ପୃଷ୍ଠା:Galpa swalpa.djvu/୧୬୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗଳ୍ପସ୍ୱଳ୍ପ

ଖାଇଲେ ଚଳିବ ନାହିଁ ତ, ସରକାରୀ କାମ ବଜାଇବାକୁ ହେବ । ଲୁଣଚୋର ଯେ ଘରେ ଘରେ ଚଲାକ । ଜମାଦାର କେତେଦିନ ଗ୍ରାମରେ ରହି ବେଶ୍ ବୁଝିଲେଣି; ମାତ୍ର ଧରିବେ କିପରି ? ଗ୍ରାମ ଲୋକେ ହାଟରୁ ଦୁଇ ପଇସାର ବିଲାତୀ ଲାଫ୍ରି ଲୁଣ କିଣି ଆଣି ରଖିଛନ୍ତି, ଜମାଦାରଙ୍କ ସିଦାରେ ସେହି ଲୁଣ ଦିଅନ୍ତି । ଜମାଦାରେ ଏ କଥାଟା ମଧ୍ୟ ବୁଝିଲେଣି । ଦିନଯାକ ଜମାଦାର ପାଖରେ ଲୋକ ଛୁଟଣ ନାହିଁ । ରାତ୍ରି ଛ ଘଡ଼ି ଯାଏ ପାଖରେ ରହି ଏଣୁ ତେଣୁ କହି ଭୁଲାଉଥାନ୍ତି; ଅର୍ଥାତ୍ ଜମାଦାର କେତେବେଳେ କଣ କରୁ ଅଛନ୍ତି ସମସ୍ତେ ଉଣ୍ଡୁ ଥାଆନ୍ତି, ଗ୍ରାମର ଅବଧାନେ ବନମାଳୀ ଓଝା ସଞ୍ଜବେଳେ ଦୁଇ ଘଡି ପାଣ୍ଡିରେ(ଭାଗବତ ଘରେ) ବସି ଜମାଦାରଙ୍କୁ ଛାନ୍ଦ ଶୁଣାଏ । ହାତ ମୁଣ୍ଡ ହଲାଇ 'ବକେ ବସିଥିଲା ଧ୍ରୁବ ଉପରେ' ଗୀତର ଅର୍ଥ କରେ । ଗ୍ରାମର ଲୋକ ଏକଯୋଟ, ଆଉ ସରକାରୀ ଲୋକ ଦିଗବାର, ସେ ତ ଗ୍ରାମବାସୀ ମଧ୍ୟରେ ଜଣେ । ଜମାଦାରେ ବର୍ତ୍ତମାନ କିଛି ଚିନ୍ତାରେ ପଡ଼ିଲେଣି ।

ଆଜି ଜମାଦାରଙ୍କ ମିଜାଜ ଭାରି ବିଗିଡ଼ିଛି । ସବୁ କଥାରେ ଖପା, ସମସ୍ତଙ୍କ ଉପରେ ଖପା । ରାଗରେ ଗୁମ୍ ମାରି ଫାଣ୍ଡିରେ ବସିଛନ୍ତି, କାହାରି ସହିତ କିଛି କଥା ନାହିଁ । ଦିଗବାର ଶଙ୍କ୍ରୁ ମଳିକ ଚାରି ହାତିଆ ବାଉଁଶ ଠେଙ୍ଗାଟା କାନ୍ଧରେ ପକାଇ ପିଣ୍ଡାତଳେ କୋଡିଏ ହାତ ଦୂରରେ ବସିଛି । ଜମାଦାରେ ଖୁବ ଖପାହୋଇ ଦିଗବାରକୁ ପଚାରିଲେ,"କି ରେ ? ସେ ଆସିଲା ନାହିଁ ?" ଦିଗବାର ଛିଡ଼ା ହୋଇ ହାତ ଯୋଡ଼ି କହିଲା, "ହଜୁର, ଏଥର ଲଗା ତା ପାଖକୁ ପାଞ୍ଚଥର ଗଲି; ଆସିଲା ନାହିଁ । କହିଲା, ମୁଁ କଣ ଜମାଦାର ସଙ୍କୁଡି ଉଠାଇ ତିନି ପାଞ୍ଜିରୁ ଯିବି ? ଜଣା ଅଜଣା ଗ୍ରାମ ସାଆନ୍ତଙ୍କ ବୋଲରେ ପଡ଼ି ଯାହା କରି ଯାଇଛି - ଯାଇଛି; ଆଉ ଏଣିକି ପାରିବି ନାହିଁ ।"

