Jump to content

ପୃଷ୍ଠା:Galpa swalpa.djvu/୧୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ଗ୍ରନ୍ଥ ପାଠ, କେହି ବା ଗ୍ରନ୍ଥ ଶ୍ରବଣ କରୁଅଛନ୍ତି । କେହି ଗଞ୍ଜିକା ଟିପପନ-ସେବନରେ ନିଯୁକ୍ତ । କେହି କେହି ସାଧୁ ଖଟୁଲିଟିରେ ପୁଷ୍ପମଣ୍ଡିତ ଦେବତା ବିଜେ କରାଇ ଦେଇ ତୀର୍ଥଯାତ୍ରୀମାନଙ୍କଠାରୁ ଅର୍ଥ ସଂଗ୍ରହରେ ମନଯୋଗୀ । ବାସ୍ତବରେ ଏହା ଗୋଟିଏ ବିଚିତ୍ର ଦୃଶ୍ୟ । ଏହି ପବିତ୍ର ସ୍ଥାନ ଦର୍ଶନ କଲେ ନିତାନ୍ତ ପାଷାଣ ହୃଦୟ ମଧ୍ୟ ଭକ୍ତିରସରେ ଆପ୍ଳୁତ ହୋଇଯାଏ ।

କେବେ କେବେ ଜମାଉତ ଦଳର ମଧ୍ୟ ଏ ସ୍ଥାନକୁ ଶୁଭାଗମନ ହୋଇଥାଏ । ଏମାନେ କିନ୍ତୁ ଗୁମ୍ଫା ନିକଟକୁ ଯାନ୍ତି ନାହିଁ । ଖଣ୍ଡଗିରି ପାଦଦେଶରେ ଦୁଇ ଚାରି ଧୁନି ସ୍ଥାପନ କରି ଅନ୍ୟତ୍ର ଚାଲିଯାନ୍ତି । ଜମାଉତ ଦଳର ସନ୍ୟାସୀ ସଂଖ୍ୟା ଚାଳିଶ ପଞ୍ଚାଶଠାରୁ ହଜାରେ ବାରଶ ପର୍ଯ୍ୟନ୍ତ । ସନ୍ୟାସୀମାନଙ୍କ ସାମାନ ବହିବା ନିମନ୍ତେ ଓଟ ଓ ଘୋଡ଼ା ଥାନ୍ତି । କଦାଚିତ୍ ହାତୀର ମଧ୍ୟ ଅଭାବ ନ ଥାଏ । ଗାଭୀ ବୃଷଭ ମଧ୍ୟ କାହାରି କାହାରି ଦଳରେ ଥିବାର ଦେଖାଯାଏ । ଜମାଉତର ଅଧିକାରୀଙ୍କର ଉପାଧି ମହନ୍ତ ବାବା । ଏହି ମହନ୍ତ ବାବାଙ୍କ ଆଜ୍ଞାରେ ଜମାଉତ ଚାଳିତ । ଜଣେ କୋଠାରୀ ଓ ଜଣେ ଭଣ୍ଡାରି ଥାଏ । କୋଠାରୀ ଧନ ରକ୍ଷକ, ଭଣ୍ଡାରି ଜିମାରେ ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟ ଥାଏ । ଅଧିକାଂଶ ଜମାଉତ ନିୟତ ଯାଯାବର, ଭାରତର ସର୍ବତ୍ର ଭ୍ରମଣ କରି ରାଜା, ଜମିଦାର ଓ ଧନବନ୍ତ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହରେ ନିଯୁକ୍ତ ଥାନ୍ତି । ସଞ୍ଚିତ ଅର୍ଥ ଚାରି ଛ ମାସକୁ ଥରେ ସନ୍ୟାସୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ । ଅବଶ୍ୟ ମହନ୍ତ ବାବାଙ୍କ ଭାଗରେ ଅଧିକାଂଶ ପଡ଼ିଥାଏ । ସନ୍ୟାସୀମାନଙ୍କୁ ଏକତ୍ର ଆବଦ୍ଧ କରି ରଖିବାର ଏହା ଗୋଟିଏ ଉପାୟ ଅଟେ । ଅନେକ ଜମାଉତଙ୍କର ସ୍ଥାନେ ସ୍ଥାନେ ମଠ ଓ ବିପୁଳ ଭୂସମ୍ପତ୍ତି ଅଛି, କେହି କେହି ମହାଜନୀ ମଧ୍ୟ କରିଥାନ୍ତି । ମଫସଲ ଗ୍ରାମମାନଙ୍କରେ ଏମାନଙ୍କର ଭୟଙ୍କର ଜୁଲମ ଥିଲା, ଜମାଉତର ଶୁଭାଗମନ ହେଲେ ଗ୍ରାମବାସୀମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ନ୍ତି । ଭେଦାଦ୍ୱାରା ସାଧୁମାନଙ୍କର ଟହଲ ଚଳାଇବାକୁ ହୁଏ । ଜମାଉତଙ୍କ ସାଧୁସେବା ରାଜବିଜେ ବିଶେଷ । ଧୁନି ସକାଶେ ଉପଯୁକ୍ତ ଗଡ଼ି କାଠ ସଂଗୃହୀତ ନ ହେଲେ ଗରିବ ପ୍ରଜାମାନଙ୍କ ଘରର ଖୁମ୍ବ ଶେଣୀ ଲୁଣ୍ଠିତ ହେଉଥିଲା । ଗ୍ରାମରେ ଜମାଉତ ବିଜେ ହେବା ମାତ୍ରକେ ପ୍ରଥମେ ବାଳଭୋଗ, ସାଧୁଙ୍କ ଗଞ୍ଜେଇ ଖର୍ଚ୍ଚ ଓ ଦେବତା ଦର୍ଶନୀ ଦେବାର ନିୟମ । କେହି ବଡ଼ଲୋକ ବା ରାଜା ପ୍ରଥମେ ଉପଯୁକ୍ତରୂପେ ଦେବତାଙ୍କଠାରେ ଭେଟି ଦାଖଲ ନ କଲେ ସାଧୁମାନେ ଦୁଇ ତିନି ଦିବସ ପର୍ଯ୍ୟନ୍ତ ଉପବାସରେ ପଡ଼ିରହନ୍ତି । ପ୍ରକୃତରେ ଉପବାସରେ ରହନ୍ତି କି ନାହିଁ, ଲୋକନେତ୍ରର ଅଗୋଚର, ସଙ୍ଗରେ ଜମା ଥିବା ମଇଦା ରାତ୍ରି ଯୋଗେ ଧୂନିରେ ପଡ଼ି ପୋଡ଼ପିଠାରେ ପରିଣତ ହୁଏ । ଧର୍ମପ୍ରାଣ ନିରିହ ଗ୍ରାମବାସୀ ହିନ୍ଦୁ ପ୍ରଜାମାନେ ନୀରବରେ ସମସ୍ତ ସହ୍ୟ କରୁଥିଲେ । ପ୍ରକୃତ ସାଧୁ ଜମାଉତର ମଧ୍ୟ ଅଭାବ ନ ଥିଲା, ମାତ୍ର ବ୍ୟବସାୟୀ ଅଧିକାଂଶ । ବଙ୍ଗଳାରେ ଡକାଇତ, ପୂର୍ବ ସମୁଦ୍ରଠାରୁ ଦିଲ୍ଲୀ ପ୍ରାଚୀର ପର୍ଯ୍ୟନ୍ତ ସମସ୍ତ ଆର୍ଯ୍ୟାବର୍ତ୍ତରେ ଲୁଣ୍ଠନକାରୀ ପିଣ୍ଡାରୀ ଏବଂ ସମସ୍ତ ଭାରତବ୍ୟାପୀ ନାଗା ଜମାଉତଙ୍କ ଉତ୍ପାତରେ ପ୍ରଜାମଣ୍ଡଳୀ ନିତାନ୍ତ ଉତ୍ତ୍ୟକ୍ତ ହୋଇପଡ଼ୁଥିଲେ । ଧନ୍ୟ ଇଂରେଜ ଗବର୍ଣମେଣ୍ଟ! ସେମାନଙ୍କ ହସ୍ତରୁ ରକ୍ଷା କରିଅଛନ୍ତି ।

