ପୃଷ୍ଠା:Galpa swalpa.djvu/୧୬୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ହିନ୍ଦୁ ପୁରାଣ କଥାସବୁ ଜାଣନ୍ତି ବୋଲି ଜଣେ ବୁଢ଼ା ମୁସଲମାନ ମୌଲବିଙ୍କର କିଛି ଦେମାକ ଥିଲା । ସେ ବୋଲନ୍ତି, "ମହାଭାରତ ଆଉର କୁଛ ନେହିଁ । ଭାଇ ଭାଇୟୋକି ତକରାରି କେସ୍‌ସା ଆଉର ରାମାୟନ୍ ଯୋ ହେ, ଭାଇକା ଚୁଗଲ ଖୋରିମେ ରାବଣକା ବୁନିଆଦି ବରାବାଦ ।" ମୌଲବି ସାହେବଙ୍କ କଥା ଯାହା ହେଉ ଆମ୍ଭେମାନେ କିନ୍ତୁ ସଚରାଚର ଏଡ଼ିସନଲ ମୁନସଫି ଦୁଆରଠାରୁ ହାଇକୋଟ ଦରୋଜା ପର୍ଯ୍ୟନ୍ତ ଭାଇ ଭାଇ ତକରାରିରେ ଅନେକ ଖାନ‌ଦାନି ଖିନ୍ ଖରାପ ହେବାର ଦେଖିଅଛୁଁ । କ୍ଷୂଦ୍ରାଦପି କ୍ଷୂଦ୍ର ରାମ ବାରିକର ମଧ୍ୟ ନିଷ୍କୃତି ନାହିଁ । ରାମ‌ବାରିକର ଭାୟାରା ମଧ୍ୟରେ ଜଣକ ସଙ୍ଗରେ ତାହାର ତକରାର ଥିଲା । ରାମା ଉପରେ ଜମାଦାରେ ଭାରି ଖପା ହୋଇଥିବା ଗ୍ରାମ‌ଯାକ ଜଣା, ତା କାନରେ ମଧ୍ୟ କଥା ପଡ଼ିଲା । ରାମାକୁ ଜବଦ୍ କରିବାପାଇଁ ଦିନେ ନିରୋଳାରେ ଜମାଦାର ପାଖରେ ହାଜର ହୋଇ ରାମା ଘର ମଧ୍ୟରେ ଚୋରାଲୁଣ ମାରୁଥିବାର କଥା କ‌ହିଗଲା । ଜମାଦାରେ ଭାରି ଖୁସି, ନିଧିଟାଏ ପାଇଗଲେ । ଗୋଟାଏ ଟେକାରେ ଯୋଡ଼ାଏ ଆମ୍ବ ଝଡ଼ିବ; ଅର୍ଥାତ୍ ବଦମାଏସ ରାମା ଜବତ୍ ହେବ, ଆଉ ଏକ ନମ୍ବର ମାମଲା ଦାଏର ହେବ ।

ତ‌ହିଁ ଆରଦିନ ସକାଳେ ପ୍ରହରକ ବେଳେ ଜମାଦାରେ ଡ୍ରେଶ ଭିଡ଼ି ଦିଗବାରକୁ ସଙ୍ଗରେ ଧରି ରାମା ଦାଣ୍ତ ଦୁଆରେ ହାଜର । ଜମାଦାର ଠିକ୍ ସନ୍ଧାନ ପାଇଥିଲେ । ରାମା ତାହାର ଘର ପାଚିରୀବୁଲା ମଝି ଅଗଣାରେ ଅଧ ହାଣ୍ତିଏ ଦ‌ହ‌ପାଣି ଘେନି ଧାନଉଁଷା ଚୂଲୀରେ ଲୁଣ ମାରିବାକୁ ଯାଉଥିଲା । ଜମାଦାର ଏକାବେଳକେ ଅଗଣା ମଧ୍ୟରେ ତାହା ଆଗରେ ହାଜର । ରାମା ପରଖା ଲୋକ, ଜମାଦାର ଦେଖିବା ମାତ୍ର ସବୁ କଥା ବୁଝିଗଲା, ଲଣ୍ତଭଣ୍ତ ହୋଇ ପାଣିଯାକ ନଳା ମୁହଁରେ ଢ଼ାଳିଦେଲା । ଜମାଦାରେ ଖୋଦ ଦେଖୁଛନ୍ତି, ଆଉ କଣ ? ରାମା ତ‌ତ୍‌କ୍ଷଣାତ୍ ଗ୍ରେପ୍ତାର । ଯେଉଁଠାରେ ଲୁଣପାଣି ଢଳା ହୋଇଥିଲା ସେହିଠାରୁ ଅଧହାଣ୍ତିଏ ମାଟି ରାମ ହାତରେ ପୁରାଇ ଦାଣ୍ତକୁ ଭିଡ଼ି ଆଣିଲେ । ଜମାଦାର ହୁକୁମରେ ଦିଗବାର ରାମ ଡ଼େଣା ବାନ୍ଧି ପକାଇଲା । ଦିଗବାର ବାଁ କାନ୍ଧରେ ଠେଙ୍ଗା ଡାହାଣ ହାତରେ ରାମ । ହାତବନ୍ଧା ରସି ଧରି ଗ୍ରାମ ମଝିଦାଣ୍ତରେ ଭିଡ଼ି ଭିଡ଼ି ଫାଣ୍ତିକୁ ଘେନି ଗଲା । ଜମାଦାରଙ୍କ ହୁକୁମରେ ଆଉ ତିନିଖଣ୍ତ ଗ୍ରାମର ତିନି ଜଣ ଦିଗବାର ହାଜର ହୋଇଗଲେ । ସେମାନଙ୍କ ହେପାଜତରେ ଚୋର ରାମା ବନ୍ଧା ହୋଇ ଫାଣ୍ତିରେ ସେଦିନ‌କ ପଡ଼ି ରହିଲା ।

ଗ୍ରାମ‌ଯାକ ଚ‌ହ‌ଳ ପଡ଼ିଗଲା । ସ‌ହର ଜାୟଗାରେ ଏପରି କ‌ଥାକୁ କେହି ଅନାଏ ନାହିଁ, ମାତ୍ର ମଫସଲରେ ଏହା ଗୋଟିଏ ଭାରି କାଣ୍ତ । ବିଶେଷରେ ପୋଲିଶ ଜମାଦାର ଲୁଣଚୋର ଧରିଲାଣି । ଗ୍ରାମ ଯାକ ସମସ୍ତଙ୍କ ମୁହଁରେ ସେହି କଥା, ସମସ୍ତଙ୍କର ସବୁ ପ୍ରକାର କାର୍ଯ୍ୟ ବନ୍ଦ । କାହାରି ମନରେ ସୁଖ ନାହିଁ, ମାତ୍ର ଗାଁ ପିଲାଗୁଡ଼ାକର ଭାରି ଆନନ୍ଦ, ଅବଧାନେ ଚାଟଶାଳୀ ଛାଡ଼ି ଯାଇଅଛନ୍ତି । ପିଲାଗୁଡ଼ାକ ପଲପଲ ହୋଇ ରାମାକୁ ଦେଖିବା ପାଇଁ ଭାଗବ‌ତ ଘରକୁ ଧାଇଁଛନ୍ତି । ଗୋଳମାଳ କଲେ ଦିଗବାର ପାଟିକରି ଧମକାଇ ତଡ଼ି ଦେଉଛି । ଭୟରେ ପଳାଇ ଆସି ପୁନର୍ବାର ଧୀରେ ଧୀରେ ଭାଗବତ ଘର ପାଖରେ ଜମା ହେଉଛନ୍ତି, ଏହିପରି ସେମାନଙ୍କର କାର୍ଯ୍ୟ ଲାଗିଛି । ମାଇକିନିଆମାନେ ଘରଧନ୍ଦା ଛାଡ଼ି ତୁନି ହୋଇ ବସିଛନ୍ତି । ଗ୍ରାମରେ ଯେମନ୍ତ ବଜ୍ରପାତ ହୋଇଅଛି । ଆଜି ରାମା ଧରାଗଲା, କାଲି କାହା କପାଳରେ କଣ ଅଛି କିଏ କ‌ହିପାରେ, ଲୂଣ ମରା ତ ସମସ୍ତଙ୍କ ଘରେ । ସରକାରକୁ ବଳ କାହାର ? ସେଦିନ ଦିନଓଳି ଖିଆ ପିଆଟା ଅନେକ ଲୋକ ଘରେ ସଞ୍ଜ ବେଳେ ହେଲା । ରାମା ଘରେ ତ ଅରନ୍ଧା ଅବଢ଼ା ।