ସଞ୍ଜବେଳେ ଗ୍ରାମର ମୁଖିଆ ମୁଖିଆ ଲୋକମାନେ ଭାଗବତଘରଠାରେ ହାଜର ହୋଇ ରାମ ବାରିକ ଭଣ୍ଡାରିକୁ ଡକାଇଲେ । ରାମା ହାଜର ହୋଇ ଜମାଦାରଙ୍କୁ ଗୋଟାଏ ଦଣ୍ଡବତ କରି ହାତ ଯୋଡି ଛିଡା ହେଲା । ଗ୍ରାମର ପଧାନ ଗୋପାଳ ଘଡ଼େଇ ପଚାରିଲେ, "କିରେ ରାମା, ତୁ ଆଜି ଜମାଦାରଙ୍କ ବସାରେ କିଆଁ ହାଜର ହେଲୁ ନାହିଁ ?" ରାମା ଦୁଇ ଥର ଗଳା ଖଙ୍କାରି ଦେଲା, ଦୁଇ ଥର ଗୁଇଁ ଗାଇଁ ହେଲା, କଣ ବିଡ୍ ବିଡ୍ କରି କହିଲା । ଘଡ଼େଇ ଆଉ ଥରେ ଧମକାଇ ପଚାରିଲେ, "ରେ, କଣ କହୁଛୁ ସଫା କରି କହ ।"

ରାମା କହିଲା, "ଆଜ୍ଞା ଆଜି ସକାଳେ ନରସିଂହପୁରରୁ ଆମ ଜାତି ପରମାଣିକ ଆସିଥିଲେ । ମୋତେ ମନା କରିଗଲେ । ଏଣିକି ଆଉ ଜମାଦାରଙ୍କ ସଙ୍କୁଡି ଉଠାଇଲେ ମୁଁ ଏକଘରିଆ ହେବି । ଆଜ୍ଞା, ଆପଣମାନେ ନିଶାପ କରନ୍ତୁ, ଜାତିପାଟକ କଥା, ମୁଁ କି ପରମାଣିକ କଥା ହେଣ୍ଟି ପାରେଁ ? "ସମସ୍ତେ ଚୁପ ଚାପ, କଥାଟା ଫିଟିଲା ନାହିଁ; ମାତ୍ର ସମସ୍ତେ ବୁଝିଗଲେ ଜମାଦାର ଜାତିରେ ଭଣ୍ଡାରି । ରାମା ଜାତି ଭାଇ ସେବା କରିବାକୁ ନାରାଜ । ଜମାଦାରେ ରାଗରେ କମ୍ପୁଛନ୍ତି; ମାତ୍ର ଲୋକଟା ଖୁବ୍ ସିଆଣା କିନା, ବିଚାର କଲା ରାମା ଉପରେ ଜୁଲମ କଲେ କଥାଟା ଫଟିଯିବ । ତୁନି ତାନି ହୋଇ ରହିଲେ । ରାତି ହେଲା, ଗୋଟି ଗୋଟି ହୋଇ ସମସ୍ତେ ଘରକୁ ଚାଲିଗଲେ । ସେଥି ପଛେ ପଛେ ରାମା ମଧ୍ୟ ଚାଲିଗଲା ।

ଜମାଦାରଙ୍କ ସାତ ପୁରୁଷର କାମ ଅଇଣ୍ଠା ଉଠା । ପେସ୍କାରଙ୍କ ବସାରେ ମଧ୍ୟ ସେହି କାମରେ ବେହେଲ ଥିଲେ । ଆପଣା ସଙ୍କୁଡ଼ି ବାସନଟା ମାଜି ପାରିବେ ନାହିଁ ? ତେବେ କଥା କଣ କି ଏଠାରେ ମର୍ଯ୍ୟାଦାକୁ ଜଗି ଚାଲିବାକୁ ହେବ ତ ! କଣ କରିବେ, କାମ ଚଳିଗଲା; ମାତ୍ର ରାମା ଉପରେ ରାଗଟା ରହିଗଲା ।