ମହାଜନ ଜାହାଜ ଭଡ଼ା ପାଇବେ ନାହିଁ, ସେ ବୋଝେଇ ମାଲର ବିକା କିଣା ଲାଭ ମାଝି ପାଇବ । ମାଝିର ଦୁଇପଣି ମାଲ ନେବାର ଅଧିକାର ଅଛି ସତ୍ୟ; ମାତ୍ର ତା ହାତରେ ଏତେ ଟଙ୍କା କାହିଁ ? ବାବୁଙ୍କ ଘରେ ଚାକର ଚାକରାଣୀ ବହୂ ଝିଅ ଗୁମାସ୍ତା ପାଇକ ଯେତେ ଲୋକ ଥାନ୍ତି, ମାଝି ସେମାନଙ୍କ ପାଖରୁ ଟଙ୍କା ନିଏ । ଏହି ଟଙ୍କାକୁ ବଟମ ବୋଲାଯାଏ । ମାଝି ସେହି ବଟମ ଟଙ୍କାରେ ମାଲ କିଣି କାରବାର କରେ, ସେଥିରୁ ଯେଉଁ ଲାଭ ହୁଏ, ବଟମ ଦାର ଅଧେ ଆଉ ମାଝି ଅଧେ ପାଏ । କମଳାପ୍ରସାଦ ଗୋରାପରେ ଢେର ଟଙ୍କାର ବଟମୀ ମାଲ ଥିଲା ।
ଆଜି ପୂର୍ଣ୍ଣିମା - ସହଜରେ କଟାଳ ଜୁଆର ଦିନ । ବାରଟା ବେଳେ ଜୁଆର ଭାଟିବ, ଠିକ ତେତିକିବେଳେ ପଡ଼ିଛି ଅମୃତ ଯୋଗ । ଆଜି ଢ଼େର ଜାହାଜ ଗଡ଼ିଯିବାର* ସ୍ଥିର ହୋଇଛି । ଚାରି ପାଞ୍ଚ ଦିନ ହେଲା ମାଝି ଖଲାସିମାନେ କାମରେ ଭାରି ଲାଗି ଯାଇଥିଲେ । ଜାହାଜଟିକୁ ସଫା ସୁତରା କରି ଡୋଲ ଉପରେ ସବର, ଗଭର, ଟଭର-ପଛକୁ କଲମି ଡୋଲ ଆଉ ବରଗାମାନ ଟେକି ଦେଇ ଶେଡ଼ ଗୁଡ଼ାଇ ଠିକ କରି ରଖି ଦେଇଛନ୍ତି । ଆଗରେ ପଛରେ ଡୋଲର ସବା ଉପରେ ଲାଲ ଧଳା ହଳଦିଆ ପତାକାମାନ ଫର ଫର ହୋଇ ଉଡ଼ଛି । ଆଡ଼ିକୁ ଜାହଜଟି ବଡ଼ ସୁନ୍ଦର ଦିଶୁଛି । ବେଳ ପ୍ରହରକ ସରିକି ଖୋଦ ବାବୁ ସ୍ନାନସାରି ତସର ଯୋଡ଼ ପିନ୍ଧି ଜାହାଜ ଉପରେ ପହଞ୍ଚିଲେ । ଜାହାଜ ଆଗ ମୁଣ୍ତଠାରେ ହୋମ ଆଉ ପୂଜା ବଢ଼ିଲା - ମାଝି ବି ସ୍ନାନପ୍ରକାର ସାରି ମୁଣ୍ତରେ, ବେକରେ, ଦୁଇ ବାହୁ ଆଉ ଛାତିରେ ଚିତା କରି ପୂଜା ପାଖରେ ବସିଥିଲା । ପୁରୋହିତ ପୂଜା ସାରି ବାବୁଙ୍କ ମୁଣ୍ତରେ ଆଉ ମାଝି ମୁଣ୍ତରେ ଅକ୍ଷତ ପକାଇ ବେକରେ ଫୁଲମାଳ ଲମ୍ବାଇ ଦେଲେ । ପଣ୍ତିତ ନରସିଂହ ମିଶ୍ରେ ଜାହଜ କୁଶଳରେ ବାହୁଡ଼ି ଆସିବାପାଇଁ ଚଣ୍ତୀପାଠ ନିମନ୍ତେ ବାବୁଙ୍କ ହାତରୁ ସଂକଳ୍ପ ଗୁଆ ଟେକି ନେଇ ଓହ୍ଲାଇ ଆସିଲେ । ମାଝି ଡାକି ଦେଲା, 'ତୟାରରହ' । ଖଲାସିମାନେ ଆଉ ସୁକାନି ଆପଣା ଆପଣା ଜାଗାରେ ଛିଡ଼ା ହୋଇଗଲେ । ତଣ୍ତେଲ ଆଗ ଲଙ୍ଗର କପିକଳକୁ ଅନାଇ ଆଉ ଛ ଜଣ ଲଙ୍ଗର ଉଠା ଦାଉର କଳର ଛଅଟା ପଖା ଧରି ଛିଡ଼ା ହୋଇଛନ୍ତି ।
ବାବୁ, ପୁରୋହିତ, ଜ୍ୟୋତିଷେ ନଦୀକୂଳରେ ଜାହାଜକୁ ଅନାଇ ବସିଛନ୍ତି । ମାଝି ଜାହାଜ ବାଡ଼ ଉପରେ ପେଟେଇ ପଡ଼ି ବାବୁଙ୍କ ମୁହଁକୁ ଅନାଇଛି । ଜ୍ୟୋତିଷେ ସୂର୍ଯ୍ୟକୁ ଆଉ ପାଞ୍ଜିକୁ ବାରମ୍ବାର ଚାହୁଁଛନ୍ତି । ଠିକ ୧୨ ଟା ବେଳ ହେଲା । ବାବୁ ଆଉ ଜ୍ୟୋତିଷେ ଛିଡ଼ା ହୋଇ ଡାକିଦେଲେ, "ମାଝି!"
ମାଝି ଜାହଜ ଆଡ଼କୁ ମୁହଁ କରି ଡ଼ାକିଦେଲା, "ହା-ବିସ୍ ।"
ତଣ୍ତେଲ ଡ଼ାକିଲା-ଓ-ହୋଓ ।
ବାଉର ପଖାବାଡି ଧରିଥିବା ଛ ଜଣ ଖଲାସି ଡାକିଲେ,ଓ -ହୋଓ ।
ତଣ୍ଡେଲ -ଓ -ହୋଓ ।
ଖଲାସି -ଓ -ଭାଇ ।
ତଣ୍ଡେଲ -ଦରିଆପୀର ।
ଖଲାସିମାନେ -ଏଁ -ୟାଁ ।
ତଣ୍ଡେଲ -ଲାଗେ ଶିର ।
ଖଲାସି -ଏଁ -ୟାଁ ।
ତଣ୍ଡେଲ -ପୀର କେରାମତ୍ ।
ଖଲାସି -ଏଁ -ୟାଁ ।
*ସମୁଦ୍ରକୁ ଯାତ୍ରା କରି ଯିବାର ।