ଫକୀରମୋହନ ଗ୍ରନ୍ଥାବଳୀ
ଦଶ ହଜାର କାରିଗର କାମରେ ଲାଗିଥାନ୍ତି । ସହରପାଖିଆ ନଦୀକୂଳ ପ୍ରାୟ ଦୁଇ କୋଶ ପର୍ଯ୍ୟନ୍ତ ହାଟ ବସିଲା ପରି ଲୋକଙ୍କ ଗହଳ ଚହଳ ଲାଗିଥାଏ । ରେଙ୍ଗୁନ, ଜାଭା, ବର୍ଣ୍ଣିଓ, ବିଶାଖାପତ୍ତନ, ଚିନାପାଟନା, ସିଂହଳ, ମାଲଦ୍ୱୀପ, ଲାକ୍ଷାଦ୍ୱୀପ ଅଭିମୁଖରେ ଯାଉଥିବା ଶତ ଶତ ଜାହାଜ ସମୁଦ୍ର ମଧ୍ୟରେ ହେରିଆ* ଖେଳୁଥିଲେ । ସେ ସମୟରେ ରେଲ ବା ଷ୍ଟିମରର ନାମ ଶୁଣା ନ ଥିଲା । ସମସ୍ତ ଉତ୍କଳର ବିଦେଶୀ ମାଲ ଆମଦାନି ରପ୍ତାନି ବାଲେଶ୍ୱର ବନ୍ଦର ବାଟେ ହେଉଥିଲା । ବଙ୍ଗଳା ଦେଶର ପ୍ରାୟ ଅର୍ଦ୍ଧାଂଶ ଜିଲ୍ଲା ଲୋକଙ୍କ ଖୋରାକୀ ଲୁଣ ବାଲେଶ୍ୱରୀ ଜାହାଜ ବହନ କରୁଥିଲେ । ବଙ୍ଗ ଦେଶ ନାମ ଜାଣିବା ପୂର୍ବରେ ପାଶ୍ଚାତ୍ୟ ଜାତି ଦିନାମାର ଓଲନ୍ଦାଜ, ଫରାସୀ, ଇଂରେଜ ବେପାରୀମାନେ ବାଲେଶ୍ୱର ବନ୍ଦରରେ ଦୋକାନ ମେଲିଥିଲେ । ବର୍ତ୍ତମାନ ବନ୍ଦର ନଦୀ ଘାଟକୁ ଯାଅ, କଣ ଦେଖିବ ? ନଦୀକୂଳ ଶ୍ମଶାନ ପରି ନିର୍ଜନ - ବୁଢାବଳଙ୍ଗ ନଦୀଟି ଯେମନ୍ତ କଳକଳ - ସ୍ୱନରେ କାନ୍ଦି ସମୁଦ୍ରକୁ ଯାଉଅଛି ।
ବାଲେଶ୍ୱର ବନ୍ଦରର ଦୁର୍ଭାଗ୍ୟର ମୂଳକାରଣ, ନିମକ ପୋକ୍ତାନ ବନ୍ଦ; ଦ୍ୱିତୀୟ କାରଣ ଷ୍ଟିମର ଓ ରେଲର କାରବାର; ତୃତୀୟ କାରଣ ଅଥବା ବିଶେଷ କାରଣ, ବାଲେଶ୍ୱର ନଦୀ ମୁହାଣ ପୋତା ପଡି ଗଲାଣି, ଅମାବାସ୍ୟା ପୂର୍ଣ୍ଣିମା କଟାଳ ଜୁଆର ସମୟ ବିନା ଅନ୍ୟ ସମୟରେ ସମୁଦ୍ରରୁ ଜାହାଜ ନଦୀ ଭିତରକୁ ପଶି ପାରୁ ନାହିଁ ।
ବାଲେଶ୍ୱରୀ ଜାହାଜ ସବୁ ତିନି ଶ୍ରେଣୀର ଥିଲା । ବଡ଼ ଜାହାଜର ନାମ ଗୋରାପ, ମଧ୍ୟଭଳି ଜାହାଜର ନାମ ସୁଲୁପ, ଅତି ସାନ ଜାହାଜର ନାମ ଦୁଉଣୀ । ସୁଲୁପ ଆଉ ଦୁଉଣୀ କଲିକତାକୁ ଯାତାୟତ କରେ, ଗୋରାପ ସବୁ ସମୁଦ୍ର ମଧ୍ୟରେ ଦୂର ଦେଶକୁ ଯାଏ । ପ୍ରତ୍ୟେକ ଜାହାଜର ଗୋଟିଏ ଗୋଟିଏ ନାମ ଥାଏ; ଯଥା - କମଳାପ୍ରସାଦ, ଉମାପ୍ରସାଦ, ଦୁର୍ଗାପ୍ରସାଦ, ଈଶ୍ୱରୀପ୍ରସାଦ ଇତ୍ୟାଦି ।
ବାଲେଶ୍ୱରରେ ଅନେକଗୁଡିଏ ଜାହାଜିଆ ମହାଜନ ଥିଲେ । ଯାହାଙ୍କର ଜାହାଜ ସଂଖ୍ୟା ବେଶି, ସେ ବଡ଼ ମହାଜନ, ସମାଜରେ ତାଙ୍କର ସମ୍ମାନ ବେଶି ।
ସ୍ୱରୂପ ବେହେରା କମଳପ୍ରସାଦ ଗୋରାପର ମାଝି । କୋଡ଼ିଏ ବର୍ଷର ଚାକର, ଖୁବ୍ ବିଶ୍ୱାସୀ, ଖୁବ୍ ନିମକସଚ୍ଚା । ଖୁବ୍ ବିଶ୍ୱାସୀ ଲୋକ ନ ହେଲେ ମାଝିଗିରି ଚାକିରି ପାଏ ନାହିଁ । କାରଣ ତାହା ହାତ ବାଟେ ଅନେକ ନଗଦ ଟଙ୍କାର କାରବାର ହୁଏ ।
ସ୍ୱରୂପ ମାଝି କମଳାପ୍ରସାଦ ଗୋରାପରେ ମାଲ ଘେନି ମାନ୍ଦ୍ରାଜ ଯାଇଥିଲା, ଫେରନ୍ତା ଜାହାଜ ବୁଡ଼ି ଯାଇଥିବା କଥିତ ହୁଏ । ଜାହାଜ ବୁଡ଼ିଯିବାରୁ ମହାଜନଙ୍କ ଛଡ଼ା ଆହୁରି ଢେର ଲୋକଙ୍କର ଲୋକସାନ ହୋଇଛି । ଚିରକାଳ ଏପରି ଦସ୍ତୁର ଚଳି ଆସୁଛି କି, ମାଝି ଦୂର ଦେଶକୁ ମାଲ ବୋଝାଇ ଜାହାଜ ଘେନି ଯିବାବେଳେ ସେ ଜାହାଜର ଦୁଇପଣି ବୋଝାଇ ମାଲ ବିନା ଭଡାରେ ଘେନି ଯାଏ । ମନେ କରନ୍ତୁ, ଗୋଟିଏ ଜାହାଜରେ ଆଠ ହଜାର ମହଣ ମାଲ ବୋଝାଇ ହେବ, ସେଥିରୁ ହଜାରେ ମହଣ ମାଝିର । ସେହି ହଜାରେ ମହଣ ମାଲ ସକାଶେ
*ହେରିଆ - ସମ୍ମୁଖକୁ ପବନ ଠେଲି ସର୍ପାକାରରେ ଜାହାଜର ଗତି ।