ଖଣ୍ଡଗିରିବାସୀ ସାଧୁମାନେ ପ୍ରାତଃସ୍ନାୟୀ । ପ୍ରାତଃକାଳରେ ଦେବତାଙ୍କ ଠାରେ ଯେଉଁ ବାଳଭୋଗ ଲାଗେ, ତାହା ସେବା କରି ଭଜନ ପୂଜନରେ ନିଯୁକ୍ତ ହୁଅନ୍ତି । ଅପରାହଣ ସମୟରେ ଥରେ ମାତ୍ର ପଙ୍ଗତ ହୁଏ । ସନ୍ଧ୍ୟା ଆଳତି ସମୟରେ ଘଣ୍ଟାଭେରୀ ତୁରୀ ଶବ୍ଦରେ ଖଣ୍ଡଗିରି କମ୍ପିତ ହୋଇ ଉଠେ । ଆଳତି ଉତ୍ତାରେ ରାତ୍ରି ପ୍ରହରକ ପର୍ଯ୍ୟନ୍ତ ଭଜନ-କାହିଁବା ଖଞ୍ଜଣୀବାଦନ, ଗଞ୍ଜିକାସେବନ ଇତ୍ୟାଦି । ତଦନନ୍ତର ଗିରି ନିସ୍ତବଧ ।