ତଣ୍ତେଲ-ସାହେବ ସଲାମତ୍ ।
ଖଲାସି-ଏଁ-ୟାଁ ।
ତଣ୍ତେଲ-ଜୁଆନ ଜବର ।
ଖଲାସି-ଏଁ-ୟାଁ ।
ତଣ୍ତେଲ-କାମେ ଖବର ।
ଖଲାସି-ଏଁ-ୟାଁ ।
ତଣ୍ତେଲ ଡାକିଲେ ଖଲାସି ମାନେ 'ଏଁ-ୟାଁ' କହି ଏକସଙ୍ଗରେ ଖୁବ ବଳରେ ବାଉର ଯନ୍ତ୍ର ପଖା ବାଡ଼ିରେ ଏକ ଝିଙ୍କା ମାରନ୍ତି-ଲଙ୍ଗର ପାଣି ଭିତରୁ ଟିକିଏ ଉଠିଆସେ ।
ତଣ୍ତେଲ ପାଟି କରି ଡ଼ାକି ଦେଲା, "ଏରିଆ-ଏରିଆ-ଏରିଆ !" ଲଙ୍ଗର ଉଠିଗଲା-ଭଟା ପାଣିରେ ଜାହାଜ ଖୁବ ଧୀରେ ଧୀରେ ଗତି କଲା ।
ଠିକ ଏତିକିବେଳେ ନଦୀକୂଳରେ ଭାରି ଗୋଟାଏ ଚହଳ ପଡ଼ିଗଲା । ଦରିଆରୁ ଗୋଟାଏ ବଡ଼ ଜାହାଜ ଭାସି ଆସୁଛି, ସେଥିରେ କେହି ମଣିଷ ନାହିଁ । 'ସମ୍ଭାଳ-ସମ୍ଭାଳ' ଲଙ୍ଗରୀ ଜାହାଜମାନଙ୍କରେ ମଣିଷ ପହରା ରହିଗଲେ । ସେ ଜାହାଜ ଭାସି ଆସି ଆଉ ଗୋଟାଏ ଜାହାଜ ଉପରେ ପଡ଼ିଗଲେ ଦୁଇ ଜାହାଜ ଜଖମ ହୋଇଯିବ । ଚାରିଖଣ୍ତ ବତାଲିରେ ଛ ଛ ଜଣ ଖଲାସି ବସି ଧାଇଁଲେ, ଭସାଣି ଜାହାଜଟାକୁ ବାଟରେ ଓଗାଳି ରଖିବେ ।
ଜାହଜ ନଦୀ ବାଟରେ ଧରାଗଲା । ଦେଖ ଦେଖ, କାହା ଜାହାଜ ? ଆରେ ଏଇଟା ତ ରାମହରି ବାବୁଙ୍କ କମଳାପ୍ରସାଦ । ରାମହରି ବାବୁ ଖବର ପାଇ ଠାଁ ଜାଗାରୁ ଉଠି ଲଣ୍ତଭଣ୍ତ ହୋଇ ଧାଇଁଛନ୍ତି, କଛା ଫିଟି ଗଲାଣି, କେଜାଣି ଲୁଗା ଖଣ୍ତ ଖସି ପଡ଼ିବ । ରାମା ଭଣ୍ତାରି ଟୋକା ସାଙ୍ଗରେ ନ ଥିଲେ ନିଶ୍ଚୟ ଲୁଗାଖଣ୍ତ ବାଟରେ ପଡ଼ି ଯାଇଥାନ୍ତା । ଦେଖ, ଦେଖ- ଜାହାଜରେ ସବୁ ଠିକଠାକ ଅଛି ନାହିଁ କେବଳ ବାବୁଙ୍କ ଟଙ୍କାଗୁଡ଼ିକ ଆଉ ମାଝି ଖଲାସିଙ୍କ ଆସବାବ । କାହିଁଗଲା ସ୍ୱରୂପ ମାଝି ? ଆରେ ଆଉ ମାଝି ! ମାଝି ଅନ୍ତର୍ଦ୍ଧାନ !
ଘାଟ କପ୍ତାନ ସାହେବଙ୍କ ପାଖରୁ ଚିଠି ପାଇ ମେଜେଷ୍ଟର ସାହେବ ପୋଲିସ ନିଯୁକ୍ତ କଲେ । ଆଠ ଦଶ ଦିନ ବାଦେ ଦେଖାଗଲା ବାଲେଶ୍ୱର ସହର ଶଗଡ ଦାଣ୍ଡରେ ପୋଲିସ ଦାରୋଗା ପୋଷାକ ପିନ୍ଧି ଗୋଟାଏ ଘୋଡ଼ାରେ ଚଢି ଭାରି ଫୁର୍ତ୍ତିରେ କଚେରିମୁହାଁ ଚାଲିଛନ୍ତି । ତାଙ୍କ ପଛରେ ମାଝି ଖଲାସି ତଣ୍ତେଲ ମେଟ୍ ଜାହାଜର ଚାକର ଷୋଳ ଜଣ ହଳକୁ ହଳ ବାହାକୁ ବାହା ଛନ୍ଦା । ଜଣ ଚାଳିଶ ପଞ୍ଚାଶ ଚପରାସି ଚୌକିଦାର ତାଙ୍କ ଚାରି ପାଖ ବେଢ଼ି ଚାଲିଛନ୍ତି । ସମସ୍ତଙ୍କ ମଝିରେ ଛ'ଟା ଟଙ୍କା ଭାର । ପୋଲିସ ପହଞ୍ଚିବାରୁ ମାଝି ଖଲାସିମାନେ ମହାଜନର ଯେଉଁ ଟଙ୍କା ବାଣ୍ଟ ବଖରା କରି ନେଇଥିଲେ, ସୁନାପୁଅ ପରି ସେ ସମସ୍ତ ଦାରୋଗା ଆଗରେ ଗଣି ଦେଇଥିଲେ ।
ପୋଲିସ ଦାରୋଗା ମେଜେଷ୍ଟର ସାହେବଙ୍କଠାରେ ଯେଉଁ ରିପୋର୍ଟ ଦରପେସ କରିଥିଲେ, ସେଥିର ସାରାଂଶ ଏହିପ୍ରକାର -
"ଚଳିତ ମଇ ମାସ ୧ ତାରିଖ ସ୍ୱରୂପ ମାଝି ମାନ୍ଦ୍ରାଜ ହାରବାରରୁ କମଳାପ୍ରସାଦ ଗୋରାପକୁ ବାଲେଶ୍ୱର ବନ୍ଦରକୁ ଘେନି ଆସୁଥିଲା - ୯ ତାରିଖ ସନ୍ଧ୍ୟା ସମୟରେ ଧାମରା ନଦୀ ମୁହାଣ ପାଖରେ ପହଞ୍ଚିଲା । ସେହି ଶେଷ ରାତି ସରିକି ବାଲେଶ୍ୱର ବାରାରେ ପହଞ୍ଚିଥାନ୍ତା । ମାତ୍ର ଆକାଶମେଘାଛନ୍ନ, ଆଉ ଅଳ୍ପ ଅଳ୍ପ ତୋଫାନ ହେବାରୁ ମାଝି ସମୁଦ୍ର ମଧ୍ୟରେ ଜାହାଜ ଚଳାଇବାକୁ ସାହସ କଲା ନାହିଁ, ନିରାପଦରେ ରହିବାପାଇଁ ଘଡ଼ିଆମାଳ ନଦୀ ଭିତରକୁ ଘେନି ଯାଇ