା’ନ୍ତାଣୀ ଶୁଖିଲା ଲୁଗା ପିନ୍ଧାଇ ଦେଲେ। ରୋଷେୟା ଭାତ ପରଷି ଗଲା । ସା’ନ୍ତାଣୀ ବଳେଇ ବଳେଇ ଦି’ଟା ଭୋଜନ କରାଇଲେ; ତହିଁ ବାଦେ ଭଲ କରି ଶେଯଟା ପାରି ବାବୁଙ୍କୁ ଶୁଆଇ ଦେଲେ। କାଲିଠାରୁ ସା’ନ୍ତାଣୀଙ୍କର ଓପାସ, ଆଜି ବି ଜଳ ସ୍ପର୍ଶ ନାହିଁ । ସ୍ୱାମୀଙ୍କ ଗୋଡ଼ ତଳେ ବସି ହାତ ବୁଲାଉଛନ୍ତି । ଦିନଯାକ ଆଖିରୁ ପାଣି ଶୁଖିବାକୁ ନାହିଁ । ମନ ମଧ୍ୟରେ ଠାକୁର ଦେବତାଙ୍କୁ ଡାକୁଛନ୍ତି – “ହେ ପ୍ରଭୁ, ମୋ’ ଦୋଷ କ୍ଷମା କର, ମୋ ସ୍ୱାମୀଙ୍କୁ ସୁବୁଦ୍ଧି ଦିଅ ।” ଦିନ ଯାକ ସ୍ୱାମୀ ସ୍ତ୍ରୀ କାହାରି ମୁହଁରୁ କଥା ବାହାରି ନାହିଁ, ଘରେ ଚାକର ଚାକରାଣୀ ମଧ୍ୟ ସମସ୍ତେ ତୁନି ତାନି । ସ୍ୱାମୀ ସ୍ତ୍ରୀ କେହି କାହାରି ମୁହଁକୁ ଲାଜରେ ଭରସି ଚାହିଁ ପାରୁ ନାହାନ୍ତି। ପରସ୍ପର ଦୁହେଁ ଆପଣା ଆପଣାକୁ ଅପରାଧୀ ମଣି ମନସ୍ତୁଷ୍ଟି ପାଇଁ ସାଧ୍ୟାନୁସାରେ ଚେଷ୍ଟା କରୁଥା’ନ୍ତି। ବାବୁଙ୍କ ମନ ମଧ୍ୟରେ ପ୍ରତିଜ୍ଞା, ଆଜି ଠାରୁ ସବୁ ନିଶା ଗୋରକ୍ତ, ବିଷ୍ଠା ।

ଦୁଇ ମାସ ଗଲା, ଚାରି ମାସ ଗଲା, ଛ ମାସ ବି ଗଲାଣି। ସାଇ ପଡ଼ିଶା ଜ୍ଞାତି ବନ୍ଧୁ ବାବୁମାନେ ଦେଖିଲେ, ଚନ୍ଦ୍ରମଣି ବାବୁଙ୍କ ଘରେ ରୋଜ ସଞ୍ଜ ସକାଳ ଯେ ଦୁଇ ଜଣଙ୍କ ମଧ୍ୟରେ ଭଟ ଭଟ ଲାଗିଥାଏ, କିଛି ଶୁଣାଶୁଣି ନାହିଁ। ଦୁଇଜଣ ଏକ ଜାଗାରେ ବସି ହସି ଖୁସି କଥାବାର୍ତ୍ତା କରନ୍ତି, କିତାପ ପଢ଼ନ୍ତି । ଉତ୍କଳ ସାହିତ୍ୟ, ମୁକୁର, ଦୀପିକା ଖବରକାଗଜ ପଢ଼ନ୍ତି । ବାବୁ ହେଣ୍ଡ ନୋଟରେ ଢେର ଟଙ୍କା ଦେଣା କରି ପକାଇଥିଲେ, ବର୍ଷଟା ଭିତରେ ଅଧାଅଧି ଶୁଝି ଗଲାଣି । ବାବୁ ଘରୁ ବାହାରନ୍ତି ନାହିଁ । କେଉଁ ଜାଗାରୁ ନାଟ ତାମସାର ନିମନ୍ତ୍ରଣ ଆସିଲେ, ସା’ନ୍ତାଣୀ ହେଣ୍ଟାରିଲେ, ପେଲାପେଲି କଲେ ବି ବାହାରୁ ନାହାନ୍ତି । ଦିନେ ଦିନେ ସଞ୍ଜବେଳେ ଦୁଇ ଜଣ ବଗିଟିରେ ବସି ସହରଯାକ ବୁଲି ଆସନ୍ତି ।

ସହର ଲୋକେ, ସାଙ୍ଗସୁଙ୍ଗା ବାବୁମାନେ ଦେଖି ଶୁଣି ଆଶ୍ଚର୍ଯ୍ୟ! ଆରେ କଥା କ’ଣ? ବାବୁଙ୍କ ବାପେ ଜମିଦାର ଶ୍ୟାମ ପଟ୍ଟନାୟକେ ମାଷ୍ଟର ରଖି ବାବୁଙ୍କୁ ପଢ଼ାଇଲେ। ସ୍କୁଲରେ ବି ପଢୁଥା’ନ୍ତି । ଏତେ ପଢ଼ିଲେ କ’ଣ ହେଲା? ବଦ୍ ସଙ୍ଗରେ ପଡ଼ି ଭାରି ନିଶାଖୋର ହୋଇଗଲେ। କେବଳ ଦିନ ରାତି ବଦ୍‌ଖିଆଲି, ଚରିତ୍ର ଏକାବେଳକେ ଗଲା, ରାତିଯାକ ମନ୍ଦ ଯାଗାମାନଙ୍କରେ ବୁଲାବୁଲି, ଯେତେ ମତୁଆଲା ମନ୍ଦଲୋକ ସାଙ୍ଗ। ଭଲ ଲୋକେ ପାଞ୍ଚଜଣ କହିଲେ, ‘ପୁଅ ବିଭ ହେଲେ ଚରିତ୍ର ବଦଳି ଯିବ ।’ ରାମକୃଷ୍ଣ ମହାନ୍ତିଙ୍କର