Jump to content

ପୃଷ୍ଠା:Galpa swalpa.djvu/୧୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଲଙ୍ଗର ପକାଇଲ । ସେଠାକୁ ମାଝି ଖଲାସି ସମସ୍ତଙ୍କ ଗ୍ରାମ ମନ୍ତ୍ରାମପୁର ଅଧ କୋଶେ ବାଟ ଦୂର । ଅନେକ ଦିନ ପିଲାଝିଲାଙ୍କୁ ଦେଖି ନ ଥିବାରୁ ଘରକୁ ଯିବାପାଇଁ ସମସ୍ତେ ବଡ଼ ବ୍ୟସ୍ତ ହେଲେ । ଚାରି ଜଣ ମାତ୍ର ଖଲାସି ଜାହାଜରେ ପହାରା ରହିଲେ, ଆଉ ସମସ୍ତେ ଓହ୍ଲାଇ ଘରକୁ ଚାଲିଗଲେ । ରାତି ପାହାନ୍ତି ଖୁବ୍ ଭୋର ଭୋର ଜାହାଜକୁ ଫେରି ଆସିବାର କଥା ରହିଲା ।

"ଅଧରାତି ସରିକି ତୋଫାନ ଆଉ ବୃଷ୍ଟି ପ୍ରବଳ ହେଲା । ଚାରି ଜଣ ଲୋକ ଜାହାଜ ସମ୍ଭାଳି ରଖି ପାରିଲେ ନାହିଁ, ଗୋଟାଏ ବାଲି ଚଡ଼ାରେ ଲାଗିଗଲା । ସକାଳ ସକାଳ ମାଝି ଖଲାସି ଧାଇଁଛନ୍ତି ଜାହାଜ ଅବସ୍ଥା ଦେଖି ମୁଣ୍ଡ ବାଡ଼େଇ ହେଲେ । ତେତେବେଳେ ପଡାଣି ଜୁଆର, ଜାହାଜ ନିହାତି ବାଲି ଚଡ଼ାରେ ବସି ଯାଇଛି । ଆଉ ଉପାୟ ନାହିଁ । ଘଡିଆମାଳ ନଦୀଟା ଅତି ଭୟଙ୍କର, ଜାହାଜ ଚଡ଼ାରେ ଲାଗିଲେ ଉଠା ନାହିଁ । ଢେର ଢେର ଜାହାଜ ଚଡ଼ାରେ ଲାଗିଲେ ଉଠେ ନାହିଁ । ଢେର ଢେର ଜାହାଜ ମାଡ଼ ଖାଇଛନ୍ତି । ମାଝିମାନେ ଏ ନଦୀକୁ ବଡ଼ ଡରନ୍ତି ।

ମାଝି ଖଲାସି ସମସ୍ତେ ବସି ବିଚାର କଲେ, ଜାହାଜ ତ ଗଲାଣି, ଚାକିରି ତ ରହିବ ନାହିଁ, ଶୁଣାଶୁଣିରେ ଜାହାଜାତି କାରବାର ବାଲେଶ୍ୱରରୁ ଉଠିଯିବ । ସ୍ଥିର କଲେ, ଟଙ୍କାଗୁଡିକ ବାଣ୍ଟିନେଇ ନିଶ୍ଚିନ୍ତରେ ରହିବେ, ଜାହାଜଡୁବି ଖବର ମହାଜନକୁ ଦେବେ । ମାତ୍ର ସେମାନେ ଯତ୍ନ କରିଥିଲେ ଜାହାଜ ଉଠିଥାନ୍ତା ଇତ୍ୟାଦି ।

ଚାରି ଛ ଦିନ ବାଦେ ପୂର୍ଣ୍ଣିମା ତିଥି କଟାଳ ଜୁଆର ପହଞ୍ଚିବାରୁ ଜାହାଜ ଯେଉଁ ଚଡ଼ାରେ ବସିଥିଲା, ତାହା ଜଳପୂର୍ଣ୍ଣ ହୋଇଗଲା । ଦୈବାତ ଗୋଟାଐ ଟାଣ ପବନ ହେବାରୁ ଜାହାଜ ଭାସି ଉଠି ଜଳସ୍ରୋତରେ ଏକାବେଳକେ ଦରିଆର ପଡିଲା । ସେପରି ଭାବରେ ଭାସି ଯାଉଥିଲା, ଗଙ୍ଗା ନଦୀ ଭିତରକୁ ଯାଇଥାନ୍ତା । ମାତ୍ର ବାଲେଶ୍ୱର ବାରା ବାହାର ଦୟା* ପାଖରେ ପହଞ୍ଚିଛି, ପୂର୍ଣ୍ଣିକା ପ୍ରାତଃକାଳ, ସମୁଦ୍ରରେ ଜୁଆର ଆରମ୍ଭ ହୋଇଛି, ଜଳସ୍ରୋତ ଧରି ବାଲେଶ୍ୱର ବୁଢାବଳଙ୍ଗ ନଦୀ ଭିତରେ ପଶିଗଲା ।

ପଶ୍ଚାତ୍ ଶୁଣାଗଲ, ମାଝି ଖଲାସିମାନେ ଚାରି ଚାରି ବରଷ ମିଆଦ ଗଲେ । ଆଉ ଜ୍ୟୋତିଷ କମଳଲୋଚନ ନାୟକେ ତେଡ଼େବଡ଼ ଖରା କାଳରେ ପାଟକଥା ପିନ୍ଧି ଯୋଡି ଶାଲ ଘୋଡ଼ି ହୋଇ, ହାତରେ ସୁନାବଳା ନାଇ ମାସେ ଯାଏ ସହର ମଧ୍ୟରେ ସବୁ ବଡ଼ ଲୋକଙ୍କ ଦ୍ୱାରେ ବୁଲୁଥିବାର ଦେଖାଗଲା ।

ମୌନା ମୌନୀ

ପ୍ରାୟ ଅର୍ଦ୍ଧଶତ ବର୍ଷ ପୂର୍ବେ ଖଣ୍ଡଗିରି ଓ ତତ୍ ଚତୁର୍ଦିଗସ୍ଥ ଉପତ୍ୟକା ଭୂମି ବିବିଧ ଜାତୀୟବୃକ୍ଷ ଓ ଲତା ଜାଲରେ ବେଷ୍ଟିତ ଥିଲା । କେବଳ ଗୁମ୍ଫା ଓ ସମୀପବର୍ତ୍ତୀ ସ୍ଥାନ ଉଦ୍ଭିଦଶୂନ୍ୟ, ପରିଷ୍କୃତ ପରିଚ୍ଛନ୍ନ, ସାଧୁ ସନ୍ୟାସୀମାନଙ୍କ ଆଶ୍ରମରେ ପରିପୂର୍ଣ । ବିଭୂତିଭୂଷଣ କୌପୀନଧାରୀ ସାଧୁମାନେ ଧୂନି ଲଗାଇ ବସିଛନ୍ତି, ବସ୍ତ୍ରଧାରୀ ସାଧୁମାନେ ନିର୍ଧୁନିକ । ସାଧୁ ନାନା ଶ୍ରେଣୀର-ସନ୍ୟସୀ, ନାଗା, ରାମାଉତ, କେହି ବା ଉପାଧିରହିତ । ପ୍ରାୟ ପ୍ରତିଦିନ ସାଧୁମାନଙ୍କ ଗତାୟତ ଲାଗିଥାଏ । ଥୋକେ ଚାଲିଯିବା ମାତ୍ରେ ନବାଗତ ସାଧୁମାନେ ଶୂନ୍ୟସ୍ଥାନ ଅଧିକାର କରି ବସୁଥାନ୍ତି । ମୁଦ୍ରିତନେତ୍ର ଥୋକେ ସାଧୁ ଧ୍ୟାନନିମଗ୍ନ । ତୁଳସୀ ବା ରୁଦ୍ରାକ୍ଷ ମାଳାହସ୍ତ ଥୋକେ ଭଜନରେ ନିଯୁକ୍ତ । କେହି ଗ୍ରନ୍ଥ ପାଠ, କେହି ବା ଗ୍ରନ୍ଥ ଶ୍ରବଣ କରୁଅଛନ୍ତି । କେହି ଗଞ୍ଜିକା ଟିପପନ-ସେବନରେ ନିଯୁକ୍ତ । କେହି